Home Agriculture କ୍ଷତିପୂରଣରେ କୁକୁଡା ଚାଷୀ ହତାଶ

କ୍ଷତିପୂରଣରେ କୁକୁଡା ଚାଷୀ ହତାଶ

ଭୁବନେଶ୍ୱର : ବାର୍ଡ ଫ୍ଲୁ ସଂକ୍ରମଣ ଏବେ ଜିଲ୍ଲା ପରେ ଜିଲ୍ଲାକୁ ଡେଉଁଥିବାବେଳେ ଏହାକୁ ନିୟନ୍ତ୍ରଣ ଲାଗି ହଜାର ହଜାର କୁକୁଡାଙ୍କୁ ମାରି ଦିଆଯାଉଛି । ତେବେ ମୃତ କୁକୁଡା ବାବଦରେ ଚାଷୀଙ୍କୁ ଯେଉଁ କ୍ଷତିପୂରଣ ଦିଆଯାଉଛି ତାହାକୁ ନେଇ କୁକୁଡାଚାଷୀମାନେ ଅସନ୍ତୋଷ ପ୍ରକଟ କରୁଛନ୍ତି । ଛଅ ସପ୍ତାହାର ଗୋଟିଏ କୁକୁଡା ପାଇଁ ୮୦ରୁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସରକାର ଦେଉଛନ୍ତି ମାତ୍ର ୨୦ ଟଙ୍କା ।

ରାଜ୍ୟରେ ବାର୍ଡ ଫ୍ଲୁ ସଂକ୍ରମିତ କୁକୁଡାଙ୍କୁ ମାରିବାପାଇଁ ପଦକ୍ଷେପ ନେବା ସହିତ କ୍ଷତିପୂରଣ ରାଶି ଧାର୍ଯ୍ୟ କରିଛନ୍ତି । ତଦନୁଯାୟୀ ଛଅ ସପ୍ତାହ ପର୍ଯ୍ୟନ୍ତ ବ୍ରଏଲର କୁକୁଡା ଓ ଛଅ ସପ୍ତାହରୁ ଉର୍ଦ୍ଧ୍ୱ ବୟସର କୁକୁଡାଙ୍କ ପାଇଁ ୨୦ ଟଙ୍କା କରି କ୍ଷତିପୂରଣ ଦିଆଯାଉଛି । ସେହିଭଳି ୮ସପ୍ତାହ ପର୍ଯ୍ୟନ୍ତ ବୟସର ଅଣ୍ଡାଦିଆ କୁକୁଡା ଗୋଟିକ ପାଇଁ ୨୦ ଟଙ୍କା ଧାର୍ଯ୍ୟ ହୋଇଥିବାବେଳେ ୮ସପ୍ତାହରୁ ଅଧିକ ବୟସର ଅଣ୍ଡାଦିଆ କୁକୁଡା ପାଇଁ ୯୦ ଟଙ୍କା ଏବଂ ଗୋଟିଏ ଗୁଣ୍ଡୁରି ଚଢେଇ ପାଇଁ ୫ ଟଙ୍କା ଦେବାକୁ ସ୍ଥିର ହୋଇଛି ।

ରାଜ୍ୟ ସରକାର ଇତି ମଧ୍ୟରେ ପୁରୀ ଜିଲ୍ଲାର କଣାସ, ନିମାପଡା ଆଦି ଅଞ୍ଚଳରୁ ହଜାର ହଜାର କୁକୁଡା ମାରିବାପରେ ଏବେ କେନ୍ଦ୍ରାପଡା ଜିଲ୍ଲାରେ କୁକୁଡା ମାରିବା ଆରମ୍ଭ ହୋଇଛି । ଯେଉଁ ଚାଷୀମାନଙ୍କର କୁକୁଡାକୁ ମରାଯାଉଛି ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର କୁକୁଡା ପ୍ରାୟତଃ ବିକ୍ରିଯୋଗ୍ୟ ହୋଇଯାଇଥିଲେ । ଚାଷୀଙ୍କ କହିବାକଥା ଯେ ଛଅ ସପ୍ତାହର ଗୋଟିଏ କୁକୁଡା ପାଇଁ ୮୦ ରୁ ୧୦୦ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ଏହାଠାରୁ ଅଧିକ ଦାମରେ ବିକ୍ରି ହୋଇଥାଏ । ହେଲେ ଯେଉଁ କୁକୁଡା ଗୋଟିକୁ ଚାଷୀ ୧୨୦ ରୁ ୧୫୦ ଟଙ୍କାରେ ବିକ୍ରି କରିଥାନ୍ତେ ସେହି କୁକୁଡା ପାଇଁ ରାଜ୍ୟ ସରକାର ଦେଉଛନ୍ତି ମାତ୍ର ୨୦ ଟଙ୍କା ।

