ଭୁବନେଶ୍ୱର : ହସ୍ତତନ୍ତ କ୍ଷେତ୍ରରେ ନିଯୁକ୍ତି ଓ ରୋଜଗାର ବୃଦ୍ଧି ପାଇଁ ବ୍ୟାପକ ସୁଯୋଗ ରହିଥିବା ବେଳେ ତାହାର ପୂର୍ଣ୍ଣ ବିନିଯୋଗ ହୋଇପାରୁ ନାହିଁ । କପଡ଼ା ଉତ୍ପାଦନ କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହେଲେ ରାଜ୍ୟ ଅର୍ଥନୀତିରେ ବଡ଼ ପରିବର୍ତ୍ତନ ଆସିପାରିବ ବୋଲି ଅର୍ଥନୀତିଜ୍ଞମାନେ ମତବ୍ୟକ୍ତ କରୁଛନ୍ତି ।
ବର୍ଷକୁ ବର୍ଷ ଓଡ଼ିଶାରେ ହସ୍ତତନ୍ତ ସଂଖ୍ୟା କମୁଛି । ୨୦୨୧-୨୨ ବର୍ଷରେ ରାଜ୍ୟରେ ୪୨,୩୨୩ଟି ହସ୍ତତନ୍ତ ୟୁନିଟ୍ ଥିବାବେଳେ ୨୦୨୨-୨୩ବର୍ଷରେ ତାହା ବଢ଼ିବା ପରିବର୍ତ୍ତେ ୪୦,୯୦୧କୁ ଖସି ଆସିଥିବା ଓଡ଼ିଶା ସରକାରଙ୍କ ଆର୍ôଥକ ସର୍ଭେ ବିବରଣୀରୁ ଜଣାପଡିଛି । ତେବେ ହସ୍ତତନ୍ତ ସହ ସଂପୃକ୍ତ ଅନେକ ବୁଣାକାର କହୁଛନ୍ତି ଯେ ସରକାର ଯେତେ ତନ୍ତ ହିସାବ ଦେଉଛନ୍ତି ବାସ୍ତବରେ ସେଥିରୁ ଅଧିକାଂଶ ଚାଲୁ ନାହିଁ । ଅନ୍ୟପକ୍ଷରେ ଏହି ତନ୍ତଗୁଡ଼ିକରେ ୮୦ ହଜାରରୁ ଅଧିକ ଲୋକ କାମ କରୁଥିବା ଘେନି ଦାବି କରାଯାଉଛି ।
ଆର୍ଥିକ ସର୍ଭେ ରିପୋର୍ଟ ଅନୁଯାୟୀ ୨୦୨୧-୨୨ ବର୍ଷରେ ଓଡ଼ିଶାରେ ୬୮.୫ ଲକ୍ଷ ବର୍ଗ ମିଟର କପଡ଼ା ବୁଣାଯାଇଥିବା ବେଳେ ପରବର୍ତ୍ତୀ ଆର୍ଥିକ ବର୍ଷରେ ଏହାର ପରିମାଣ ୭୮.୪ଲକ୍ଷ ବର୍ଗ ମିଟରକୁ ବୃଦ୍ଧି ପାଇଥିଲା । ମୋଟାମୋଟି ଭାବେ ହସ୍ତତନ୍ତ କ୍ଷେତ୍ରରେ ୨୦୨୨-୨୩ ବର୍ଷରେ ମାତ୍ର ୩୪୮ କୋଟି ୪୧ଲକ୍ଷ ଟଙ୍କାର ପୁଞ୍ଜି ବିନିଯୋଗ ହୋଇଥିବା କୁହାଯାଉଛି । ଓଡ଼ିଶା ହସ୍ତତନ୍ତର ଚାହିଦା ରାଜ୍ୟ ଭିତରେ ଓ ବାହାରେ ରହିଛି । ତେବେ ଚାହିଦା ମୁତାବକ ହସ୍ତତନ୍ତ ସାମଗ୍ରୀ ଯୋଗା ଯାଇପାରୁ ନାହିଁ ।
ଓଡ଼ିଶାରେ ଭଲ କପା ଉତ୍ପାଦନ ହେଉଥିବା ବେଳେ ପ୍ରାୟ ସମସ୍ତ ସୂତାକଳ ବନ୍ଦ ରହିଛି । ଫଳରେ ଓଡ଼ିଶାର ବୁଣାକାରମାନେ ସେମାନଙ୍କ ହସ୍ତତନ୍ତ ୟୁନିଟ୍ ପାଇଁ ଅନ୍ୟ ରାଜ୍ୟରେ କଟାଯାଉଥିବା ସୂତା ଉପରେ ନିର୍ଭର କରୁଛନ୍ତି । ଓଡ଼ିଶା ଏବେ ପାଖାପାଖି ୭ଲକ୍ଷ କିଲୋ ସୂତା ଅନ୍ୟ ରାଜ୍ୟରୁ ଆଣୁଛି । ଏ ବାବଦରେ ପାଖାପାଖି ୭୦ କୋଟି ଟଙ୍କା ଅନ୍ୟ ରାଜ୍ୟର କଟାଳି ଓ ସେମାନଙ୍କ ସାମଗ୍ରୀର ବେପାର କରୁଥିବା ବ୍ୟବସାୟୀମାନଙ୍କ ପାଖକୁ ଯାଉଛି । ଓଡ଼ିଶାର ସୂତାକଳଗୁଡ଼ିକ କାର୍ଯ୍ୟକ୍ଷମ ହେଲେ କପା ଚାଷୀଙ୍କୁ କମ୍ ଦରରେ ସୂତା ବିକିବାକୁ ବାଧ୍ୟ କରାଯାଆନ୍ତା ନାହିଁ ଏବଂ ରାଜ୍ୟରେ ଉତ୍ପାଦିତ କପାକୁ ବ୍ୟବହାର କରି ସୂତା କଟା ଗଲେ ଏ କ୍ଷେତ୍ରରେ ମଧ୍ୟ ବ୍ୟାପକ କର୍ମ ନିଯୁକ୍ତି ସୃଷ୍ଟି କରାଯାଇପାରିବ ।
ରାଜ୍ୟରେ ପୂର୍ବରୁ ପ୍ରତିଷ୍ଠା କରାଯାଇଥିବା ଓଟିଏମ୍ ସମେତ ପ୍ରାୟ ସମସ୍ତ କଳତନ୍ତ ବନ୍ଦ ରହିଛି । ସୂତାକଳ ସହ ଲୁଗା କଳଗୁଡ଼ିକ ବନ୍ଦ ହୋଇଯିବା ଯୋଗୁ ଆଭ୍ୟନ୍ତରୀଣ ଚାହିଦା ମେଣ୍ଟାଇବା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟରୁ ବର୍ଷକୁ ପାଖାପାଖି ୪୦ ହଜାର କୋଟି ଟଙ୍କାର କପଡ଼ା ଆମଦାନି କରୁଛି । ଏମିତିକି ଖଦିବୋର୍ଡ ତତ୍ତ୍ୱାବଧାନରେ ଅଳ୍ପ କେତେକ ସ୍ଥାନରେ ଚରଖାରେ ସୂତାକଟା ଓ ତନ୍ତରେ ଖଦି କପଡ଼ା ତିଆରି ହେଉଥିଲେ ମଧ୍ୟ ଏହା ଆବଶ୍ୟକତା ଠାରୁ ଢେର କମ୍ ହେଉଥିବାରୁ ଓଡ଼ିଶା ବଜାରରେ ଉପଲବ୍ଧ ଖଦି କପଡ଼ାରୁ ଅଧିକାଂଶ ବି ଅନ୍ୟ ରାଜ୍ୟରୁ ଆସୁଛି ।
ଓନିଶାରେ ତିଆରି ହସ୍ତତନ୍ତ ସାମଗ୍ରୀ ବେଶ ଉତ୍କୃଷ୍ଟମାନର ହୋଇଥିଲେ ମଧ୍ୟ ଏହାର ପ୍ରସ୍ତୁତି ଖର୍ଚ୍ଚ ଅଧିକ ରହୁଥିବାରୁ ଦାମ୍ ବି ଅଧିକ ରହୁଛି । ଏ ପରିପ୍ରେକ୍ଷୀରେ ସମ୍ବଲପୁରୀ ଓ ଓଡ଼ିଶାର ଅନ୍ୟ ମଡେଲ୍ଗୁଡ଼ିକୁ ନକଲ କରି ମିଲ୍ ବୁଣା ଲୁଗାରେ ତାହାର ଛାପ ଦେଇ ବଜାରରେ ନକଲି ବସ୍ତ୍ର ଶସ୍ତାରେ ମିଳୁଥିବାରୁ ହସ୍ତତନ୍ତ କ୍ଷେତ୍ର ପ୍ରଭାବିତ ହେଉଛି ବୋଲି ଅନେକ ବୁଣାକାର କ୍ଷୋଭର ସହ କହୁଛନ୍ତି । ଏ ପରିପ୍ରେକ୍ଷୀରେ ନକଲି ଲୁଗାଗୁଡ଼ିକୁ ଜବତ କରି ସଂପୃକ୍ତ ସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲେ ଓଡ଼ିଶା ତିଆରି ହସ୍ତତନ୍ତ ବଜାର ସୁଦୃଢ଼ ହୋଇପାରିବ । ଓଡ଼ିଶାର ହସ୍ତତନ୍ତ କାରିଗରମାନେ ଉତ୍ତରପ୍ରଦେଶ, ଗୁଜରାଟ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର ଆଦି ବିଭିନ୍ନ ରାଜ୍ୟରେ କାମ କରି ସେଠାକାର ବୟନଶିଳ୍ପକୁ ସମୃଦ୍ଧ କରୁଥିବା ବେଳେ ପ୍ରଚୁର ସମ୍ଭାବନା ଥାଇ ମଧ୍ୟ ଓଡ଼ିଶାରେ ହସ୍ତତନ୍ତ ଶିଳ୍ପ ଢେର ପଛରେ ରହିଛି । (ତଥ୍ୟ)