Home Health ମେଡିକାଲ କଲେଜରେ ୧୦୦୦ ପଦବୀ ଖାଲି

ମେଡିକାଲ କଲେଜରେ ୧୦୦୦ ପଦବୀ ଖାଲି

ଭୁବନେଶ୍ୱର : ଓଡ଼ିଶା ସରକାରଙ୍କ ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ପାଖାପାଖି ୧୦୦୦ ପର୍ଯ୍ୟନ୍ତ ଡାକ୍ତରୀ ଶିକ୍ଷକ ଓ ଅନ୍ୟ ଡାକ୍ତର ପଦବୀ ଖାଲି ପଡିଛି । ଏଥିଯୋଗୁ ସ୍ୱାସ୍ଥ୍ୟସେବା ଗୁରୁତର ଭାବେ ବ୍ୟାହତ ହେଉଥିବା ବେଳେ ମେଡିକାଲ୍‍ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ଗବେଷଣା କାର୍ଯ୍ୟରେ ବି ସମସ୍ୟା ଉପୁଜୁଛି ।

କଟକ, ବ୍ରହ୍ମପୁର, ସମ୍ବଲପୁର, କୋରାପୁଟ, ବାରିପଦା, ବାଲେଶ୍ୱର, ବଲାଙ୍ଗୀର, ପୁରୀ, କେନ୍ଦୁଝର, ସୁନ୍ଦରଗଡ଼, ଭୁବନେଶ୍ୱର, କଳାହାଣ୍ଡି, ଯାଜପୁର ଆଦି ସ୍ଥାନରେ ଓଡ଼ିଶା ସରକାର ଅନ୍ୟୁନ ୧୩ଟି ମେଡିକାଲ୍‍ କଲେଜ୍‍ ସ୍ଥାପନ କରିଛନ୍ତି । ଏହି ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ଅନ୍ୟୁନ ୮୩ଟି ପ୍ରଫେସର, ୧୮୫ଟି ସହଯୋଗୀ ପ୍ରଫେସର ଓ ୧୪୮ଟି ସହକାରୀ ପ୍ରଫେସର ପଦବୀକୁ ମିଶାଇ ମୋଟ ୪୧୬ଟି ପଦବୀ ଖାଲି ପଡିଛି । ଏହାଛଡ଼ା ଏହି ମେଡିକାଲ୍‍ କଲେଜ୍‍ଗୁଡ଼ିକରେ ୬୮ଟି ଟ୍ୟୁଟର୍‍, ୪୨୯ଟି ସିନିଅର ରେସିଡେଣ୍ଟ ଓ ୬୦ଟି ଜୁନିଅର ରେସିଡେଣ୍ଟ ପଦବୀ ମଧ୍ୟ ଖାଲି ରହିଛି ।

ରାଜ୍ୟର ସର୍ବପୁରାତନ ମେଡିକାଲ୍‍ କଲେଜ୍‍ କଟକରେ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ୍‍ କଲେଜ୍‍ ଓ ହସ୍ପିଟାଲ ପାଇଁ ୬୪ଟି ମଞ୍ଜୁରୀପ୍ରାପ୍ତ ପ୍ରଫେସର ପଦବୀ ଥିବାବେଳେ ସେଥିରୁ ୯ଟି ଖାଲି ପଡିଛି । ସେହିପରି ଏଠାରେ ୧୦୭ଟି ସହଯୋଗୀ ପ୍ରଫେସର ପଦବୀ ଭିତରୁ ୪୭ଟି ଓ ୨୩୭ଟି ସହକାରୀ ପ୍ରଫେସର ପଦବୀରୁ ୧୨ଟି ଖାଲି ରହିଛି । ଏହି ମେଡିକାଲ୍‍ କଲେଜ୍‍ରେ ୩୯ଟି ଟ୍ୟୁଟର୍‍ ଓ ୧୧୨ଟି ସିନିଅର ରେସିଡେଣ୍ଟ ପଦବୀ ମଧ୍ୟ ଖାଲି ପଡିଛି ।

