Home General ନକଲି ସାମଗ୍ରୀର ହବ୍‍ ପାଲଟିଲାଣି ଓଡିଶା

ନକଲି ସାମଗ୍ରୀର ହବ୍‍ ପାଲଟିଲାଣି ଓଡିଶା

ଭୁବନେଶ୍ୱର : ଏମିତି କୌଣସି ସାମଗ୍ରୀ ନାହିଁ ଯାହାର ନକଲି ଓଡିଶାରେ ମିଳୁନାହିଁ । ତେଲ, ଘିଅ ଠାରୁ ଆରମ୍ଭକରି ଔଷଧ, କୀଟନାଶକ, ନିଶା ସାମଗ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଅସଲି ବ୍ରାଣ୍ଡ୍‍ କମ୍ପାନୀ ନାଁରେ ନକଲି ଜିନିଷ ପ୍ରସ୍ତୁତିର ହବ୍‍ ପାଲଟିଲାଣି ଓଡିଶା ।

କେବଳ ଭୁବନେଶ୍ୱର କି କଟକ ନୁହେଁ, ଓଡିଶାର ପ୍ରାୟ ସବୁ ଜିଲ୍ଲାରେ ନକଲି ସାମଗ୍ରୀ ପ୍ରସ୍ତୁତି ଏକ ପ୍ରକାର ଶିଳ୍ପରେ ପରିଣତ ହୋଇଗଲାଣି କହିଲେ ଅତ୍ୟୁକ୍ତି ହେବନାହିଁ । କଟକ ନିକଟରେ ଆଜି ଏକ ନକଲି ଘିଅ ତିଆରି କାରଖାନା ଉପରେ ଚଢାଉ କରାଯାଇଛି । ଏହି ନକଲି ଘିଅ ବର୍ଷ ବର୍ଷ ଧରି ବଜାରରେ ଉପଲବ୍ଧ ହେଉଛି । ପୂର୍ବରୁ ଏକ ବ୍ରାଣ୍ଡେଡ୍‍ କମ୍ପାନୀର ନକଲି ଘିଅ କାରଖାନା କଟକ ଉପକଣ୍ଠରେ ଧରାପଡିଥିଲା । ସେହିଭଳି ବିଭିନ୍ନ କମ୍ପାନୀ ଦ୍ୱାରା ବିପ୍ପଣନ କରାଯାଉଥିବା ଖାଇବା ତେଲର ନକଲି କାରଖାନା ଏବେ ଗଞ୍ଜାମ ଜିଲ୍ଲାରେ ଧରାପଡିଛି ।

କିଛିଦିନ ତଳେ ଖୋଦ ରାଜଧାନୀ ଭୁବନେଶ୍ୱରରୁ ବିପୁଳ ପରିମାଣର ନକଲି ଓ ଅପମିଶ୍ରିତ ମଦ ବି ଧରାଯାଇଥିଲା । ବିଭିନ୍ନ ସମୟରେ ଚଢଉବେଳେ ସାରା ରାଜ୍ୟରେ ଏଭଳି ନକଲି ଓ ଅପମିଶ୍ରିତ ମଦ ବି ଧରାପଡୁଛି । ଏହାଛଡା ବ୍ୟାପକ ପରିମାଣର ଚୋରା ନିଶା ସାମଗ୍ରୀ ମଧ୍ୟ ସାରା ରାଜ୍ୟରେ ହାଉଜାଉ ହେଉଛି ।

ଉପାସନାପୀଠଗୁଡିକରେ ଉପଲବ୍ଧ ହେଉଥିବା ଭୋଗ ଓ ପୂଜା ସାମଗ୍ରୀରୁ ଅଧିକାଂଶ ବି ନକଲି ମାଲ୍‍ରେ ତିଆରି ହେଉଛି । ଏହା ସମସ୍ତେ ଜାଣୁଥିଲେ ମଧ୍ୟ ଶସ୍ତାରେ ମିଳୁଥିବାରୁ ଲୋକେ ବ୍ୟବହାର କରୁଛନ୍ତି । କଣ୍ଟାବାଞ୍ଝିରୁ କୋରାପୁଟ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଚଢାଉବେଳେ ପ୍ରଚୁର ପରିମାଣର ନକଲି ଔଷଧ ବି ଧରାପଡୁଛି । ଏମିତିକି ଭୁବନେଶ୍ୱର ଓ କଟକ ବଜାରରେ ଏଭଳି ନକଲି ଔଷଧର ଭଲ ବଜାର ରହିଛି । ରାଜ୍ୟ ସରକାର ଯେଉଁସବୁ ବ୍ରାଣ୍ଡେଡ୍‍ କମ୍ପାନୀରୁ ଔଷଧ ରୋଗୀଙ୍କ ପାଇଁ କିଣୁଛନ୍ତି ସେଥିରୁ କେତେକ ନିମ୍ନମାନର ବୋଲି ପରୀକ୍ଷାପରେ ବାରମ୍ବାର ଧରାପଡୁଥିବାରୁ ସମ୍ପୃକ୍ତ ସଂସ୍ଥାଗୁଡିକୁ ମଧ୍ୟ କଳାତାଲିକାଭୁକ୍ତ କରାଯାଉଛି । ଏହା ସତ୍ୱେ ବି ନକଲି ଔଷଧ କାରବାର କମୁନାହିଁ ।

