Home Forest ଆସିବେ ଅନେକ ନୂଆ ଅତିଥି

ଆସିବେ ଅନେକ ନୂଆ ଅତିଥି

ଭୁବନେଶ୍ୱର: ନନ୍ଦନକାନନରେ ଏବେ ୪୨୫୮ ଟି ବନ୍ୟପ୍ରାଣୀ ଥିବାବେଳେ ଆଗାମୀ ଦିନରେ ବିଭିନ୍ନ ଚିଡିଆଖାନାରୁ ନୂଆ ନୂଆ କିସମର ବନ୍ୟପ୍ରାଣୀ ଆଣିବାର ଯୋଜନା ରହିଛି । ନୂଆ ଅତିଥିଙ୍କ ତାଲିକାରେ ବନେଟ ମାଙ୍କଡ ଓ ଶଙ୍ଖଚିଲ ଆଦି ରହିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ନନ୍ଦନକାନନରେ ଏବେ ୧୬୯ ପ୍ରଜାତିର ୪୨୫୮ଟି ବନ୍ୟପ୍ରାଣୀ ରହିଛନ୍ତି । ଏମାନଙ୍କ ମଧ୍ୟରୁ ୭୯ପ୍ରଜାତିର ୧୮୪୮ଟି ପକ୍ଷୀ, ୫୪ ପ୍ରଜାତିର ୨୦୧୮ଟି ସ୍ତନ୍ୟପାୟୀ, ୩୦ପ୍ରଜାତିର ୩୭୧ଟି ସରୀସୃପ ଓ ୬ ପ୍ରଜାତିର ୨୧ଟି ଉଭୟଚର ପ୍ରାଣୀ ରହିଛନ୍ତି ।

ନନ୍ଦନକାନନ ପ୍ରତି ଲୋକଙ୍କ ବଢୁଥିବା ଆଗ୍ରହକୁ ଦୃଷ୍ଟିରେ ରଖି ଦେଶର ଅନ୍ୟାନ୍ୟ ଚିଡିଆଖାନାରୁ ନୂଆ ନୂଆ ପ୍ରଜାତିର ବନ୍ୟପ୍ରାଣୀ ଆଣିବାର ଯୋଜନା ରହିଛି । ଇତି ମଧ୍ୟରେ ନନ୍ଦନକାନନରେ ଏକାକୀ ରହୁଥିବା ଜିରାଫ ପାଇଁ ଆଉ ଦୁଇ ନୂଆ ସାଥୀ ଆସିଛନ୍ତି । ଆଗମାୀ ଦିନରେ ଅଣାଯିବାକୁ ଥିବା ବନ୍ୟପ୍ରାଣୀଙ୍କ ମଧ୍ୟରେ ମାଙ୍ଗାଲୁର ସ୍ଥିତି ପିଲିକୁଲା ଜୈବ ଉଦ୍ୟାନରୁ ବଳିଆ କୁକୁର, ଶଙ୍ଖଚିଲ, ରେଟିକୁଲେଟ ଅଜଗର, ବଡ ବଗ ଓ ଡାଳିଓଧ ରହିଛନ୍ତି ।

ସେହିଭଳି ଜୁନାଗଡ ସ୍ଥିର ସକ୍କରବାଗ ଚିଡିଆଖାନାରୁ ଏସୀୟ ସିଂହ, ସାରସ, କଲରାପତରିଆ ବାଘ ଓ ଜଙ୍ଗଲି କୁକୁଡା ଅଣାଯିବାର ଯୋଜନା ରହିଛି । ଏଥି ସହିତ ହାଇଦ୍ରାବାଦ ସ୍ଥିର ନେହେର ପ୍ରାଣୀ ଉଦ୍ୟାନରୁ ସାରସ, ଚାମୁଚ ଥଣ୍ଟିଆ ବଗ, ଧୁସର ଜଙ୍ଗଲି କୁକୁଡା, ଇଗୁାନ କପୋତ, କୁଜି ହରିଣ, ନାଲି ବାଲି ବୋଡା, ସାଧାର ବାଲି ବୋଡା, ବନେଟ୍‍ ମାଙ୍କଡ ଓ ଚନ୍ଦନବୋଡା ଭଳି ସାପ ଅଣାଯିବ ।

ଉଲ୍ଲେଖ କରାଯାଇପାରେ ଯେ ଜାତୀୟ ଚିଡିଆଖାନା ନିର୍ଦ୍ଦେଶାଳୟର ଅନୁମତି କ୍ରମେ ଦେଶର ବିଭିନ୍ନ ଚିଡିଆଖାନା ମଧ୍ୟରେ ବନ୍ୟପ୍ରାଣୀମାନଙ୍କର ଅଦଳ ବଦଳ ହୋଇଥାଏ । ନନ୍ଦନକାନର ଅନ୍ୟତମ ମୁଖ୍ୟ ଆକର୍ଷଣ ଥିବା ଧଳା ବାଘ ଦେଶର ବିଭିନ୍ନ ନନ୍ଦନକାନନକୁ ପଠାଯାଇଥିବାବେଳେ ସେମାନଙ୍କ ପ୍ରତିବଦଳରେ ନୂଆ ନୂଆ ପ୍ରଜାତିର ବନ୍ୟପ୍ରାଣୀଙ୍କୁ ଏଠାକୁ ଅଣାଯାଉଛି ।

ନନ୍ଦନକାନନକୁ ଦିନକୁ ଦିନ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ବିଲୁପ୍ତପ୍ରାୟ ଜୀବ ଜନ୍ତୁଙ୍କୁ ଏଠାରେ ଲୋକେ ଦେଖିବାର ସୁଯୋଗ ପାଉଛନ୍ତି । ଏକଦା ରାଜ୍ୟର ବିଭିନ୍ନ ସ୍ଥାନରେ ଦୃଶ୍ୟମାନ ହେଉଥିବା ଶଙ୍ଖଚିଲ ଆଉ ଦେଖିବାକୁ ମିଳୁନଥିବାବେଳେ ମାଙ୍ଗାଲୁରରୁ ଏହାକୁ ଆଣିବାପାଇଁ ଯୋଜନା ହେଉଛି । (ତଥ୍ୟ)