Home Health ଯାଞ୍ଚ ହେଉନି ମାନ

ଯାଞ୍ଚ ହେଉନି ମାନ

ଭୁବନେଶ୍ୱର : ବାର୍ଡ ଫ୍ଲୁ ଭୟରେ କୁକୁଡା ବଜାରରେ ଏବେ କାଉ ଉଡୁଥିବାବେଳେ ମାଛ ଓ ମାଂସ ବଜାରରେ ଅସମ୍ଭବ ଭିଡ ଲାଗି ରହୁଛି । ବିକ୍ରି ଦୁଇଗୁଣାରୁ ଅଧିକ ବଢିଛି । ତେବେ ରାଜଧାନୀ ସମେତ ଅନ୍ୟାନ୍ୟ ସହରରେ ଲୋକେ କେଉଁ ମାନର ମାଛ ଓ ମାଂସ ଖାଉଛନ୍ତି ତାହାର ଯାଞ୍ଚ ପ୍ରାୟତଃ ହେଉନାହିଁ ।

ପୁରୀ ଓ କେନ୍ଦ୍ରାପଡା ଜିଲ୍ଲାର କେତେକ ଅଞ୍ଚଳରେ ବାର୍ଡ ଫ୍ଲୁ ହୋଇଥିବା ଜଣାପଡିବା ପରେ ସେହି ଅଞ୍ଚଳରେ କୁକୁଡା ମରାଯିବା ସହିତ ଲୋକଙ୍କୁ କୁକୁଡା ମାଂସ ନଖାଇବାକୁ ପରାମର୍ଶ ଦିଆଯାଇଛି । ତେବେ ଲୋକେ ଛାନିଆରେ ବାର୍ଡ ଫ୍ଲୁ ହୋଇଥିବା ଅଞ୍ଚଳ ବ୍ୟତିତ ଅନ୍ୟାନ୍ୟ ଅଞ୍ଚଳରୁ ଆସୁଥିବା କୁକୁଡା ମାଂସ କିମ୍ବା ଅଣ୍ଡାକୁ ଛୁଉଁ ନାହାନ୍ତି । ଫଳରେ ରାଜଧାନୀ ସମେତ ଉପକୂଳ ଜିଲ୍ଲାର ବିଭିନ୍ନ ସ୍ଥାନରେ କୁକୁଡାମାଂସ ଦୋକାନରେ ତାଲା ଝୁଲିଲାଣି ।

କୁକୁଡା ମାଂସ ବଜାରରେ ମଡକ ସ୍ଥିତି ଥିବାବେଳେ ଲୋକେ ମାଛ ଓ ଖାସିମାଂସ ବଜାର ମୁହାଁ ହୋଇଛନ୍ତି । ଏଥିପାଇଁ ରାଜଧାନୀର ମାଛ ହାଟଗୁଡିକରେ ବେପାର ବଢିଛି । ଆନ୍ଧ୍ର ସମେତ ବିଭିନ୍ନ ସ୍ଥାନରୁ ଅଧିକରୁ ଅଧିକ ମାଛ ରାଜଧାନୀ ବଜାରକୁ ଆସୁଛି । ତେବେ ଏହିସବୁ ମାଛ କେଉଁ ପରିବେଶରେ ବିକ୍ରି ହେଉଛି ତାହାକୁ କେହି ଦେଖୁନାହାନ୍ତି । ଖାଦ୍ୟ ସୁରକ୍ଷା ଅଧିକାରୀମାନେ ଏଥିପ୍ରତି ଏକ ପ୍ରକାର ଆଖିବୁଜି ଦେଇଛନ୍ତି । କାରଣ ରାଜଧାନୀର ପ୍ରମୁଖ ମାଛ ବଜାରରେ ନାଳ ନର୍ଦ୍ଦମା ଉପରେ ଅତ୍ୟନ୍ତ ଅପରିଷ୍କାର ପରିବେଶରେ ମାଛ ବିକ୍ରି ହେଉଛି । ପୂର୍ତ୍ତି ଗନ୍ଧମୟ ପରିବେଶରେ ବିକ୍ରି ହେଉଥିବା ମାଛକୁ ଲୋକେ କିଣି ନେଉଛନ୍ତି ।

