Home General ଶିଶୁ ଚାଲାଣ ରୋକିବାକୁ ସହଯୋଗ ଆବଶ୍ୟକ

ଶିଶୁ ଚାଲାଣ ରୋକିବାକୁ ସହଯୋଗ ଆବଶ୍ୟକ

ଭୁବନେଶ୍ୱର : ଶିଶୁ ଚାଲାଣକୁ ରୋକିବା ତଥା ସେମାନଙ୍କ ପାଇଁ ଏକ ନିରାପଦ ଓ ସୁସ୍ଥ ବାତାବରଣ ସୃଷ୍ଟି ପାଇଁ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ଵୟ ଓ ସହଯୋଗ ଆବଶ୍ୟକ ବୋଲି ଶ୍ରମ ପାଇଁ ଶିଶୁ ଚାଲାଣ ଉପରେ ଆୟୋଜିତ ଏକ ରାଜ୍ୟସ୍ତରୀୟ ପରାମର୍ଶ କର୍ମଶାଳାରେ ଯୋଗ ଦେଇ ବିଶିଷ୍ଟ ବ୍ୟକ୍ତିମାନେ ମତ ଦେଇଛନ୍ତି ।  ଏହି ପରାମର୍ଶ କର୍ମଶାଳା ପିପୁଲସ୍ କଲଚରାଲ ସେଣ୍ଟର (ପିକକ୍) ଦ୍ଵାରା ସିଆରଏସ୍ ସହଯୋଗରେ ଆୟୋଜିତ ହୋଇଥିଲା ।

ଗୋଷ୍ଠୀସ୍ତରୀୟ ଶିଶୁ ସୁରକ୍ଷା ଅନୁଷ୍ଠାନ ଓ ବ୍ୟବସ୍ଥାକୁ ମଜଭୁତ କରିବା, ସଚେତନତା, ସୁରକ୍ଷିତ ଓ ଗୁଣାତ୍ମକ ଶିକ୍ଷା, ସ୍କୁଲରେ ପିଲାଙ୍କ ଉପସ୍ଥିତିକୁ ସୁନିଶ୍ଚିତ କରିବା, ପିଲାମାନଙ୍କ ସହଭାଗୀତାକୁ ପ୍ରୋତ୍ସାହନ ଦେବା,  ଶିଶୁ ଶ୍ରମିକ ପରିବାର ତଥା ସମ୍ଭାବ୍ୟ ଶିଶୁ ଶ୍ରମିକ ପରିବାରକୁ ବିଭିନ୍ନ ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ସାମିଲ କରାଇବା ସହିତ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମରେ ଯୋଗଦାନକୁ ସୁନିଶ୍ଚିତ କରିବା, ଆଇନର ଫଳପଦ କାର୍ଯ୍ୟକାରୀ ତଥା ସମ୍ପୃକ୍ତ ବିଭିନ୍ନ ବିଭାଗ, ନାଗରିକ ସମାଜ, ସ୍ଵେଚ୍ଛାସେବୀ ଅନୁଷ୍ଠାନ ତଥା ଅନ୍ୟାନ ସମ୍ପୃକ୍ତ କର୍ମକର୍ତ୍ତା ମାନଙ୍କ ମଧ୍ୟରେ ସମନ୍ଵୟ ଉପରେ ଗୁରୁତ୍ବ ଦିଆଯାଇଥିଲା ।

ଏହି ପରାମର୍ଶ କର୍ମଶାଳା ପ୍ରଥମ ଅଧିବେଶନରେ ପୂର୍ବତନ ଶ୍ରମ କମିଶନର ତଥା ବରିଷ୍ଟ ପ୍ରଶାଶକ  ଅଶ୍ଵିନୀ ଦାସ,  ପୂର୍ବତନ ଶ୍ରମ କମିଶନର ତଥା ବରିଷ୍ଟ ପ୍ରଶାଶକ  ନିରଞ୍ଜନ ସାହୁ, ପ୍ରମୁଖ ଯୋଗଦେଇ ନିଜର ବକ୍ତବ୍ୟ ରଖିଥିଲେ । ପିକକ୍ ର ଅଧ୍ୟକ୍ଷା ଡ଼ଃ ମିନାକ୍ଷୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପ୍ରଥମ ଅଧିବେଶନରେ ପିକକ୍ ର ସମ୍ପାଦକ ରଂଜନ କୁମାର ମହାନ୍ତି, ସ୍ୱାଗତ ଭାଷଣ ଦେଇ ପରାମର୍ଶ କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।  ସିଆରଏସର ମନୋରଞ୍ଜନ ଦାଶ ମଧ୍ୟ ଏଠାରେ ନିଜର ମତ ରଖିଥିଲେ ।