ବୁର୍ଲାସ୍ଥିତ ଭିମ୍‍ସାର୍‍ରେ ୧୩ଟି ପ୍ରଫେସର, ୧୫ଟି ସହଯୋଗୀ ପ୍ରଫେସର, ୪୫ଟି ସହକାରୀ ପ୍ରଫେସର, ୨୫ଟି ଟ୍ୟୁଟର୍‍, ୬୮ଟି ସିନିଅର ରେସିଡେଣ୍ଟ ପଦବୀ ଖାଲି ପଡିଥିବା ବେଳେ ବ୍ରହ୍ମପୁରର ଏମ୍‍କେସିଜି ମେଡିକାଲ୍‍ କଲେଜ୍‍ ଓ ହସ୍ପିଟାଲରେ ୮ଟି ପ୍ରଫେସର, ୨୬ଟି ସହଯୋଗୀ ପ୍ରଫେସର, ୨୨ଟି ସହକାରୀ ପ୍ରଫେସର, ୮ଟି ଟ୍ୟୁଟର୍‍, ୭୨ଟି ସିନିଅର ରେସିଡେଣ୍ଟ ଓ ୮ଟି ଜୁନିଅର ରେସିଡେଣ୍ଟ ପଦବୀ ଖାଲିପଡିଥିବା ସରକାରୀ ସୂତ୍ରରୁ ଜଣାପଡିଛି ।

କୋରାପୁଟର ସହିଦ ଲକ୍ଷ୍ମୀଣ ନାଏକ ମେଡିକାଲ୍‍ କଲେଜ୍‍ ହସ୍ପିଟାଲରେ ୩ଟି ପ୍ରଫେସର, ୧୦ଟି ସହଯୋଗୀ ପ୍ରଫେସର, ୬ଟି ସହକାରୀ ପ୍ରଫେସର, ୪ଟି ଟ୍ୟୁଟର୍‍, ୧୭ ସିନିଅର ରେସିଡେଣ୍ଟ ଓ ୪ଟି ଜୁନିଅର ରେସିଡେଣ୍ଟ ପଦବୀ ମଧ୍ୟ ଖାଲି ରହିଛି । ବାରିପଦା ମେଡିକାଲ୍‍ କଲେଜ୍‍ରେ ୨୩ଟି ମେଡିକାଲ୍‍ ଶିକ୍ଷକ ପଦବୀ ଖାଲି ପଡିଥିବା ବେଳେ ୨୦ଟି ସିନିଅର ରେସିଡେଣ୍ଟ ପଦବୀ ମଧ୍ୟ ପୂରଣ ହୋଇପାରୁ ନାହିଁ । ବାଲେଶ୍ୱରର ମେଡିକାଲ୍‍ କଲେଜ୍‍ର ବି ୨୦ଟି ଡାକ୍ତରୀ ଶିକ୍ଷକ ପଦବୀ ସହିତ ୧୭ଟି ରେସିଡେଣ୍ଟ ପଦବୀ ଖାଲି ପଡିଛି । ବଲାଙ୍ଗୀର ମେଡିକାଲ୍‍ କଲେଜ୍‍ରେ ୨୩ଟି ମେଡିକାଲ ଶିକ୍ଷକ ପଦବୀ ସହିତ ୧୭ଟି ରେସିଡେଣ୍ଟ ପଦବୀ ମଧ୍ୟ ଖାଲି ଅଛି ।

