Home Culture ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା କେବେ ?

ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା କେବେ ?

ଭୁବନେଶ୍ୱର : ଓଡିଆ ଭାଷା ଓ ଓଡିଶୀ ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଥିଲେ ମଧ୍ୟ ଏଯାବତ୍‍ ଓଡିଶୀ ସଙ୍ଗୀତ ଏହି ମାନ୍ୟତା ପାଇବାପାଇଁ ସଂଘର୍ଷ କରୁଛି । କେବେ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିବ ସେଥିଘେନି କେହି ନିର୍ଦ୍ଧିଷ୍ଟ ଭାବରେ କିଛି କହିପାରୁନଥିବାବେଳେ ରାଜ୍ୟର ସଙ୍ଗୀତଜ୍ଞ, କଳାକାର, ସାହିତ୍ୟପ୍ରେମୀ ଓ ବୁଦ୍ଧିଜୀବୀମାନେ ତୁରନ୍ତ କେନ୍ଦ୍ର ସରକାର ଓଡିଶାର ଏହି ଯୁକ୍ତଯୁକ୍ତ ଦାବିକୁ ଗ୍ରହଣ କରି ଓଡିଆ ଅସ୍ମିତାକୁ ଠିକଣା ସମ୍ମାନ ପ୍ରଦାନ କରିବାପାଇଁ ମତପ୍ରକାଶ ପାଉଛି ।

ଏଯାବତ୍‍ ଓଡିଶୀ ସମେତ ଆମ ଦେଶର ୮ଟି ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇଛି । ଏଗୁଡିକ ମଧ୍ୟରେ ଭାରତନାଟ୍ୟମ, କଥକ, କୁଚିପୁଡି, ମଣିପୁରୀ, କଥାକଲି, ମୋହିନୀ ନାଟ୍ୟମ ଓ ସତାରିଆ ଆଦି ରହିଛି । ଶାସ୍ତ୍ରୀୟ ମାନ୍ୟତା ପାଇଁ ମଧ୍ୟ ଓଡିଶୀ ନୃତ୍ୟକୁ କେନ୍ଦ୍ର ଦରବାରେ ବେଶ୍‍ ସଂଘର୍ଷ କରିବାକୁ ପଡିଥିଲା । ଏଠାରେ ଉଲ୍ଲେଖନୀୟ ଯେ ଆର୍ନ୍ତଜାତିକ ସ୍ତରରେ ଓଡିଶୀ ନୃତ୍ୟ ପ୍ରଶଂସିତ ହୋଇଆସୁଥିବାବେଳେ ଏହାକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ଅତୀତରେ ଢେର ବିଳମ୍ବ କରାଯାଇଥିଲା ।

ପରବର୍ତ୍ତୀ ସମୟରେ ବହୁ ଲଢେଇ ପରେ ୨୦୧୪ ମସିହାରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ମିଳିଥିଲା । ଏହା ପୂର୍ବରୁ ତାମିଲ, ସଂସ୍କୃତ,ତେଲଗୁ, କନ୍ନଡ ଓ ମାଲାୟାଲାମ ଭାଷାକୁ କେନ୍ଦ୍ର ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିଥିଲା । ଏବେ ମରାଠୀ, ବଙ୍ଗାଳି, ପାଲି, ପ୍ରାକୃତ ଓ ଅହମିୟା ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନପାଇଁ କେନ୍ଦ୍ର କ୍ୟାବିନେଟ୍‍ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ଏପର୍ଯ୍ୟନ୍ତ ୧୧ଟି ଭାଷା ଓ ଆଠଟି ନୃତ୍ୟ ଶାସ୍ତ୍ରୀୟ ମାନ୍ୟତା ପାଇସାରିଥିବାବେଳେ ଅନ୍ୟ କେତେକ ଭାଷାର ସଙ୍ଗୀତକୁ ମଧ୍ୟ୍‍ ଶାସ୍ତ୍ରୀୟ ମାନ୍ୟତା ଦିଆଯାଇଛି ।

ଓଡିଶୀ ନୃତ୍ୟର ପ୍ରମୁଖ ଉପାଦାନ ହେଉଛି ଓଡିଶୀ ସଙ୍ଗୀତ । ବହୁ ଭାଷାର ସଙ୍ଗୀତ ତୁଳନାରେ ଓଡିଶୀ ସଙ୍ଗୀତ ଢେର ପୁରୁଣା ଏବଂ ଏହାର ସ୍ୱତନ୍ତ୍ର ମର୍ଯ୍ୟାଦା ଓ ଆଦର ମଧ୍ୟ ରହିଛି ।

ଦଳମତ ନିର୍ବିଶେଷରେ ବୁଦ୍ଧିଜୀବୀ, ଶିକ୍ଷାବିତ୍‍, ସଙ୍ଗୀତଜ୍ଞ, କଣ୍ଠଶିଳ୍ପୀ ଓ ରାଜନେତାମାନେ ମଧ୍ୟ ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ଦେବାପାଇଁ ବାରମ୍ବାର ଦାବି ଉଠାଇ ଆସୁଛନ୍ତି । ଏବେ କେନ୍ଦ୍ର କ୍ୟାବିନେଟରେ ଓଡିଶାର ତିନି ଜଣ ପ୍ରଭାବଶାଳୀ ନେତା ମନ୍ତ୍ରୀ ଥିବାବେଳେ ଓଡିଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନେକ ଦରଦ ପ୍ରକାଶ କରି ଆସୁଛନ୍ତି । ଓଡିଶାର ସାଂସଦ ଓ ଅନ୍ୟ ରାଜନେତା, ରାଜ୍ୟ ସରକାର, କେନ୍ଦ୍ର ସରକାର,ଐକ୍ୟବଦ୍ଧ ଉଦ୍ୟମକଲେ ଖୁବ୍‍ଶୀଘ୍ର ଓଡିଶୀ ସଙ୍ଗୀତକୁ ଶାସ୍ତ୍ରୀୟ ମାନ୍ୟତା ମିଳିପାରନ୍ତା ବୋଲି ସେମାନଙ୍କ ମତ । ତେବେ ଓଡିଶୀ ନୃତ୍ୟ ଓ ଓଡିଆ ଭାଷା ପରେ ଓଡିଶୀ ସଙ୍ଗୀତ କେବେ ଶାସ୍ତ୍ରୀୟ ମାନ୍ୟତା ପାଉଛି ତାହାକୁ ସାଢେ ଚାରିକୋଟି ଓଡିଆଙ୍କ ସମେତ ଅଗଣିତ ଓଡିଶୀ ସଙ୍ଗୀତପ୍ରେମୀ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି । (ତଥ୍ୟ)