Home Health ପ୍ରାଥମିକ ଚିକିତ୍ସା ପାଇବା ନାଗରିକଙ୍କ ଅଧିକାର

ପ୍ରାଥମିକ ଚିକିତ୍ସା ପାଇବା ନାଗରିକଙ୍କ ଅଧିକାର

ଭୁବନେଶ୍ୱର : ପ୍ରତିବର୍ଷ ସେପ୍ଟେମ୍ବର ଦ୍ୱିତୀୟ ଶନିବାରକୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଭାବେ ବିଶ୍ୱର ପ୍ରମୁଖ ଅନୁଷ୍ଠାନ ସେଣ୍ଟ ଜନ ଆମ୍ବୁଲାନ୍ସ,ରେଡକ୍ରସ ଓ ଅନ୍ୟାନ୍ନ ଅନୁଷ୍ଠାନମାନେ ପାଳନ କରୁଛନ୍ତି l ଜରୁରୀକାଳୀନ ସମୟରେ କିମ୍ବା ଦୁର୍ଘଟଣାସ୍ଥଳରେ ଆହତ ଲୋକଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବା ସହ ସଚେତନତା ସୃଷ୍ଟି ଉଦେଶ୍ୟରେ୨୦୦୦ ମସିହାରୁ ଅନୁଷ୍ଠିତ ହେଉଅଛି ଓ ଦୁର୍ଘଟଣା ସ୍ଥଳରେ ସାଧାରଣ ଜନତା ଯେପରି ପ୍ରାଥମିକ ଚିକିତ୍ସା ପ୍ରଦାନ କରିପାରିବେ ସେଥିପାଇଁ ଉଦ୍ୟମ ଜାରି ରହିଛି l ଯାହାଫଳରେ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ବହୁ ମାତ୍ରା କମାଯାଇପାରିବ l

ପ୍ରାଥମିକ ଚିକିତ୍ସା ପ୍ରଦାନ କରିବାକୁ ପୂର୍ବ ଡାକ୍ତରୀ ଜ୍ଞାନର ଆବଶକ୍ୟ ନାହିଁ ଏହା ଅତ୍ୟନ୍ତ ସରଳ l ଆଜି ପୂର୍ବାହ୍ନରେ ଭୁବନେଶ୍ୱର ଦିବ୍ୟ ଜୀଵନ ସଙ୍ଘ ଆନୁକୂଲ୍ୟରେ ଓ ଏଜି ଆମ୍ବୁଲାନ୍ସ ଡିଭିଜନ ସହଯୋଗରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ଉପରେ ଏକ କର୍ମଶାଳା ଓ ଦେୟ ମୁକ୍ତ ସ୍ୱାସ୍ଥ୍ୟ ସେବା ଆୟୋଜିତ ହୋଇଥିଲା l ଦିବ୍ୟ ଜୀଵନ ସଙ୍ଘର ସଭାପତି ରାଧେଶ୍ୟାମ ଦାସଙ୍କ ପୌରହିତ୍ୟରେ ଅନୁଷ୍ଠିତ କର୍ମଶାଳାରେ ହାଇଟେକ ମେଡିକାଲ କଲେଜର ପୂର୍ବ ହୃଦରୋଗ, ଡାଇବେଟିସ ଓ ଭେଷଜ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଗୋବିନ୍ଦ ଚନ୍ଦ୍ର ନାୟକ, କଟକ ଶ୍ରୀରାମ ଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ର ପ୍ରଫେସର ତରୁଣ କୁମାର ପଣ୍ଡା,ଡାକ୍ତର ସୁଶ୍ରୀ ସସ୍ମିତା ଦାସ, ଦିବ୍ୟ ଜୀଵନ ସଙ୍ଘର ସମ୍ପାଦକ ରମେଶ ଚନ୍ଦ୍ର ପଣ୍ଡା, ସେଣ୍ଟ ଜନ ଆମ୍ବୁଲାନ୍ସର  ଖୋର୍ଦ୍ଧା ଜିଲ୍ଲା ଯୁଗ୍ମ ସଚିବ ପୁରୁଷୋତ୍ତମ ବଳ, ପ୍ରାଥମିକ ଚିକିତ୍ସା ତାଲିମ ଦାତା କାଦମ୍ବିନୀ ଦାସ ଯୋଗ ଦେଇଥିଲେ l