ଉପକୂଳ ଓଡିଶାରେ ବାର୍ଡ ଫ୍ଲୁ ବ୍ୟାପିଥିବାବେଳେ ଅଧିକାଂଶ କୁକୁଡା ଚାଷୀ ବ୍ରଏଲର କୁକୁଡା ଚାଷ କରିଥାନ୍ତି । କୁକୁଡା ମାରିବା ପରେ ସରକାର ଯେଉଁ ହାରରେ କ୍ଷତିପୂରଣ ରାଶି ଦେଉଛନ୍ତି ସେଥିଯୋଗୁଁ ଅଧିକାଂଶ କୁକୁଡା ଫାର୍ମରେ ସବୁଦିନ ପାଇଁ ତାଲା ପଡିଯିବ ବୋଲି ଚାଷୀମାନେ ଅଭିଯୋଗ କରୁଛନ୍ତି । କୁକୁଡାଙ୍କ ପାଇଁ ହେଉଥିବା ଖର୍ଚ୍ଚକୁ ଆଧାର କରି କ୍ଷତିପୂରଣ ଦିଆଯିବାପାଇଁ ଚାଷୀମାନେ ମତ ଦେଉଛନ୍ତି ।

ଗୋଟିଏ ପଟେ କୁକୁଡା ମରାଯାଉଥିବା ଚାଷୀମାନଙ୍କ ବେଉସା ବୁଡୁଥିବାବେଳେ ଅନ୍ୟପଟେ ଯେଉଁସବୁ ଅଞ୍ଚଳରେ ବାର୍ଡ ଫ୍ଲୁ ବ୍ୟାପିନାହିଁ ସେଠାକାର ଚାଷୀମାନେ ବି ବ୍ୟାପକ କ୍ଷତି ସହୁଛନ୍ତି । କାରଣ ସଂକ୍ରମଣ ଭୟରେ ସେମାନଙ୍କ କୁକୁଡା ବିକ୍ରି ହେଉନାହିଁ । ରାଜଧାନୀ ବଜାର କୁକୁଡା ବ୍ୟବସାୟର ପେଣ୍ଠସ୍ଥଳ ହୋଇଥିବାବେଳେ ରାଜ୍ୟର ବିଭିନ୍ନ ସ୍ଥାନରୁ ଏଠାକୁ କୁକୁଡା ଆସିଥାନ୍ତି । ହେଲେ ଲୋକେ କୁକୁଡାମାଂସ ଖାଉନଥିବାରୁ ରାଜଧାନୀର କୁକୁଡା ବ୍ୟବସାୟରେ ପ୍ରାୟତଃ ବନ୍ଦ ହୋଇଯାଇଛି । ଅନ୍ୟ ପକ୍ଷରେ ଓଡିଶାରୁ ବ୍ରଏଲର କୁକୁଡା ପଶ୍ଚିମବଙ୍ଗକୁ ଚାଲାଣ ହେଉଥିବାବେଳେ ବାର୍ଡ ଫ୍ଲୁ ଭୟରେ ପଶ୍ଚିମବଙ୍ଗ ସରକାର ଓଡିଶାରୁ କୁକୁଡା ଆମାଦାନୀ ଉପରେ କଟକଣା ଲଗାଇଛନ୍ତି ।

ତେଣୁ ଗାଁ ଗହଳରେ ରୋଜଗାର ସୃଷ୍ଟିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କୁକୁଡା ଚାଷୀଙ୍କ ପ୍ରତି ସରକାର ଦୃଷ୍ଟି ଦେବା ସହିତ ମାରୁଥିବା କୁକୁଡାଙ୍କ ପାଇଁ ଅଧିକ ପରିମାଣରେ କ୍ଷତିପୂରଣ ଦେବାକୁ ମତପ୍ରକାଶ ପାଉଛି । (ତଥ୍ୟ)