Home General ସ୍ଥାପନ ହେଉନି ଇଭ ଚାର୍ଜିଂ ଷ୍ଟେସନ

ସ୍ଥାପନ ହେଉନି ଇଭ ଚାର୍ଜିଂ ଷ୍ଟେସନ

ଭୁବନେଶ୍ୱର : ରାଜ୍ୟରେ ବୈଦ୍ୟୁତିକ ଯାନ ବିକ୍ରି ବଢିବା ସହିତ ଏ ବାବଦରେ ସରକାର କୋଟି କୋଟି ଟଙ୍କାର ସବସିଡ୍‍ ଗଣୁଥିବାବେଳେ ଖୋଦ ରାଜଧାନୀରେ ଆବଶ୍ୟକ ମୁତାବକ ଇଭି ଚାର୍ଜିଂ ପଏଣ୍ଟ ସ୍ଥାପନ ହୋଇପାରୁ ନାହିଁ । ଫଳରେ ବୈଦ୍ୟୁତିକ ଯାନ ଖରିଦ କରିଥିବା ଲୋକେ ହୀନସ୍ତା ହେବା ସହିତ ଧିରେ ଧିରେ ଇଭିଯାନରୁ ମୁହଁ ଫେରାଇବାରେ ଲାଗିଛନ୍ତି ।

ରାଜ୍ୟରେ ବୈଦ୍ୟୁତିକ ଯାନର ବିକ୍ରି ବୃଦ୍ଧି ପାଉଥିବାବେଳେ ରାଜ୍ୟ ସରକାର ସବସିଡ୍‍ ବାବଦରେ ୧୫୮ କୋଟି ଟଙ୍କାରୁ ଅଧିକ ଟଙ୍କା ଦେଇ ସାରିଲେଣି । ପୂର୍ବରୁ ଗାଡି ପ୍ରତି ସବସିଡ୍‍ ଅର୍ଥ ପ୍ରଦାନ କରାଯାଉଥିବାବେଳେ ଏବେ ଗ୍ରାହକଙ୍କୁ ଆକୃଷ୍ଟ କରିବାପାଇଁ ବ୍ୟାଟେରୀ କ୍ଷମତା ଅନୁଯାୟୀ କିଲୋୱାଟ ପିଛା ଅର୍ଥ ପ୍ରଦାନ କରାଯାଉଛି ।

ତେବେ ଇଭି ଖରିଦ କରିଥିବା ଅଧିକାଂଶ ଲୋକେ ନିଜ ନିଜ ଘରେ ଗାଡି ଚାର୍ଜିଂ କରୁଛନ୍ତି । ରାଜଧାନୀରେ କାଁ ଭାଁ ଇଜି ଚାର୍ଜିଂ ଷ୍ଟେସନକୁ ବାଦ୍‍ ଦେଲେ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ତୈଳ କମ୍ପାନୀ କିମ୍ବା ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ମହାନଗର ନିଗମ ଆବଶ୍ୟକ ମୁତାବକ ଚାର୍ଜିଂ ଷ୍ଟେସନ ସ୍ଥାପନ କରିନାହାନ୍ତି । ଯେଉଁ କେତେକ ସ୍ଥାନରେ ଚାର୍ଜିଂ ଷ୍ଟେସନ ରହିଛି ତାହା ସମୁଦ୍ରକୁ ଶଙ୍ଖେଭଳି ହୋଇଥିବାବେଳେ ସେଠାରେ ସଂଖ୍ୟାଧିକ ଚାରି ଚକିଆ ଯାନ ଚାର୍ଜିଂ କରାଯାଉଛି ।