ସେହିଭଳି ଲୋକଙ୍କ ଚାହିଦାକୁ ଦେଖି ପଚା ସଢା ମାଛକୁ ବି ବ୍ୟବସାୟୀମାନେ ସୁଯୋଗ ଦେଖି ବିକ୍ରି କରୁଛନ୍ତି । ଯାହା ହାଟରେ ବିକ୍ରି ନହେଉଛି ତାହାକୁ ହୋଟେଲ ବ୍ୟବସାୟୀଙ୍କୁ ଧରାଉଛନ୍ତି । ତେବେ ରାଜଧାନୀ ହାଟରେ କେଉଁ ମାନର ମାଛ ବିକ୍ରି ହେଉଛି ତାହାର ଯାଞ୍ଚ ହେଉନାହିଁ । ଖାଦ୍ୟ ସୁରକ୍ଷା ଅଧିକାରୀଙ୍କ ଭଳି ମାପଓଜନ ଅଧିକାରୀମାନଙ୍କର ପାଦ ବି ହାଟରେ ପଡୁନାହିଁ । ତେଣୁ ମାଛ ବ୍ୟବସାୟୀମାନେ ଓଜନରେ ବି ଲୋକଙ୍କୁ ଠକୁଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି ।

ସେହିଭଳି ଏବେ ଖାସିମାଂସର ଚାହିଦା ବଢିଥିବାବେଳେ ମାଛ ଭଳି ଖାସିମାଂସ ବି ଅତ୍ୟନ୍ତ ପୂତ୍ତିଗନ୍ଧମୟ ପରିବେଶରେ ବିକ୍ରି ହେଉଛି । ନାଳ ନର୍ଦ୍ଦମା ଉପରେ ଖୋଲାଖୋଲି ଭାବେ ସର୍ବସମ୍ମୁଖରେ ଛେଳି କଟାଯାଉଛି । ବିଏମ୍‍ସିର ନାଲିଆଖି ପରେ କିଛିଦିନ ଲୋକଙ୍କ ଆଢୁଆଳରେ ଛେଳି କଟା ହେଉଥିବାବେଳେ ଏବେ ଏହାକୁ ଆଉ କେହି ମାନୁ ନାହାନ୍ତି ।

ସେହିଭଳି ରାଜଧାନୀରେ ନିର୍ଦ୍ଦିଷ୍ଟ ମାଂସ ବଜାର ନଥିବାରୁ କିମ୍ବା କଂସେଇଖାନାଟିଏ ନଥିବାରୁ ଯିଏ ଯେଉଁ ପାରୁଛି ତିନି ଖଣ୍ଡ ବାଉଁଶ ପୋତି ମାଂସ ଦୋକାନ ଖୋଲୁଛି । ବିଦ୍ୟାଳୟ ପାଶ୍ୱର୍ ଏପରିକି ଖୋଦ ବିଏମ୍‍ସି ମୁଖ୍ୟ ଦପ୍ତର ଆଖପାଖରେ ରାସ୍ତାକଡରେ ମାଂସ ଦୋକାନ ଖୋଲିଥିବାବେଳେ ଏହା ଉପରେ କଟକଣା ଲାଗୁନାହିଁ । ନିୟମିତ ଭାବେ ମାଂସର ମାନ ଯାଞ୍ଚ ହେଉନଥିବାରୁ ରାଜ୍ୟର ବିଭିନ୍ନ ସ୍ଥାନ ଏପରିକି ଅନ୍ୟ ରାଜ୍ୟରୁ ଭଲ ଛେଳି ସହିତ କିଛି ରୋଗୀଣା ଛେଳି, ମେଣ୍ଢା ଆଦିକୁ ମିଶାଇ ବିକ୍ରି ହେଉଛି ।

ରାଜ୍ୟରେ ବାର୍ଡ ଫ୍ଲୁ ଅଛି କି ଗଲାଣି, କୁକୁଡା ମାଂସ ଏବେ ସୁରକ୍ଷିତ କି ନୁହେଁ, ସେ ନେଇ ସରକାରୀ ସ୍ତରରେ କୌଣସି ସୂଚନା ଦିଆଯାଉନଥିବାବେଳେ ଏହାର ଫାଇଦା ଉଠାଇ ଏବେ ମାଛ ଓ ମାଂସ ଦୋକାନୀମାନେ ଦର ବଢାଇବା ସହିତ ପୂତ୍ତିଗନ୍ଧମୟ ପରିବେଶରେ ମାଛ ମାଂସ ବିକ୍ରି କରୁଛନ୍ତି । ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି । (ତଥ୍ୟ)