କରୋନା ମହାମାରୀ ସମୟରେ ଲୋକେ କାଲୁବାଲୁ ହେଉଥିବାବେଳେ ବରଗଡ ଜିଲ୍ଲାରେ ନକଲି କରୋନା ଟିକା ବି ଧରାପଡିଥିଲା । ଘର ତିଆରି ପାଇଁ ଆବଶ୍ୟକ ପଡୁଥିବା ସିମେଣ୍ଟ, ପୁଟି, ପ୍ରାଇମର, ରଙ୍ଗ ଆଦିର ବି ଅପମିଶ୍ରଣ ହେବା ଏବଂ ବ୍ରାଣ୍ଡେଡ୍‍ କମ୍ପାନୀ ନାମରେ ନକଲି ସାମଗ୍ରୀ ବଜାରକୁ ଛଡାଯିବା ଏକ ସାଧାରଣ ଘଟଣାରେ ପଡିଗଲାଣି ।

ବଜାରରେ ଉପଲବ୍ଧ ହେଉଥିବା ସସ୍‍ ଭିତରୁ କିଏ ଅସଲି କିଏ ନକଲି ତାହା ଜାଣିବା ମୁସ୍କିଲ । ନିକଟରେ ଭୁବନେଶ୍ୱର, କଟକ ସମେତ ରାଜ୍ୟର ଆଉ କେତେକ ଅଞ୍ଚଳରେ ଏମିତି ନକଲି ସସ୍‍ ତିଆରି କାରଖାନା ଧରାପଡିଛନ୍ତି । ବଜାରରେ ମିଳୁଥିବା ଦୁଗ୍ଧ ଓ ପନିର୍‍ ସମେତ ଅନ୍ୟାନ୍ୟ ଦୁଗ୍ଧଜାତ ସାମଗ୍ରୀରର ବଡ ନକଲି ବଜାର ବି ଓଡିଶାରେ ଚାଲିଛି । ଏହାଛଡା ଅନ୍ୟାନ୍ୟ ବହୁ ନକଲି ସାମଗ୍ରୀ ଅସଲ ନାମରେ ଚଢା ଦରରେ ବଜାରରେ ମିଳୁଛି ।

ଚକଡା ପୋକ ଆତଙ୍କ ସମୟରେ ଚାଷୀମାନେ ବିକଳ ହୋଇ ପ୍ରୟୋଗ କରିଥିବା କୀଟନାଶକ ବି ଅନେକ ନକଲି ଥିବା ଜଣାପଡିଥିଲା । କାରଣ ଏହି କୀଟନାଶକରେ କୀଟପତଙ୍ଗ ମରୁନଥିଲେ । ଏଥିଯୋଗୁଁ ଚାଷୀମାନେ ଯେ କେତେ କ୍ଷତିଗ୍ରସ୍ତ ହୋଇଛନ୍ତି ତାହାର ଚୂଡାନ୍ତ ହିସାବ କାହା ପାଖରେ ନାହିଁ । ଏହାଛଡା ବିଭିନ୍ନ କିସମର ବିହନ ଓ ସାରର ମଧ୍ୟ ଅପମିଶ୍ରଣ ହେଉଛି । ନକଲି ବିହନ ବ୍ୟବହାର କରି ବହୁ କ୍ଷେତ୍ରରେ ଚାଷୀମାନେ ସର୍ବସ୍ୱାନ୍ତ ହେଉଛନ୍ତି । କେବଳ ସେତିକି ନୁହେଁ ଓଡିଶାରେ ନକଲି ଡାକ୍ତରଙ୍କ ଠାରୁ ଆରମ୍ଭ କରି ନକଲି ପୁଲିସ୍‍, ନକଲି ସାମ୍ବାଦିକ ଓ ନକଲି ଅଫିସର ମଧ୍ୟ ଧରାପଡୁଛନ୍ତି । (ତଥ୍ୟ)