Home News in Odia ମହିଳା ଅପରାଧ ବଢାଇଲାଣି ମୁଣ୍ଡବିନ୍ଧା

ମହିଳା ଅପରାଧ ବଢାଇଲାଣି ମୁଣ୍ଡବିନ୍ଧା

ଭୁବନେଶ୍ୱର : ମହିଳାଙ୍କ ପ୍ରତି ଘଟୁଥିବା ଅପରାଧ ସଂକ୍ରାନ୍ତୀୟ ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ନଗଣ୍ୟ ରହୁଥିବାରୁ ଜିଲ୍ଲାପାଳ ଓ ଏସ୍‍ପିମାନଙ୍କ ସମ୍ମିଳନୀରେ ଖୋଦ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଉଦ୍‍ବେଗ ପ୍ରକାଶ କରିବାପରେ ଏଭଳି ସମ୍ବେଦନଶୀଳ ମାମଲାରେ କିପରି ଦଣ୍ଡବିଧାନ ହାର ଅଧିକ ହେବ ତାହା ବିଭାଗୀୟ ଅଧିକାରୀମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ହୋଇଛି ।

ମୁଖ୍ୟମନ୍ତ୍ରୀ ନିର୍ଦ୍ଦିଷ୍ଟ ଭାବେ କହିଥିଲେ ଯେ ଏଭଳି ମାମଲାରେ ଓଡିଶାରେ ଦଣ୍ଡବିଧାନ ହାର ମାତ୍ର ୯.୨ ପ୍ରତିଶତ ରହୁଛି । ଏ ପରିପ୍ରେକ୍ଷୀରେ କେଉଁଠି କେତେ ମହିଳାଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲା ରହିଛି ସେ ସଂକ୍ରାନ୍ତରେ ନିର୍ଦ୍ଦିଷ୍ଟଭାବେ ପୁଲିସ୍‍ ମହାନିର୍ଦ୍ଦେଶକଙ୍କ ଠାରୁ ମୁଖ୍ୟମନ୍ତ୍ରୀ ବିବରଣୀ ଚାହିଁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ୨୦୨୩ ଡିସେମ୍ବର ମାସରେ ପ୍ରକାଶ ପାଇଥିବା ଭାରତ ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ଜାତୀୟ କ୍ରାଇମ ରେକର୍ଡ ବ୍ୟୁରୋ ପ୍ରକାଶ କରିଥିବା ‘କ୍ରାଇମ୍‍ ଇନ୍‍ ଇଣ୍ଡିଆ’ ରିପୋର୍ଟରେ ୨୦୨୨ ବର୍ଷରେ ଓଡିଶାରେ ମହିଳାଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ମାତ୍ର ୯.୨ ପ୍ରତିଶତ ଦର୍ଶାଯାଇଛି । ଅଥଚ ସେହିବର୍ଷ ଜାତୀୟ ସ୍ତରରେ ଏଭଳି ମାମଲାରେ ଦଣ୍ଡବିଧାନ ହାର ୨୫.୩ ପ୍ରତିଶତ ରହିଛି ।

୨୦୨୨ ସୁଦ୍ଧା ଓଡିଶାରେ ଏଭଳି କିସମର ୧,୭୬,୭୬୫ଟି ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ସେଥିରୁ ଉକ୍ତ ବର୍ଷରେ ୭୩୯୩ ଟି ମାମଲା ଫଏସଲା ହୋଇଥିବାବେଳେ ମାତ୍ର ୬୭୧ଟିରେ ଦଣ୍ଡବିଧାନ ହୋଇଥିଲା ଓ ୬୬୧୩ ମାମଲାରେ ଅଭିଯୁକ୍ତମାନେ ଖସିଯାଇଥିଲେ । ଏହି ବର୍ଷରେ ଉକ୍ତ ମାମଲାଗୁଡିକ ମଧ୍ୟରୁ ମାତ୍ର ୪.୨ ପ୍ରତିଶତ ଫଏସଲା ହେବା ଉଦବେଗଜନକ । ଅର୍ଥାତ୍‍ ବିଚାର ପ୍ରତୀକ୍ଷାରେ ଥିବା ମାମଲାରୁ ୯୫.୮ ପ୍ରତିଶତ ଫଏସଲା ନହୋଇପାରି ପରବର୍ତ୍ତୀ ବର୍ଷକୁ ବକେୟା ମାମଲା ଭାବେ ଗଡିଥିଲା । ଜାତୀୟ ସ୍ତରରେ ମହିଳାଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଫଏସଲା ହାର ମାତ୍ର ୭.୭ ପ୍ରତିଶତ ଥିବାବେଳେ ପରବର୍ତ୍ତୀ ବର୍ଷକୁ ବକେୟା ଭାବେ ୯୨.୩ ପ୍ରତିଶତ ମାମଲା ଗଡିଛି ।

