Home General ମଦ କୁଡିଆ ଦାୟିତ୍ୱ ପ୍ରଭାତୀଙ୍କ କାନ୍ଧରେ

ମଦ କୁଡିଆ ଦାୟିତ୍ୱ ପ୍ରଭାତୀଙ୍କ କାନ୍ଧରେ

ଭୁବନେଶ୍ୱର : କେବଳ ସମୁଦ୍ର କୂଳରେ ନୁହେଁ, ନଦୀ, ହ୍ରଦ ଆଦି ନିକଟରେ ମଦ କୁଡିଆ ଖୋଲି ଲୋକଙ୍କୁ ସରକାରୀ ସଂସ୍ଥା ମାଧ୍ୟମରେ ମଦ ଯୋଗାଣ ଲାଗି ଯେଉଁ ବ୍ୟବସ୍ଥା ନୂଆ ଅବକାରୀ ନୀତିରେ ରହିଛି ତାହାର କାର୍ଯ୍ୟକାରିତା ନିର୍ଭର କରୁଛି ପର୍ଯ୍ୟଟନ ବିଭାଗ ଉପରେ । ପର୍ଯ୍ୟଟନ ବିଭାଗ ଦାୟିତ୍ୱରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଭଳି ଜଣେ ନାରୀନେତ୍ରୀ ଥିବାବେଳେ ସେ ଏଭଳି ମଦ ଯୋଗାଣକୁ ପ୍ରୋତ୍ସାହିତ କରିବେ କି ବିରୋଧ କରିବେ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ନୂଆ ଅବକାରୀ ନୀତିରେ ଆଉ ଯେଉଁସବୁ ବ୍ୟବସ୍ଥା ରହିଛି ସେଥିରେ ଏଣିକି ଭୋଜିଭାତରେ ଚୋରା ଲୁଚାରେ ମଦ ପିଇବା ପରିବର୍ତ୍ତେ ମଦୁଆମାନେ ଛାତି ଫୁଲେଇ ସରକାରଙ୍କୁ ହକ୍‍ ଟିକସ ଦେଇ ଖୋଲାଖୋଲି ଭାବେ ମଦ୍ୟପାନ କରିବାର ସୁଯୋଗ ପାଇବେ । ଏହା ନିଶାଡିମାନଙ୍କ ମଧ୍ୟରେ ଆନନ୍ଦ ଖୋଳାଇ ଦେଇଥିବାବେଳେ ମଦ ପରିବେଷଣ କରାଯାଉଥିବା ଭୋଜି ସଭାକୁ କୌଣସି ଭଦ୍ରଲୋକ ତାଙ୍କ ପରିବାର ସହ ଯିବେ କି ନାହିଁ ସେଥିଘେନି ବହୁବାର ଚିନ୍ତା କରିବାକୁ ପଡିବ ।

ଅବଶ୍ୟ ରାଜ୍ୟ ସରକାରଙ୍କ ଏହି ନୂଆ ଅବକାରୀ ନୀତି ନୂଆ ବୋତଲରେ ପୁରୁଣା ମଦ ଭଳି ବୋଲି ଓଡିଶା ମଦମୁକ୍ତି ଅଭିଯାନ ଖୋଲା ଆରୋପ କରିଛି । ବିଜେଡି ସରକାର ସମୟରେ ବି ଏଭଳି ବ୍ୟବସ୍ଥା ଆରମ୍ଭ ହୋଇଥିଲା ଏବଂ ସେତେବେଳେ ବିରୋଧିଦଳରେ ଥିବା ବିଜେପି ଏହାର ଖୋଲା ବିରୋଧ କରିଥିଲା । ଏମିତିକି ୨୦୨୪ ନିର୍ବାଚନରେ ବିଜେପିର ସଙ୍କଳ୍ପପତ୍ରରେ ନିଶା ନିବାରଣ କଥା ବି ଉଲ୍ଲେଖ ଥିଲା ।

