Home Health ଆରମ୍ଭ ହେବ ଚିକିତ୍ସା ଶିକ୍ଷାରେ ପିଏଚ୍‌ଡି

ଆରମ୍ଭ ହେବ ଚିକିତ୍ସା ଶିକ୍ଷାରେ ପିଏଚ୍‌ଡି

ଭୁବନେଶ୍ୱର : ସରକାରଙ୍କ ୧୦୦ ଦିନ ପୂର୍ତ୍ତି ଅବସରରେ ଓଡ଼ିଶାର ଚିକିତ୍ସା ଶିକ୍ଷା, ଗବେଷଣା ଓ ଆରୋଗ୍ୟ କ୍ଷେତ୍ରରେ ବ୍ୟାପକ ଉନ୍ନତି ଆଣିବା ପାଇଁ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ଜାତୀୟ ଓ ଅନ୍ତର୍ଜାତୀୟ ସଂସ୍ଥାମାନଙ୍କ ସହ ରାଜିନାମା ସ୍ୱାକ୍ଷର କରିଛି ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ପ୍ରକାଶ କରିଛନ୍ତି ।

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟଠାରେ ଆୟୋଜିତ ଅନୁବନ୍ଧ ସ୍ୱାକ୍ଷର ଉତ୍ସବରେ ମନ୍ତ୍ରୀ ଡ. ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଡିଜିଟାଲ ସ୍ୱାସ୍ଥ୍ୟସେବା ମିଶନକୁ ରାଜ୍ୟ ସରକାର ତୃଣମୂଳ ସ୍ତରରେ ପହଞ୍ଚାଇବା ପାଇଁ ବଦ୍ଧ ପରିକର । ରାଜ୍ୟର ସମସ୍ତ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା ସହ ଖୁବ୍‌ଶୀଘ୍ର ତାଳଚେର ଓ କନ୍ଧମାଳ ମେଡ଼ିକାଲ କଲେଜକୁ କାର୍ଯ୍ୟକ୍ଷମ କରାଯିବ ବୋଲି ସେ କହିଛନ୍ତି ।

ଓଡ଼ିଶା ସରକାର ପ୍ରଥମ ଥର ପାଇଁ ରାଜ୍ୟର ଡାକ୍ତରୀ ଛାତ୍ରଛାତ୍ରୀମାନଙ୍କ ପାଇଁ ପିଏଚ୍‌ଡ଼ି ପାଠ୍ୟକ୍ରମର ଶୁଭାରମ୍ଭ କରିବାକୁ ଯାଉଛନ୍ତି । ଏହା ସରକାରଙ୍କ ଏକ ବଡ଼ ଉପଲବ୍ଧି ବୋଲି ମନ୍ତ୍ରୀ ଡ. ମହାଲିଙ୍ଗ କହିଛନ୍ତି ।

ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ମନ୍ତ୍ରୀ ଡ. ମହାଲିଙ୍ଗଙ୍କ ଉପସ୍ଥିତିରେ ଏମସ୍‌, ଭୁବନେଶ୍ୱର, ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ, ଆଇଆଇଟି, ଭୁବନେଶ୍ୱର ଏବଂ ଜାଭିୟର୍‌ ଇନ୍‌ଷ୍ଟିଟ୍ୟୁଟ ଅଫ୍‌ ମ୍ୟାନେଜ୍‌ମେଣ୍ଟ, ଭୁବନେଶ୍ୱର ସହ ସ୍ୱାସ୍ଥ୍ୟସେବା ଶିକ୍ଷା, ଗବେଷଣା ଓ ପରିଚାଳନା କ୍ଷେତ୍ରରେ ଉନ୍ନତି ଆଣିବା ପାଇଁ ଅନୁବନ୍ଧ ସ୍ୱାକ୍ଷର କରିଥିବାବେଳେ ପିଜି ଆଇଏମ୍‌ଇଆର୍‌, ଚଣ୍ଡୀଗଡ଼, ଜିପ୍‌ମର, ପଣ୍ଡିଚେରୀ, ଏସ୍‌ଜିପିଜିଆଇ, ଲକ୍ଷ୍ନୌ, ଏଆଇଜି, ହାଇଦ୍ରାବାଦ ଏବଂ ନାଇଜର, ଭୁବନେଶ୍ୱର ସହିତ ଅନୁବନ୍ଧ ସ୍ୱାକ୍ଷର କରିବାକୁ ଯାଉଛି ।

ସେହିପରି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ବିଶ୍ୱର ଖ୍ୟାତନାମା ଶିକ୍ଷାବିତ୍‌ ଯଥା ବ୍ରାଜିଲ୍‌ର ପ୍ରଫେସର ଡାକ୍ତର ରୁସ୍ତାଭୋ କାର୍‌ଭାଲୋ, ନୂଆଦିଲ୍ଲୀସ୍ଥିତ ମେଦାନ୍ତା ହସ୍‌ପିଟାଲ୍‌ର ପ୍ରଫେସର ଡାକ୍ତର ଆଦର୍ଶ ଚୌଧୁରୀ, ନୂଆଦିଲ୍ଲୀସ୍ଥିତ ଜିବି ପନ୍ଥ ହସ୍‌ପିଟାଲ୍‌ର ପ୍ରଫେସର ଡାକ୍ତର ଅନୀଲ ଅଗ୍ରୱାଲ୍‌, ପଣ୍ଡିଚେରୀସ୍ଥିତ ଜିପ୍‌ମରର ପ୍ରଫେସର ଡାକ୍ତର ବିକ୍ରମ କେଟେ, ବିଶାଖାପାଟଣାସ୍ଥିତ ଜିଟିଏମ୍‌ର ପ୍ରଫେସର ଡାକ୍ତର ଗୀତାଞ୍ଜଳି ବାଡ୍‌ମାନାବନେ, ଜର୍ମାନୀର ପ୍ରଫେସର ଡାକ୍ତର ଯୋଗେଶ ବାଶିଷ୍ଟଙ୍କ ସହ ଅନୁବନ୍ଧ ସ୍ୱାକ୍ଷର କରିବାକୁ ଯାଉଛି ।

ରାଜିନାମା ସ୍ୱାକ୍ଷର ହେବା ପରେ ଛାତ୍ରମାନଙ୍କ ଶିକ୍ଷାର ଗୁଣାତ୍ମକ ବିକାଶ ଓ ଗବେଷଣା କ୍ଷେତ୍ରରେ ବ୍ୟାପକ ଉନ୍ନତି ଆସିପାରିବ । ତା’ସହ ସଂଯୁକ୍ତ ସମନ୍ୱିତ ଅଧ୍ୟୟନ, ଶିକ୍ଷକ ଓ ଛାତ୍ରମାନଙ୍କ ମଧ୍ୟରେ ଜ୍ଞାନର ଆଦାନପ୍ରଦାନ, ସଂଯୁକ୍ତ ଶିକ୍ଷା କାର୍ଯ୍ୟକ୍ରମ ଏବଂ ପରିଚାଳନା ସଂପର୍କିତ କାର୍ଯ୍ୟକ୍ରମ କରାଯିବ । ଏହା ଦ୍ୱାରା ରାଜ୍ୟର ସ୍ୱାସ୍ଥ୍ୟଶିକ୍ଷା ଓ ଗବେଷଣା କ୍ଷେତ୍ରରେ ନୂଆ ଅଧ୍ୟାୟ ଆରମ୍ଭ ହେବ ବୋଲି ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡାକ୍ତର ମାନସ ରଞ୍ଜନ ସାହୁ ଆଶାବ୍ୟକ୍ତ କରିଛନ୍ତି ।