Home News in Odia କ୍ଷତିରେ ପୋତି ହେଉଛି ଓଏସଆରଟିସି

କ୍ଷତିରେ ପୋତି ହେଉଛି ଓଏସଆରଟିସି

ଭୁବନେଶ୍ୱର : ରାଜ୍ୟ ସଡକ ପରିବହନ ନିଗମର ଅବସ୍ଥା ଏବେ ଦେଉଳକୁ ମୁଖଶାଳା ବଳିଯିବା ଭଳି । ଏହି ସରକାରୀ ନିଗମ ୨୦୧୯-୨୦ ମସିହାରୁ କ୍ରମାଗତ ଭାବେ କ୍ଷତି କରିଆସୁଛି । ବିଭିନ୍ନ ସୂତ୍ରରୁ ନିଗମ ଯେତିକି ଆୟ କରୁଛନ୍ତି ବ୍ୟୟ ପରିମାଣ ତାହାଠାରୁ ଅଧିକ ହେଉଛି ।

ଓଡିଶା ରାଜ୍ୟ ସଡକ ପରିବହନ ନିଗମ ୨୦୧୮-୧୯ ବର୍ଷରେ ଲାଭ କରିଥିଲା । ଏହା ପରଠାରୁ କ୍ଷତିରେ ଚାଲିଛି । ସେହିବର୍ଷ ପନଗମ ୧୧୭ କୋଟି ୩୧ଲକ୍ଷ ଟଙ୍କାରୁ ଅଧିକ ଆୟ କରିଥିବାବେଳେ ବ୍ୟୟ ପରିମାଣ ଥିଲା ୧୧୩ କୋଟି ୭୭ଲକ୍ଷରୁ ଅଧିକ । ଏହିବର୍ଷ ନିଗମ ୩,୫୩,୭୮,୩୪୯ କୋଟି ଟଙ୍କା ଲାଭ କରିଥିଲା

୨୦୧୯-୨୦ବର୍ଷରେ ନିଗମର କ୍ଷତି ପରିମାଣ ୯କୋଟି ଟଙ୍କାରୁ ଅଧିକ ରହିଥିଲା । ଏହିବର୍ଷ ନିଗମ ଯାତ୍ରୀଙ୍କ ଠାରୁ ଟିକଟ ବାବଦରେ ମିଳିଥିବା ଅର୍ଥ, ଚୁକ୍ତିନାମା ସେବା, ଯାତ୍ରୀଙ୍କ ସାମଗ୍ରୀ ପରିବହନ ଓ ଆସନ ସଂରକ୍ଷଣ ବାବଦରୁ ୧୧୬ କୋଟିରୁ ଅଧିକ ଟଙ୍କା ଆୟ କରିଥିବାବେଳେ ବ୍ୟୟ ପରିମାଣ କିନ୍ତୁ ୧୨୫ କୋଟି ଟଙ୍କାକୁ ଟପି ଯାଇଥିଲା । ସେହିବର୍ଷ ଗାଡି ଚଳାଚଳ ବାବଦରେ ନିଗମ ୭୨କୋଟି ୪୧ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ବ୍ୟୟ କରିଥିଲା ।

୨୦୨୦-୨୧ ବର୍ଷରେ ନିଗମର ଆୟ ୫୨କୋଟି ୨୯ଲକ୍ଷ ୫୯ହଜାର ଟଙ୍କା ରହିଥିଲା । କରୋନା ମହାମାରୀ ଯୋଗୁଁ ଆୟରେ ବ୍ୟାପକ ହ୍ରାସ ପାଇଥିଲା । ତେବେ ସେହିବର୍ଷ ବ୍ୟୟ ପରିମାଣ ୬୨କୋଟି ୮୪ଲକ୍ଷ ଟଙ୍କାକୁ ଟପିଯିବାରୁ କ୍ଷତି ପରିମାଣ ୧୦କୋଟି ଟଙ୍କାରୁ ଅଧିକ ହୋଇଥିଲା । ୨୦୨୧-୨୨ବର୍ଷରେ ନିଗମର କ୍ଷତି ପରିମାଣ ୨କୋଟି ୫୨ ଲକ୍ଷ ଟଙ୍କା ରହିଥିଲା । ଯାହା ପୂର୍ବବର୍ଷ ତୁଳନାରେ ଢେର କମ୍‍ ଥିଲା । ତେବେ ୨୦୨୨-୨୩ ବର୍ଷରେ ନିଗମର କ୍ଷତି ପରିମାଣ ପାଖପାଖି ୧୮ କୋଟି ଟଙ୍କାକୁ ବୃଦ୍ଧି ପାଇଥିଲା । ସେହିବର୍ଷ ନିଗମର ଆୟ ୧୪୬ କୋଟି ୧୪ଲକ୍ଷ ଟଙ୍କାରୁ ଅଧିକ ହୋଇଥିବାବେଳେ ବ୍ୟୟ ପରିମାଣ ୧୬୪ କୋଟି ୬୪ଲକ୍ଷ ଟଙ୍କାକୁ ଟପିଥିଲା । ଏହିବର୍ଷ କେବଳ ଗାଡି ଚଳାଚଳ ବାବଦରେ ପ୍ରାୟ ୧୦୮ କୋଟି ଟଙ୍କା ବ୍ୟୟ ହୋଇଥିଲା ।

ଲଗାତାର କ୍ଷତି ସତ୍ୱେ ପରିବହନ ନିଗମ କିନ୍ତୁ ଗତ ୫ବର୍ଷ ମଧ୍ୟରେ ୩୨୦ଟି ନୂତନ ବସ୍‍ ଖରିଦ କରିଛି । ଏହି ବସ୍‍ଗୁଡିକ ଟାଟା ମୋଟର୍ସ, ଅଶୋକ ଲେଲ୍ୟାଣ୍ଡ, ଭିଇ କମର୍ସିଆଲ ଆଦିରୁ ୨୪୩ କୋଟି ୪୧ଲକ୍ଷ ଟଙ୍କା ବ୍ୟୟରେ ଖରିଦ କରାଯାଇଛି । ଏହିସବୁ ବସ୍‍ ମଧ୍ୟରୁ ବର୍ତ୍ତମାନ ୨୯୧ଟି ବସ୍‍ ରାସ୍ତାରେ ଚଳାଚଳ ପାଇଁ ଉପଯୁକ୍ତ ଥିବାବେଳେ ବିଭିନ୍ନ କାରରଣୁ ଖରାପ ହୋଇଥିବା ୨୯ଟି ବସ୍‍କୁ ମରାମତି କରାଯାଉଥିବା ଜଣାଯାଇଛି । (ତଥ୍ୟ)