ଗତ ଅଗଷ୍ଟ ୩୦ତାରିଖରେ ରାଜ୍ୟ ସରକାରଙ୍କ ଅନୁମୋଦନ କ୍ରମେ ଅବକାରୀ ବିଭାଗର ସ୍ୱତନ୍ତ୍ର ସଚିବ ଶ୍ରୀମତୀ ଅର୍ଚ୍ଚନା ଦାଶପଟ୍ଟନାୟକଙ୍କ ଦସ୍ତଖତରେ ଯେଉଁ ବିଜ୍ଞପ୍ତି ପ୍ରକାଶ ପାଇଛି ତାହା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଠାରୁ ଆରମ୍ଭ କରି ଅବକାରୀ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଜିଲ୍ଲାପାଳ ଓ ଅନ୍ୟାନ୍ୟ ଅଧିକାରୀଙ୍କ ଦପ୍ତରକୁ ମଧ୍ୟ ପଠାଯାଇଛି । ଏହି ଅବକାରୀ ନୀତି ଅନୁଯାୟୀ ରାଜ୍ୟର ଅବକାରୀ ରାଜସ୍ୱ ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଏହି ନୀତି ଚଳିତ ସେପ୍ଟେମ୍ବର ପହିଲାରୁ ଆସନ୍ତାବର୍ଷ ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ କିମ୍ବା ଆଉ ଏକ ଅବକାରୀ ନୀତି ଆସିବା ପର୍ଯ୍ୟନ୍ତ ବଳବତ୍ତର ରହିବ ।

ଏଥିରେ ଥିବା ବ୍ୟବସ୍ଥା ମୁତାବକ ଓଡିଶା ପର୍ଯ୍ୟଟନ ଉନ୍ନୟନ ନିଗମ (ଓଟିଡିସି)କୁ ଠିପିଖୋଲା ମଦ ଲାଇସେନ୍ସ ବାବଦରେ ଅନ୍ୟମାନଙ୍କ ତୁଳନାରେ ଅଧା ପଇସା ଦେବାକୁ ହେବ । ସମୁଦ୍ର କୂଳରେ ପର୍ଯ୍ୟଟକମାନଙ୍କୁ ଆପ୍ୟାୟିତ କରିବାପାଇଁ ଓଟିଡିସି ନିଜେ ସିଧାସଳଖ କିମ୍ବା ତାହାର ଅନ୍ୟ କୌଣସି ସଂସ୍ଥା ମାଧ୍ୟମରେ ମଦ କୁଡିଆ ଖୋଲିପାରିବେ ଏବଂ ଏଥିଲାଗି ବାର୍ଷିକ ୫୦ହଜାର ଟଙ୍କା ଲାଇସେନ୍ସ ଫି ରହିବ । ଏହି ମଦ କୁଡିଆ ପାଇଁ ଓଟିଡିସି ସିଧାସଳଖ ପାନୀୟ ନିଗମରୁ ମଦ ଉଠାଇବ ଏବଂ ଏହି ମଦ କୁଡିଆକୁ ସ୍ୱତନ୍ତ୍ର ପର୍ଯ୍ୟାୟଭୁକ୍ତ କରାଯିବ । କେବଳ ସମୁଦ୍ରକୂଳରେ ନୁହେଁ, ବିଭିନ୍ନ ନଦୀବନ୍ଧ ଯୋଜନା, ହ୍ରଦ ଓ ନଦୀକୂଳରେ ମଧ୍ୟ ଏଭଳି ମଦ କୁଡିଆ ଖୋଲାଯାଇ ପାରିବ ।

ଏହାଛଡା ବିଭିନ୍ନ ପରିବେଶ ପର୍ଯ୍ୟଟନସ୍ଥଳୀରେ ବି ଓଟିଡିସି କିମ୍ବା ଆଇଟିଡିସି ମଦ ପରିବେଷଣ କରିପାରିବେ । ଏଥିଲାଗି ୨୦୨୦ ମସିହାରୁ ସେମାନଙ୍କୁ ଯେଉଁ ରିହାତି ଦିଆହୋି ଆସୁଛି ତାହା ବଳବତ୍ତର ରହିବ । ମଦୁଆମାନଙ୍କ ପାଇଁ ଖୁସିଖବର ଯେ କୌଣସି ଘରୋଇ କାର୍ଯ୍ୟକ୍ରମରେ ଅଥବା ଉତ୍ସବାନୁଷ୍ଠାନରେ ମଦ ପରିବେଷଣ ଲାଗି ବିଭାଗୀୟ କର୍ତ୍ତୃପକ୍ଷ ଅସ୍ଥାୟୀ ଅନୁମତି ଦେଇପାରିବେ । ୨୦୦ ଲୋକଙ୍କ ପାଇଁ ଏହି ଯୋଜନାରେ ମଦ ପରିବେଷଣ ପାଇଁ ଦିନକୁ ୧୦ହଜାର ଟଙ୍କା ଲାଇସେନ୍ସ ଫି ରହୁଥିବାବେଳେ ୫୦୦ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ୧୫ହଜାର, ୧୦୦୦ ପର୍ଯ୍ୟନ୍ତ ଲୋକଙ୍କ ପାଇଁ ୨୦ହଜାର ଓ ୧୦୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ପାଇଁ ଦିନକୁ ୨୫ହଜାର ଟଙ୍କା ଦେବାକୁ ପଡିବ । (ତଥ୍ୟ)