Home Judiciary ଜବରଦଖଲ ପାଇଁ ୧୪ଲକ୍ଷ ମାମଲା

ଜବରଦଖଲ ପାଇଁ ୧୪ଲକ୍ଷ ମାମଲା


ଭୁବନେଶ୍ୱର : ଜମି ଜବରଦଖଲକାରୀମାନେ ଏବେ ସହର ଠାରୁ ଆରମ୍ଭ କରି ଗାଁ ପର୍ଯ୍ୟନ୍ତ ସବୁଆଡେ ସରକାରୀ ଜମି ଉପରେ ଲୋଲୁପଦୃଷ୍ଟି ପକାଇବାରେ ଲାଗିଛନ୍ତି । ଏମାନଙ୍କ ପାଇଁ ସରକାରଙ୍କ ଉପରେ ମାମଲା ବୋଝ ବଢିବା ସହିତ ବର୍ଷକୁ ହାରାହାରି ଭାବେ ଏକ ଲକ୍ଷରୁ ଅଧିକ ମାମଲା ରୁଜୁ ହେଉଛି ।

ଜମି ମାଫିଆମାନେ ଏବେ ସରକାରୀ ଜମି ଜବରଦଖଲ ପାଇଁ ଲାଗି ପଡିଛନ୍ତି । ଏମାନଙ୍କ କବଳରୁ ସରକାରୀ ଜମିକୁ ମୁକୁଳାଇବାପାଇଁ ଗତ ୧୦ବର୍ଷ ଭିତରେ ୧୪ଲକ୍ଷରୁ ଅଧିକ ମାମଲା ରୁଜୁ ହୋଇଛି । ଯଦିଓ ସରକାର ମାମଲା ଲଢି ୧୩ଲକ୍ଷ ମାମଲା ଫଏସଲା କରିଛନ୍ତି କିନ୍ତୁ ଏ ବାବଦରେ ରାଜକୋଷରୁ ଅର୍ଥ ଶ୍ରାଦ୍ଧ ହେବାରେ ଲାଗିଛି ।

ସରକାରୀ ଜମି ଜବରଦଖଲର ଏନ୍ତୁଡିଶାଳ ପାଲଟିଛି ମୟୁରଭଞ୍ଜ ଓ ନବରଙ୍ଗପୁର ଜିଲ୍ଲା । ଏହି ଦୁଇ ଜିଲ୍ଲାରେ ଏକ ଲକ୍ଷ କରି ଅଧିକ ଜମି ଜବରଦଖଲ ମାମଲା ରୁଜୁ ହୋଇଛି । ଏହାଛଡା ଆଦିବାସୀ ଅଧ୍ୟୁଷିତ ମାଲକାନଗିରି, କଳାହାଣ୍ଡି ଓ ସୁନ୍ଦରଗଡ ଭଳି ଜିଲ୍ଲାରେ ସରକାରୀ ଜମି ଜବରଦଖଲ ମାମଲା ବି କିଛି କମ୍‍ ନୁହେଁ । ଏହିସବୁ ଜିଲ୍ଲାରେ ୮୦ହଜାରରୁ ଅଧିକ କରି ମାମଲା ରୁଜୁ ହୋଇଛି ।

ସବୁଠାରୁ କମ୍‍ ମାମଲା ରହିଛି ଖୋରଧା ଜିଲ୍ଲାରେ । ଏଠାରେ ୧୦ହଜାରରୁ ସାମାନ୍ୟ ଅଧିକ ଜବରଦଖଲ ମାମଲା ରୁଜୁ ଦର୍ଶାଯାଉଥିବାବେଳେ ଏଥିରୁ ଅଧିକାଂଶ ହେଉଛି ରାଜ୍ୟ ରାଜଧାନୀରେ । ରାଜଧାନୀରେ ଥିବା ମୂଲ୍ୟବାନ ଜମି ଉପରେ ଜବରଦଖଲକାରୀମାନେ ଲୋଲୁପ ଦୃଷ୍ଟି ପକାଇଛନ୍ତି । ସଚିବାଳୟ ଆଖପାଖ ଠାରୁ ଆରମ୍ଭକରି ସହରତଳି ଅଞ୍ଚଳରେ ସାଧାରଣ ପ୍ରଶାସନ ବିଭାଗ, ହାଉସିଂବୋର୍ଡ, ବିଡିଏ, ଖଦି ବୋର୍ଡ ଆଦି ସରକାରୀ ବିଭାଗ ଓ ସଂସ୍ଥାର ଜମିକୁ ରାତାରାତି ଜବରଦଖଲ କରିବା ସହିତ ବିକ୍ରି ମଧ୍ୟ କରିଦେଉଛନ୍ତି ।

ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ଜମି ଜବରଦଖଲକାରୀମାନେ ଅତ୍ୟନ୍ତ ସୁଚିନ୍ତିତ ଢଙ୍ଗରେ ସରକାରୀ ଜମିକୁ ମାଡି ବସୁଛନ୍ତି । ପ୍ରଥମେ ଜମିକୁ ଘେରାଇବା ସହିତ ସେଠାରେ ଧିରେ ଧିରେ ବସ୍ତି କରୁଛନ୍ତି । ପରେ ସେହି ଜମିକୁ ଅନ୍ୟ ଲୋକଙ୍କୁ ବିକ୍ରି କରୁଛନ୍ତି । ଯେଉଁମାନଙ୍କୁ ଜମି ବିକ୍ରି କରୁଛନ୍ତି ସେମାନଙ୍କୁ ଘର କରିବା ଠାରୁ ବିଦ୍ୟୁତ୍‍ ଓ ଜଳ ଯୋଗାଣ ନେଇ ସବୁ ପ୍ରକାର ଆଶ୍ୱାସନା ଦେଉଛନ୍ତି । ଏହାଛଡା ସରକାର ଜବରଦଖଲ ହଟାଇବାକୁ ଆସିଲେ ପ୍ରତିବାଦ ପାଇଁ ସବୁ ବ୍ୟବସ୍ଥା କରୁଛନ୍ତି । ଫଳରେ ସରକାରୀ ଜମିକୁ ମାଫିଆମାନେ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି କରୁଛନ୍ତି ।

ଜମି ଜବରଦଖଲକାରୀମାନେ ଅନେକ ସ୍ଥାନରେ ସରକାରୀ ଜମି ଉପରେ ଘର କିମ୍ବା ଦୋକାନଘର କରି ଭଡାରେ ଲଗାଇ ଦେଉଛନ୍ତି । ସେହି ଭଡା ଟଙ୍କାରେ ମାମଲା ଲଢୁଥିବାବେଳେ ଜମି ମୁକୁଳାଇବାପାଇଁ ସରକାର କିନ୍ତୁ ରାଜକୋଷ ଅର୍ଥରେ ଲଢୁଛନ୍ତି । ତେବେ ଜବରଦଖଲ ହୋଇଥିବା ସରକାରୀ ଜମିକୁ ମୁକୁଳାଇବାପାଇଁ ଖୋଦ୍‍ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବାପରେ ସାରା ରାଜ୍ୟରେ ଜବରଦଖଲକାରୀମାନେ ଏବେ ଛାନିଆ ହୋଇଥିବା ଲକ୍ଷ୍ୟ କରାଯାଇଛି । (ତଥ୍ୟ)