Home General ଡେଙ୍ଗୁ ମଶାର ଏନ୍ତୁଡିଶାଳ

ଡେଙ୍ଗୁ ମଶାର ଏନ୍ତୁଡିଶାଳ

ଭୁବନେଶ୍ୱର : ଡେଙ୍ଗୁ ନିୟନ୍ତ୍ରଣ ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ନାନା ଉପାୟରେ ଲୋକଙ୍କୁ ସଚେତନ କରୁଥିବାବେଳେ ସହରର ବିଭିନ୍ନ ସ୍ଥାନରେ ଦୀର୍ଘଦିନ ଧରି ପଡି ରହିଥିବା ଖୋଲା ପ୍ଲଟଗୁଡିକ ଏବେ ଡେଙ୍ଗୁ ମଶାଙ୍କ ଏନ୍ତୁଡିଶାଳ ପାଲଟିଛି । ଏହିସବୁ ଜମିରେ ବଣ ଲତା ସହିତ ମଶାବଂଶ ବୃଦ୍ଧି ପାଇଁ ସମସ୍ତ ପ୍ରକାର ଅନୁକୂଳ ପରିବେଶ ରହିଛି ।

ରାଜଧାନୀର ବିଭିନ୍ନ ଅଞ୍ଚଳରେ ଏବେ ଘର ତିଆରି ନହୋଇ ଏକାଧିକ ପ୍ଲଟ ବର୍ଷ ବର୍ଷ ଧରି ଖାଲି ପଡିଛି । ଏଠାରେ ବଣ ବୁଦା ସୃଷ୍ଟି ହେବା ସହିତ ଆଖପାଖର ଲୋକେ ନିଜ ନିଜର ଆବର୍ଜନା ସେଠାରେ ପକାଉଛନ୍ତି । ଜମିର ମାଲିକମାନେ ଅର୍ଥ ଖର୍ଚ୍ଚକରି ତାହାକୁ ସଫା କରୁନଥିବାବେଳେ ପଡୋଶୀଙ୍କ ଆବର୍ଜନାର ଏହା ଡମ୍ପିଂୟାର୍ଡ ପାଲଟିଛି । ପୁରୁଣା ଟାୟାର, ପଇଡ ଖୋଳପା ଆଦି ଫୋପାଡୁଛନ୍ତି । ଏହିସବୁ ସାମଗ୍ରୀରେ ପାଣି ଜମି ରହି ମଶାବଂଶ ବୃଦ୍ଧି ପାଉଛନ୍ତି ।

ବିଏମ୍‍ସି ପକ୍ଷରୁ ରାତି ପାହିଲେ ମାଇକ୍‍ ବଜାଇ ଲୋକଙ୍କୁ ସଚେତନ କରାଯାଉଥିବାବେଳେ ଏହି ଜମିମାଲିକମାନେ କିନ୍ତୁ ନିଦାବିଷ୍ଣୁ ସାଜିଛନ୍ତି । ଯେହେତୁ ସେହିସବୁ ପ୍ଲଟ କାହାର ସେ ସଂକ୍ରାନ୍ତରେ ଅନେକ ଅବଗତ ନାହାନ୍ତି ତେଣୁ କିଏ ଏହି ଅଳିଆକୁ ହଟାଇବା ତାହା ପ୍ରଶ୍ନବାଚୀ ହୋଇଛି । ବିଏମ୍‍ସି, ବିଡିଏ, ସାଧାରଣ ପ୍ରଶାସନ କେହି ହେଲେ ଏ ଦିଗରେ ପଦକ୍ଷେପ ନେଉ ନାହାନ୍ତି ।

ଘରଟିଏ କରିବାପାଇଁ ସାଧାରଣ ପ୍ରଶାସନ କିମ୍ବା ବିଡିଏ ପକ୍ଷରୁ ରିହାତି ଦରରେ ଯୋଗାଯାଇଥିବା ଏହିସବୁ ଜମି ଉପରେ ଘର ତିଆରି ହେଉନଥିବାବେଳେ ଜମି ମାଲିଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ହେଉନାହିଁ । ଯଦିଓ ଆଇନ୍‍ ଅନୁଯାୟୀ ଜମି ପାଇବାର ତିନି ବର୍ଷ ମଧ୍ୟରେ ତାହା ଉପରେ ଘର କରିବାର ନିୟମ ରହିଛି ହେଲେ ଅନେକ ତାହାକୁ ମାନୁ ନାହାନ୍ତି । ବହୁ ଜମି ମାଲିକଙ୍କର ରାଜଧାନୀରେ ଏକାଧିକ ପ୍ଲଟ ଥିବାରୁ ଗୋଟିଏ ଦୁଇଟିରେ ଘର କରି ଅନ୍ୟଗୁଡିକୁ ପକାଇ ରଖି ଦର କଷୁଛନ୍ତି ।

ଦେଶର ଅନ୍ୟାନ୍ୟ ବଡ ବଡ ସହରରେ ଲୋକେ ଜମି ଉପରେ ଧାର୍ଯ୍ୟ ସମୟରେ ଘର ତିଆରି ନକଲେ ମୋଟା ଅଙ୍କର ଜୋରିମାନା ଗଣିଥାନ୍ତି । ତେଣୁ ସେଠାରେ ଲୋକେ ନିଜ ପାଇଁ ବଡ ଘରଟିଏ ନକଲେ ବି ଛୋଟ ଘରଟିଏ ତୋଳି ସେଠାରେ ଲୋକଙ୍କୁ ରଖିଥାନ୍ତି । ଫଳରେ ସେହିସବୁ ସ୍ଥାନ ପରିଷ୍କାର ପରିଚ୍ଛନ୍ନ ରହିଥାଏ । ହେଲେ ରାଜ୍ୟ ରାଜଧାନୀରେ ସେହି ଆଇନ୍‍ ଅଳିଆ ଗଦାରେ । ରାଜଧାନୀର ପ୍ରମୁଖ ସ୍ଥାନରେ ଏକାଧିକ ପ୍ଲଟ ୨୦/୨୫ ବର୍ଷ ଧରି ମଶାବଣ ଅବସ୍ଥାରେ ପଡି ରହିଛି । ଏହା ଉପରେ ଜମି ମାଲିକ ଘର ତିଆରି କରୁନାହାନ୍ତି କି ସରକାର ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ଫଳରେ ସହରରେ ମଶାବଂଶ ବୃଦ୍ଧି ସହିତ ଡେଙ୍ଗୁ ବ୍ୟାପିବାର ଏହା ପ୍ରଧାନ କାରଣ ପାଲଟିଛି ।

ତେଣୁ ଲୋକଙ୍କୁ ଡେଙ୍ଗୁ ସଂକ୍ରାନ୍ତରେ ସଚେତନ କରିବା ପୂର୍ବରୁ ବିଏମ୍‍ସି ପ୍ରଥମେ ଏହି ଜଙ୍ଗଲ ପାଲଟିଥିବା ଖାଲି ପ୍ଲଟର ମାଲିକଙ୍କୁ ଚିହ୍ନଟ କରି ସାଧାରଣ ପ୍ରଶାସନ ସହାୟତାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ପଦକ୍ଷେପ ଗ୍ରହଣ କରୁ । ଏହା ହୋଇପାରିଲେ ମଶା ସହିତ ଡେଙ୍ଗୁ ସମସ୍ୟାର ଅନେକ ସମାଧାନ ହୋଇପାରିବ ବୋଲି ମତପ୍ରକାଶ ପାଉଛି । (ତଥ୍ୟ)