Home General ଅଧିକାଂଶ ପୂଜା ସାମଗ୍ରୀ ନକଲି

ଅଧିକାଂଶ ପୂଜା ସାମଗ୍ରୀ ନକଲି

ଭୁବନେଶ୍ୱର : କେବଳ ଘିଅ ନୁହେଁ, ପୂଜାପାଇଁ ବ୍ୟବହାର କରାଯାଉଥିବା ବିଭିନ୍ନ କିସମର ତେଲ, କର୍ପୁର ଓ ପ୍ରସାଦ ପ୍ରସ୍ତୁତି ପାଇଁ ବ୍ୟବହୃତ ସାମଗ୍ରୀରୁ ଅଧିକାଂଶ ନକଲି । ମଠ, ମନ୍ଦିର ଠାରୁ ଆରମ୍ଭକରି ବିଭିନ୍ନ ଯଜ୍ଞାନୁଷ୍ଠାନ ଏବଂ ଘରେ ଘରେ ପୂଜା ପାଇଁ ଲୋକେ ଯେତେ ସାମଗ୍ରୀ କିଣୁଛନ୍ତି ସେଥିରୁ ଅଧିକାଂଶ ନିମ୍ନମାନର ବୋଲି ଜଣାଥିଲେ ମଧ୍ୟ ଏହାକୁ ରୋକିବାପାଇଁ ଦୃଢ କାର୍ଯ୍ୟାନୁଷ୍ଠାନ ହୋଇପାରୁ ନାହିଁ ।

ତିରୁପତି ମନ୍ଦିରର ଲଡୁ ପ୍ରସ୍ତୁତିରେ ବ୍ୟବହୃତ ଘିଅରେ ପଶୁ ଚର୍ବି ଥିବା ଘେନି ଅଭିଯୋଗ ଆସିବାପରେ ଓଡିଶାରେ ଏବେ ଚେତା ପଶିଛି । ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ପାଇଁ ଆସୁଥିବା ସାମଗ୍ରୀର ମାନ ଯାଞ୍ଚଲାଗି ଇତି ମଧ୍ୟରେ ଆଇନ୍‍ ବିଭାଗ ସ୍ୱାସ୍ଥ୍ୟ ବିଭାଗସହିତ ପରାମର୍ଶ କରିଛି । ଏ ସଂକ୍ରାନ୍ତରେ ଖାଦ୍ୟ ନିରୀକ୍ଷକ ନିୟମିତ ଯାଞ୍ଚ କରିବେ ବୋଲି କୁହାଯାଉଛି । ଏହାଛଡା ଶ୍ରୀମନ୍ଦିରରେ ଦୀପଦାନ ପାଇଁ ବ୍ୟବହୃତ ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ।

ଏଠାରେ ଉଲ୍ଲେଖନୀୟ ଯେ ଅତୀତରେ ଶ୍ରୀମନ୍ଦିର ଦାୟିତ୍ୱରେ ବରିଷ୍ଠ ପ୍ରଶାସକ ସୁରେଶଚନ୍ଦ୍ର ମହାପାତ୍ର ଥିବାବେଳେ ମନ୍ଦିରରେ ଓମଫେଡ୍‍ ଘିଅ ବ୍ୟବହାର ପାଇଁ ନିଷ୍ପତ୍ତି ନିଆଯାଇଥିଲା । ତେବେ ପରବର୍ତ୍ତୀ ସମୟରେ ଏହି ନିଷ୍ପତ୍ତିକୁ କିଏ ବଦଳାଇଲା ଏବଂ କିଭଳି ଅପମିଶ୍ରିତ ଓ ନକଲି ଘିଅ ଶ୍ରୀମନ୍ଦିରରେ ପଶିଲା ସେଥିଘେନି ପ୍ରଶ୍ନବାଚୀ ଉଠୁଛି ।

କେବଳ ଶ୍ରୀମନ୍ଦିର ନୁହେଁ, ଭୁବନେଶ୍ୱରର ଶ୍ରୀଲିଙ୍ଗରାଜ, ଅନନ୍ତ ବାସୁଦେବଙ୍କ ଠାରୁ ଆରମ୍ଭ କରି ରାଜ୍ୟର ବିଭିନ୍ନ ଅଞ୍ଚଳର ଯେତେସବୁ ଦେବା ଦେବୀଙ୍କ ମନ୍ଦିରରେ ଭକ୍ତଙ୍କ ପାଇଁ ପ୍ରସାଦ ପ୍ରସ୍ତୁତ ହେଉଛି ସେଥିରେ ବ୍ୟବହୃତ ଘିଅର ମାନ ଠିକ୍‍ ଅଛି ନା ନାହିଁ ଏବଂ ସମସ୍ତ ଧର୍ମାନୁଷ୍ଠାନରେ ଶ୍ରଦ୍ଧାଳୁମାନେ ଜାଳୁଥିବା ଦୀପର ଘିଅ ଅସଲି ନା ନକଲି ତାହାର ବି ଯାଞ୍ଚ ପାଇଁ ଦାବି ହେଉଛି ।