ପ୍ରଫେସର ନାୟକ ସ୍ୱାମୀ ଶିବାନନ୍ଦ ରଷିକେଶର ଘନ ଅରଣ୍ୟ ମଧ୍ୟରେ ବସବାସ କରୁଥିବା ଅଧିବାସୀମାନଙ୍କୁ ଦେୟ ମୁକ୍ତ ଡାକ୍ତରୀ ସେବା ପ୍ରଦାନ କରୁଥିଲେ l ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଉପସ୍ଥିତ ଅନୁଗାମୀମାନଙ୍କୁ ହୋଇ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହାର କମାଇବାକୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରିବାକୁ ଆଗେଇ ଆସିବା ଉଚିତ ବୋଲି ମତବ୍ୟକ୍ତ କରିଥିଲେ l ଏହା ପରେ ସମବେତ ଶତାଧିକ ଅନୁଗାମୀ, ଜନସାଧାରଣ ମାନଙ୍କୁ ପ୍ରଫେସର ନାୟକ ଓ କାଦମ୍ବିନୀ ଦାସ ପ୍ରାଥମିକ ଚିକିତ୍ସାର ସରଳ କୌଶଳ ଉପରେ ତାଲିମ ପ୍ରଦାନ କରିଥିଲେ l

ଏହାପରେ ହୃଦରୋଗ, ଡାଇବେଟିସ, ଚକ୍ଷୁ, ଭେଷଜ ବିଭାଗର ବିଭିନ୍ନ ରୋଗୀମାନଙ୍କୁ ଦେୟମୁକ୍ତ ଚିକିତ୍ସା ପ୍ରଦାନ କରାଯାଇଥିଲା l ଅପରାହ୍ନରେ ଏଜି ଆମ୍ବୁଲାନ୍ସ ଡିଭିଜନ ପକ୍ଷରୁ ଖେଳାଳି,କ୍ରୀଡା ପରିଚାଳକ, ରେଫରୀ, କୋଚ ଓ ଅଫିସିଆଲମାନଙ୍କୁ ସହକାରୀ ପ୍ରଫେସର ଡାକ୍ତର ସତ୍ୟଜିତ ସାହୁ, ଡାକ୍ତର ଆଶିଷ କୁମାର ମୁଦୁଲି,ପୁରୁଷୋତ୍ତମ ବଳ, ବରିଷ୍ଠ ଲେଖାଧିକାରୀ ନାଗେଶ ରାଓ, ଦୀପ୍ତି ରାୟ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରିଥିଲେ l ଠିକ ସମୟରେ ପଡିଆରେ ଯଦି କ୍ରୀଡ଼ାବିତମାନଙ୍କୁ ପ୍ରାଥମିକ ଚିକିତ୍ସା ପ୍ରଦାନ କରାଗଲେ ବହୁ ଉଦୟମାନ କ୍ରୀଡ଼ାବିତଙ୍କ ଜୀଵନ ବଞ୍ଚାଯାଇ ପାରିବ ଓ ସେମାନେ ଆଗ୍ରହ ପ୍ରଦର୍ଶନ କରିବାକୁ ଅନୁରୋଧ କରିଥିଲେ l

ମହର୍ଷି କଲେଜ ଅଫ ନେଚୁରାଲ ଲ ପକ୍ଷରୁ ଏହାର ଛାତ୍ରଛାତ୍ରୀମାନଙ୍କ ପାଇଁ ଏକ ତାଲିମ ଶିବିର ଆୟୋଜନ କରାଯାଇଥିଲା l ମହାବିଦ୍ୟାଳୟର ଅଧକ୍ଷ ପ୍ରଫେସର ମଞ୍ଜୁ ପଟ୍ଟନାୟକ, ଉପାଧ୍ୟକ୍ଷ ଡକ୍ଟର ଲୋକନାଥ ପରିଡା, ଅଧ୍ୟାପିକା ଡ଼. ନମିତା ପଟ୍ଟନାୟକ, ସହକାରୀ ଆଯୁକ୍ତ ପୁରୁଷୋତ୍ତମ ବଳ ଅତିଥିଭାବେ ଯୋଗ ଦେଇଥିଲେ l ଶେଷରେ ଡ଼ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ପ୍ରାଥମିକ ଚିକିତ୍ସା ତାଲିମ ପ୍ରଦାନ କରିଥିଲେ l