ଏବେ ସମଗ୍ର ଦେଶରେ ମହିଳାଙ୍କ ପ୍ରତି ବିଚାରାଧିନ ଅପରାଧିକ ମାମଲା ସଂଖ୍ୟା ୨୫ଲକ୍ଷରୁ ଅଧିକ ହେବବୋଲି ଆଶଙ୍କା କରାଯାଉଥିବାବେଳେ ଓଡିଶାରେ ଏହି ସଂଖ୍ୟା ୨ଲକ୍ଷରୁ ଅଧିକ ହୋଇପାରେ । ସରକାରୀ ତଥ୍ୟ ମୁତାବକ ଓଡିଶାରେ ଏବେ ଯେତେ ବଳାତ୍କାର ମାମଲା ରୁଜୁ ହେଉଛି ତାହାର ସଂଖ୍ୟା ଦୈନିକ ହାରାହାରି ୮ ବୋଲି କୁହାଯାଉଥିବାବେଳେ ଏଭଳି ସମ୍ବେଦନଶୀଳ ମାମଲାରେ ବି ଦଣ୍ଡବିଧାନ ହାର ହାରାହାରି ୮ ଦିନରେ ଗୋଟିଏ ହେଉଛି କି ନାହିଁ ସନ୍ଦେହ ।

ସମଗ୍ର ଦେଶରେ ଏବେ ୫କୋଟିରୁ ଅଧିକ ମାମଲା ଆଇନ୍‍ ଅଦାଲତଗୁଡିକରେ ପଡି ରହିଥିବାବେଳେ ସେଥିରୁ ଅପରାଧିକ ମାମଲା ସଂଖ୍ୟା ୩କୋଟିରୁ ଅଧିକ । ଓଡିଶାରେ ବି ୨୦ଲକ୍ଷରୁ ଅଧିକ ମାମଲା ବିଚାରାଳୟରେ ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ବି ଅପରାଧିକ ମାମଲା ସଂଖ୍ୟା ପାଖପାଖି ୧୫ଲକ୍ଷ । ଏହାଛଡା ବିଭିନ୍ନ ରାଜସ୍ୱ ଅଧିକରୀଙ୍କ ନିକଟରେ ଓ ଅନ୍ୟ ସଂସ୍ଥାରେ ବି ଲକ୍ଷ ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ।

ଅପରାଧିକ ମାମଲାଗୁଡିକ ମଧ୍ୟରୁ କିଏ ୩୦ବର୍ଷର ତ ଆଉ କିଏ ୧୦ କି ୨୦ବର୍ଷର ପୁରୁଣା । ବିଳମ୍ବିତ ବିଚାର ପ୍ରକ୍ରିୟା, ତଦନ୍ତରେ ତ୍ରୁଟି, ଅଦାଲତରେ ଠିକଣା ସମୟରେ ସାକ୍ଷ୍ୟ ପ୍ରମାଣ ଉପସ୍ଥାପନ କରାନଯିବା, ସାକ୍ଷୀ ଓ ପୀଡିତାମାନଙ୍କୁ ବିଭିନ୍ନ ପ୍ରକାର ଚାପ ମାଧ୍ୟମରେ ପ୍ରଭାବିତ କରିବା ଏବଂ ସର୍ବୋପରି ମାମଲାରେ ପରିଚାଳନାରେ ତ୍ରୁଟି ଯୋଗୁଁ ଫଏସଲା ଓ ଦଣ୍ଡବିଧାନ ହାର କମ୍‍ ରହୁଛି ବୋଲି ଆଇନ୍‍ ବିଶେଷଜ୍ଞମାନେ ମତ ଦେଉଛନ୍ତି । (ତଥ୍ୟ)