ପୁରୀର ଶ୍ରୀଜଗନ୍ନାଥ ମେଡିକାଲ୍‍ କଲେଜ୍‍ ହସ୍ପିଟାଲରେ ୨୩ଟି ଶିକ୍ଷକ ପଦବୀ ସହ ୪୦ଟି ରେସିଡେଣ୍ଟ ପଦବୀ ମଧ୍ୟ ଖାଲି ରହିଛି । ସେହିପରି କେନ୍ଦୁଝର ମେଡିକାଲ୍‍ କଲେଜ୍‍ ହସ୍ପିଟାଲରେ ୨୬ଟି ଶିକ୍ଷକ ପଦବୀ ଓ ୧୮ଟି ରେସିଡେଣ୍ଟ ପଦବୀ ମଧ୍ୟ ପୂରଣ ହୋଇପାରୁ ନାହିଁ । ସୁନ୍ଦରଗଡ଼ ମେଡିକାଲ୍‍ କଲେଜ୍‍ରେ ୨୭ଟି ଡାକ୍ତରୀ ଶିକ୍ଷକ ଓ ୧୯ଟି ରେସିଡେଣ୍ଟ ପଦବୀ ମଧ୍ୟ ଖାଲି । ଭୁବନେଶ୍ୱର କ୍ୟାପିଟାଲ୍‍ ହସ୍ପିଟାଲରେ ଖୋଲା ଯାଇଥିବା ସ୍ନାତକୋତ୍ତର ମେଡିକାଲ୍‍ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନରେ ୩୨ଟି ଶିକ୍ଷକ ପଦବୀ ସହିତ ୩୨ଟି ରେସିଡେଣ୍ଟ ପଦବୀ ମଧ୍ୟ ଗତ ଜୁଲାଇ ମାସ ସୁଦ୍ଧା ଖାଲି ପଡିଥିଲା । କଳାହାଣ୍ଡି ସରକାରୀ ମେଡିକାଲ କଲେଜ୍‍ ହସ୍ପିଟାଲରେ ୨୪ଟି ଶିକ୍ଷକ ପଦବୀ ଓ ୧୯ଟି ରେସିଡେଣ୍ଟ ପଦବୀ ମଧ୍ୟ ଖାଲି । ଯାଜପୁର ମେଡିକାଲ୍‍ କଲେଜ୍‍ ହସ୍ପିଟାଲରେ ବି ୨୯ଟି ଶିକ୍ଷକ ପଦବୀ ଓ ୨୫ଟି ରେସିଡେଣ୍ଟ ପଦବୀ ଖାଲି ରହିଛି ।

ଏହାଛଡ଼ା ରାଜ୍ୟରେ ଥିବା ୭ଟି ସରକାରୀ ହୋମିଓପ୍ୟାଥିକ ଓ ଆୟୁର୍ବେଦିକ ମେଡିକାଲ୍‍ କଲେଜ୍‍ରେ ବି ମାଳ ମାଳ ଡାକ୍ତରୀ ଶିକ୍ଷକ ପଦବୀ ଖାଲି ରହିଛି । ଉଚ୍ଚମାନର ଡାକ୍ତରୀ ଶିକ୍ଷା, ଗବେଷଣା ଏବଂ ସରକାରୀ ଡାକ୍ତରଖାନାଗୁଡ଼ିକରେ ରୋଗୀ ସେବା ପାଇଁ ରାଜ୍ୟ ସରକାର ଅଗ୍ରାଧିକାର ଭିତ୍ତିରେ ଖାଲି ଥିବା ପଦବୀଗୁଡ଼ିକ ପୂରଣ କରିବା ସହିତ ରୋଗୀ ସଂଖ୍ୟାକୁ ଆଖି ଆଗରେ ରଖି ଅଧିକ ପଦବୀ ସୃଷ୍ଟି କରିବା ପାଇଁ ଦାବି ହେଉଛି । ଏଠାରେ ଉଲ୍ଲେଖନୀୟ ଯେ ଆମ ରାଜ୍ୟର ମେଡିକାଲ୍‍ କଲେଜ୍‍ ହସ୍ପିଟାଲଗୁଡ଼ିକରେ ଯେତେ ଡାକ୍ତରୀ ଶିକ୍ଷକ ଅଛନ୍ତି ବୋଲି କୁହାଯାଉଛି, ସେଥିରୁ କେତେକ ଠିକା, ଅସ୍ଥାୟୀ ଓ ଡେପୁଟେସନ୍‍ ଭିତ୍ତିରେ ମଧ୍ୟ ପୂରଣ କରାଯାଇଛି । (ତଥ୍ୟ)