ଭୁବନେଶ୍ୱର : ଖାଇବା ତେଲର ଦର ଆକାଶଛୁଆଁ ହୋଇଥିବାବେଳେ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଏବେ ଓଡିଶାରୁ ବିପୁଳ ଲାଭ ଉଠାଇବାରେ ଲାଗିଛନ୍ତି । ରାଜ୍ୟରେ ଯେତିକି ପରିମାଣରେ ଖାଇବା ତେଲ ଆବଶ୍ୟକ ତାହାର ଅତି ନଗଣ୍ୟ ପରିମାଣ ଉତ୍ପାଦନ ହେଉଥିବାରୁ ଏଭଳି ଅବସ୍ଥା ସୃଷ୍ଟି ହୋଇଛି ।
ବଜାରରେ ଏବେ ସୋରିଷ ତେଲ ଲିଟର ୧୭୫ ଟଙ୍କାରେ ପହଞ୍ଚିଛି । ମାସକ ମଧ୍ୟରେ ଲିଟର ପ୍ରତି ଦର ୨୦ ରୁ ୨୫ ଟଙ୍କା ବଢିଛି । ସେହଭଳି ପାମୋଲିନ୍ ତେଲ ଲିଟର ୧୨୦ ଟଙ୍କା ଅତିକ୍ରମ କରିଥିବାବେଳେ ସୂର୍ଯ୍ୟମୁଖୀ ତେଲ ୧୨୫ ଟଙ୍କାରେ ପହଞ୍ଚିଲାଣି । ସମସ୍ତ ପ୍ରକାର ଖାଇବାତେଲର ଦର ହୁ ହୁ ହୋଇ ବଢିବାରେ ଲାଗିଛି । ତେବେ ଖାଇବା ତେଲର ସିଂହଭାଗ ରାଜ୍ୟ ବାହାରୁ ଆସୁଥିବାରୁ ଦରବୃଦ୍ଧି ଉପରେ ସରକାର ଲଗାମ ଲଗାଇ ପାରୁନାହାନ୍ତି ।
ଆମ ରାଜ୍ୟରେ ବାର୍ଷିକ ଖାଇବା ତେଲର ଚାହିଦା ୨ଲକ୍ଷ ୭୦ହଜାର ମେଟ୍ରିକ ଟନ୍ ରହିଛି । ଏଥି ମଧ୍ୟରେ ସୋରିଷ, ପାମୋଲିନ୍ ଓ ସୂର୍ଯ୍ୟମୁଖୀ ଆଦି ଅର୍ନ୍ତଭୁକ୍ତ । ତେବେ ପାମୋଲିନ୍ ତେଲ ପାଇଁ ସମ୍ପୂର୍ଣ୍ଣ ଭାବେ ଅନ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଥିବାବେଳେ ଓଡିଶାରେ ଅଳ୍ପ ପରିମାଣରେ ସୂର୍ଯ୍ୟମୁଖୀ ଓ ସୋରିଷ ଉତ୍ପାଦନ ହେଉଛି । ସରକାରୀ ହିସାବ ଅନୁଯାୟୀ ରାଜ୍ୟରେ ୨୨ହଜାର ମେଟ୍ରିକ ଟନ୍ ସୂର୍ଯ୍ୟମୁଖୀ ଓ ୫୧ହଜାର ମେଟ୍ରିକ ଟନ୍ ସୋରିଷ ଉତ୍ପାଦନ ହେଉଛି । ଯେତିକି ବି ସୋରିଷ ଓ ସୂର୍ଯ୍ୟମୁଖୀ ଉତ୍ପାଦନ ହେଉଛି ଅମଳ ସମୟରୁ ତାହାର ସିଂହଭାଗ ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଖରିଦକରି ନେଉଛନ୍ତି ।