ରାସ୍ତାଘାଟରେ ଚାର୍ଜିଂଷ୍ଟେସନ ସ୍ଥାପନ ହୋଇପାରି ନଥିବାରୁ ସହର ବାହାରକୁ କିମ୍ବା ଦୂର ସ୍ଥାନକୁ ଯାତାୟତ କରୁଥିବା ଲୋକେ ନିଜ ନିଜର ଇଭିଯାନ ନେଇ ଯିବାକୁ ଭୟ କରୁଛନ୍ତି । କାରଣ ଯଦି କେଉଁଠାରେ ବ୍ୟାଟେରୀ କ୍ଷମତା ସରିବ ସେଠାରୁ ଫେରିବା ମୁସ୍କିଲ ହୋଇଯିବ । ଗାଡିରେ ଚାର୍ଜିଂ ବ୍ୟବସ୍ଥା ଥିଲେ ବି ଅଚିହ୍ନା ଅଜଣା ସ୍ଥାନରେ ଏହାକୁ ଚାର୍ଜ କରିବା ସେତେଟା ସହଜ ନୁହେଁ ।

ସେହିଭଳି ନିଜ ନିଜ ଘରେ ଇଭି ଚାର୍ଜିଂ କରୁଥିବାରୁ ଲୋକଙ୍କ ଉପରେ ବିଜୁଳି ବୋଝ ବଢିବାରେ ଲାଗିଛି । ଯେଉଁମାନେ ଅଧିକ ବିଜୁଳି ବ୍ୟବହାର କରୁଛନ୍ତି ସେମାନଙ୍କୁ ଚାର୍ଜିଂଷ୍ଟେସନ ଅପେକ୍ଷା ଅଧିକ ଅର୍ଥ ଖର୍ଚ୍ଚ କରିବାକୁ ପଡୁଛି । ସେହିଭଳି ଚାର୍ଜିଂଷ୍ଟେସନଗୁହିକରେ ବେଗଗାମୀ ଚାର୍ଜିଂ ବ୍ୟବସ୍ଥା ଥିବାବେଳେ ଘରେ ତାହା ହୋଇପାରୁ ନାହିଁ ।

ରାଜ୍ୟ ସରକାର ଇଭିଯାନ ଉପରେ ସବସିଡ୍‍ ଦେବା ଆରମ୍ଭ କରିବା ସହିତ ଏହାର ବିକ୍ରି ବୃଦ୍ଧିପାଇଁ ବିଭିନ୍ନ ସ୍ଥାନରେ ଚାର୍ଜିଂ ଷ୍ଟେସନ ସ୍ଥାପନ ଉପରେ ଗୁରୁତ୍ୱ ଦେଇଥିଲେ । ଏହି ଯୋଜନାକୁ ବିଏମ୍‍ସି କାର୍ଯ୍ୟକାରୀ କରିବାର ଥିଲା । ବିଦ୍ୟୁତ୍‍ ବଣ୍ଟନ କମ୍ପାନୀମାନଙ୍କ ସହଯୋଗରେ ଏହି ଚାର୍ଜିଂ ଷ୍ଟେସନ ସ୍ଥାପନର ନିଷ୍ପତ୍ତି ହୋଇଥିଲେ ମଧ୍ୟ ତାହା ଏକ ପ୍ରକାର ଶୀତଳଭଣ୍ଡାରରେ ରହିଯାଇଛି ।

ସେହିଭଳି ରାଜ୍ୟରେ ବର୍ତ୍ତମାନ ଏକାଧିକ ଇଭି କମ୍ପାନୀ ନିଜର କାରବାର କରୁଥିଲେ ମଧ୍ୟ ଚାର୍ଜିଂ ଷ୍ଟେସନ ସ୍ଥାପନ ପାଇଁ ସେଭଳି କୌଣସି ପଦକ୍ଷେପ ଗ୍ରହଣ କରୁନାହାନ୍ତି । ଗାଡି ବିକ୍ରି କରିବା ସେମାନଙ୍କର ମୁଖ୍ୟ ଲକ୍ଷ୍ୟ ହୋଇଥିବାବେଳେ ସରକାର ସବସିଡ୍‍ ଦେବାରେ ଲାଗିଛନ୍ତି । ହେଲେ ଚାର୍ଜିଂଷ୍ଟେସନ ସ୍ଥାପନ ପାଇଁ କେହିହେଲେ ସେଭଳି ଆଗ୍ରହ ପ୍ରକାଶ କରୁନାହାନ୍ତି । (ତଥ୍ୟ)