ପୂଜାପାଇଁ ବ୍ୟବହାର କରାଯାଉଥିବା ରାଶି ତେଲ, ଜଡା ତେଲ, ନଡିଆ ତେଲ ଆଦି ବି ନିମ୍ନମାନର ବୋଲି ଲୋକେ ଅନୁଭବ କରୁଛନ୍ତି । ଏମିତିକି ଏହି ତେଲ କେବଳ ପୂଜାପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଉଛି । ତେବେ ଏହି ତେଲ ସବୁ କେଉଁଥିରୁ ପ୍ରସ୍ତୁତ ହେଉଛି ଏବଂ ଯେଉଁମାନେ ଏହା ପ୍ରସ୍ତୁତ କରୁଛନ୍ତି ସେମାନଙ୍କର ଏଥିଲାଗି ଲାଇସେନ୍ସ ଅଛି କି ନାହିଁ ତାହା ଉପରେ ବି ପ୍ରଶ୍ନବାଚୀ ଉଠୁଛି । ମନ୍ଦିରର ଆଳତୀ ଓ ପ୍ରସାଦ ପ୍ରସ୍ତୁତ ପାଇଁ ବ୍ୟବହାର କରାଯାଉଥିବା କର୍ପୁର ବି ବହୁ କ୍ଷେତ୍ରରେ ନକଲି । ଏମିତିକି ବଜାରରେ ବୋତଲରେ ପୂରାଇ ବିକା ଯାଉଥିବା ଗଙ୍ଗାଜଳ ଠାରୁ ଆରମ୍ଭକରି ଅଗରୁ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ ବି ନିମ୍ନମାନର ରହୁଛି ।

ଏଠାରେ ଉଲ୍ଲେଖନୀୟ ଯେ ଦେବତ୍ତୋର ବିଭାଗ ନିୟନ୍ତ୍ରଣରେ ଥିବା ବହୁ ମନ୍ଦିର ଭିତରେ ପୂଜା ସାମଗ୍ରୀ ଓ ଭୋଗ ଦୋକାନମାନ ରହିଛି । ଏହି ଦୋକାନଗୁଡିକୁ ବେଶ୍‍ ଉଚ୍ଚ ଦରରେ ନିଲାମ କରାଯାଇଥାଏ । ଅଧିକାଂଶ ନିଲାମଧାରୀ ଲାଭ ଉଠାଇବାପାଇଁ ନିମ୍ନମାନର ଓ ନକଲି ପୂଜା ଓ ଭୋଗ ସାମଗ୍ରୀ ଖୋଲାଖୋଲି ଭାବେ ବିକ୍ରି କରୁଥିବାବେଳେ ଦେବତ୍ତୋର କିମ୍ବା ଅନ୍ୟ ବିଭାଗ ଏହାର ଯାଞ୍ଚ କରୁନାହାନ୍ତି । ଏମିତିକି ମହାଶିବରାତ୍ରୀରେ ଅନେକ ଶିବ ମନ୍ଦିରରେ ଉଠୁଥିବା ମହାଦୀପର ବ୍ୟବହୃତ ଘିଅ ବି କିଲୋ ୧୦୦ ଟଙ୍କା ଭିତରେ ମିଳିଯାଉଛି । ଏତେ କମ୍‍ ଦରରେ ଯେଉଁ ଘିଅ ମିଳୁଛି ତାହା କେଉଁ ସାମଗ୍ରୀରୁ କିଏ ପ୍ରସ୍ତୁତ କରୁଛି ସେକଥା ଶ୍ରଦ୍ଧାଳୁ ଭକ୍ତମାନେ ନପଚାରି ଶସ୍ତାରେ ଧର୍ମକାର୍ଯ୍ୟ କରିବାକୁ ଚାହୁଁଛନ୍ତି ।

ପୁରୀ ଖଜାର ଖ୍ୟାତି ଦେଶ ବିଦେଶରେ ରହିଛି । ତେବେ ଏହି ଖଜା ପ୍ରସ୍ତୁତିରେ ଠିକଣା ମାନର ସାମଗ୍ରୀ ବ୍ୟବହୃତ ହେଉଛି ନା ନାହିଁ ତାହାର ବି ନିୟମିତ ଯାଞ୍ଚ କରାନଗଲେ ରାଜ୍ୟର ଅସ୍ମିତା ଉପରେ ପ୍ରଶ୍ନ ଉଠିପାରେ । (ତଥ୍ୟ)