ରାଜ୍ୟରେ ଆବଶ୍ୟକ ପରିମାଣରେ ତୈଳବୀଜ ଉତ୍ପାଦନ ହେଉନଥିବାରୁ ଓଡିଶା ବର୍ଷ ସାରା ଖାଇବାତେଲ ପାଇଁ ରାଜସ୍ଥାନ, ଗୁଜୁରାଟ, ଉତ୍ତରପ୍ରଦେଶ, ଆନ୍ଧ୍ରପ୍ରଦେଶ ଆଦି ଉପରେ ନିର୍ଭର କରୁଛି । ପ୍ରତିଦିନ ସେହିସବୁ ରାଜ୍ୟରୁ ଟ୍ରକ ଟ୍ରକ ଖାଇବାତେଲ ଓଡିଶାକୁ ଆସୁଛି । ଓଡିଶାରେ ଖାଇବା ତେଲର ଦର କେତେ ରହିବ ତାହା ସେହିସବୁ ରାଜ୍ୟର ବ୍ୟବସାୟୀମାନେ ସ୍ଥିର କରୁଛନ୍ତି ।
ଓଡିଶାରେ ତୈଳବୀଜ ଉତ୍ପାଦନର ପାଇଁ ଅନୁକୂଳ ପରିବେଶ ସହିତ ରାଜ୍ୟ ସରକାର ବ୍ୟାପକ ସହାୟତା ପ୍ରଦାନ କରୁଥିଲେ ମଧ୍ୟ ମଧ୍ୟ ଚାଷୀମାନେ ଆଉ ପୂର୍ବଭଳି ଚିନାବାଦାମ ଓ ଅନ୍ୟାନ୍ୟ ତୈଳବୀଜ ଚାଷ କରୁନାହାନ୍ତି । ଏକଦା ତୈଳବୀଜ ଉତ୍ପାଦନରେ ଓଡିଶା ବେଶ୍ ଆଗୁଆ ଥିବାବେଳେ ଖାଇବା ତେଲ ଉତ୍ପାଦନ ଓ ଯୋଗାଣ ପାଇଁ ରାଜ୍ୟ ସରକାର ସୁବର୍ଣ୍ଣା ନାମକ ସଂସ୍ଥା ଗଢିଥିଲେ । ଏହି ସରକାରୀ ସଂସ୍ଥାଟି ରାଜ୍ୟରେ ସୁବର୍ଣ୍ଣା ବ୍ରାଣ୍ଡ୍ରେ ଖାଇବାତେଲ ଯୋଗାଇ ଦେଉଥିଲା । ହେଲେ ତୈଳବୀଜ ଉତ୍ପାଦନ ହ୍ରାସ ପାଇବାପରେ ଏହି ସରକାରୀ ସଂସ୍ଥାର ଅକାଳ ମୃତ୍ୟୁ ଘଟିଥିଲା ।
ବର୍ତ୍ତମାନ ଖାଇବା ତେଲ ସହିତ ଓଡିଶା ହରଡ ଡାଲି, ଆଳୁ, ପିଆଜ ଆଦି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ମହାରାଷ୍ଟ୍ର, ଛତିଶଗଡ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଗୁଜୁରାଟା, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଆଦି ରାଜ୍ୟ ଉପରେ ନିର୍ଭରଶୀଳ । ଖାଇବା ତେଲ ସହିତ ବଜାରରେ ଏବେ ହରଡଡାଲି ଓ ପିଆଜର ଦର ମଧ୍ୟ ବଢିବାରେ ଲାଗିଛି । ଯେହେତୁ ଏହିସବୁ ସାମଗ୍ରୀ ଉତ୍ପାଦନରେ ଓଡିଶା ଆତ୍ମନିର୍ଭରଶୀଳ ହୋଇପାରୁ ନାହିଁ, ତେଣୁ ବର୍ଷ ସାରା ଅନ୍ୟ ରାଜ୍ୟର ବ୍ୟବସାୟୀମାନେ ଓଡିଶାରୁ ବିପୁଳ ପରିମାଣର ମୁନାଫା ଉଠାଇ ଚାଲିଛନ୍ତି । (ତଥ୍ୟ)