ରାଜ୍ୟ ଗ୍ରାମୀଣ ବିକାଶ ସଂସ୍ଥା ତଥା ପଞ୍ଚାୟତି ରାଜା ବିଭାଗର ଉପନିର୍ଦ୍ଦେଶକ ସୁବ୍ରତ ମିଶ୍ର ପଞ୍ଚାୟତିରାଜ ସଂସ୍ଥାଗୁଡ଼ିକୁ ସଶକ୍ତିକରଣ କରି ଶିଶୁ ଅନୁକୂଳ ପଞ୍ଚାୟତ ଗଠନ ଉପରେ ନିଜର ବକ୍ତବ୍ୟ ରଖିଥିଲେ। ପିକକ୍ ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ଶ୍ରୀମତୀ ଅନୁରାଧା ମହାନ୍ତି ରାୟଗଡା ଓ ନବରଙ୍ଗପୁର ର  ଦୁଇଟି ପଞ୍ଚାୟତରେ ଚାଲିଥିବା ଏକ ପାଇଲଟ ପ୍ରୋଜେକ୍ଟ ର ଶିକ୍ଷା ଓ ସଫଳତାକୁ ଉପସ୍ଥାପନା କରିଥିଲେ । ଏଥିସହିତ ରାଜ୍ୟ ଗ୍ରାମୀଣ ବିକାଶ ସଂସ୍ଥା ତଥା ପଞ୍ଚାୟତି ରାଜା ବିଭାଗର ଉପନିର୍ଦ୍ଦେଶୀକା ଡକ୍ଟର ଅମୃତା ପାତ୍ରଙ୍କ ଅଧ୍ୟକ୍ଷତାରେ ଶ୍ରମ ପାଇଁ ଶିଶୁ ଚାଲାଣର ମୁକାବିଲା ପାଇଁ ଏକ ସ୍ଵତନ୍ତ୍ର ପ୍ୟାନେଲ ଆଲୋଚନା ମଧ୍ୟ ଅନୁଷ୍ଠିତ ହୋଇଥିଲା ।

ଏହି ପ୍ୟାନେଲରେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ସମିତିର ପ୍ରୋଗ୍ରାମ ମ୍ୟାନେଜର ପ୍ରୀତିକାନ୍ତ ପଣ୍ଡା, ପଞ୍ଚସଖା ଶିକ୍ଷା ସେତୁର ଉପନିର୍ଦ୍ଦେଶିକା ସସ୍ମିତା ମାଲି, ଓଡିଶା ପୁଲିସଙ୍କର ମହିଳା ଓ ଶିଶୁ ଅପରାଧ ବିରୋଧ ସେଲର ଡେପୁଟି ସୁପରିଟେଣ୍ଡେଣ୍ଟ ଇମାମ କଲ୍ୟାଣ ନାୟକ, ମହିଳା ଓ ଶିଶୁ ଅପରାଧ ବିରୋଧ ଶାଖାର ମାନବ ଚାଲାଣ ତଥା ନିଖୋଜ ବିଭାଗର ଅଧିକାରୀ ବନିତା ମହାରଣା, ଇଉନିସେଫର ମନ୍ନା ବିଶ୍ଵାସ  ପ୍ରମୁଖ ଯୋଗଦେଇ ବିସ୍ତୃତ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହାର ଶେଷ ଅଧିବେଶନରେ ଇଉନିସେଫ ର ଅଜୟ ସିଂ ପ୍ରମୁଖ ନିଜର ବକ୍ତ୍ୟବ ରଖିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ, ଏନଏସିଜି ଇଭାକର ରାଜ୍ୟ ସଂଯୋଜକ ପ୍ରକାଶ ରଥ, ବିରିଗୁଡା, ନବରଙ୍ଗପୁର ଶିକ୍ଷକ ସୁରେଶ କୁମାର ଦାସ, ନବରଙ୍ଗପୁର ଡେଙ୍ଗାଗୁଡା ପଞ୍ଚାୟତର ସରପଞ୍ଚ ସୁମିତ୍ରା ମାଝି, ବାଲିଅନ୍ତାର ସିଆରସିସି ତପନ କୁମାର ମହାନ୍ତି ପ୍ରମୁଖ ନିଜର ବକ୍ତବ୍ୟ ରଖିଥିଲେ । ଏହି ଆଲୋଚନାଚକ୍ର ରେ  ସରକାରୀ ଅଧିକାରୀ, ଶିକ୍ଷାବିତ୍, ଶିକ୍ଷକ, ଶିଶୁ ସୁରକ୍ଷା ସମିତିର ସଦସ୍ୟ, ସ୍ଵେଚ୍ଛାସେବୀ ସଂଗଠନ, ଡିଏଲସଏର ପ୍ରତିନିଧି, ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର କର୍ମଚାରୀ ସମେତ ପ୍ରାୟ ୬୦ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଇଥିଲେ ।  ପିକକ୍  ର ଦକ୍ଷିଣ ଜୋନ୍ ର ସଂଯୋଜକ ମନୋଜ କୁମାର ସ୍ଵାଇଁ ଧନ୍ୟବାଦ ଅର୍ପଣ କରିଥିଲେ ।  ପିକକ୍ ର ରତ୍ନା ଦାସ, ଅଳ୍ପନା ଦାସ ଏବଂ ପୂଜା ପଣ୍ଡା ପ୍ରମୁଖ କର୍ମଶାଳାକୁ ପରିଚାଳନା କରିଥିଲେ ।