Home General ବିକୃତ ଗାନ୍ଧୀମୂର୍ତ୍ତି ବଦଳିବ କେବେ ?

ବିକୃତ ଗାନ୍ଧୀମୂର୍ତ୍ତି ବଦଳିବ କେବେ ?

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ, ଅତିରିକ୍ତ ମୁଖ୍ୟ ଶାସନ ସଚିବ, ବିଭାଗୀୟ ନିର୍ଦ୍ଦେଶକ ଏମିତିକି ବିଶେଷଜ୍ଞ କମିଟିଙ୍କ ମତାମତି ସତ୍ୱେ ବି ରାଜ୍ୟ ସଂଗ୍ରହାଳୟର ଗାନ୍ଧୀ ଗ୍ୟାଲେରୀରେ ମହାତ୍ମାଗାନ୍ଧୀଙ୍କ ଠିକଣା ପ୍ରତିମୂତ୍ତି ବସିପାରୁ ନାହିଁ । ଏହି ଗ୍ୟାଲେରୀରେ ରହିଥିବା ଏକ ବିକୃତ ଗାନ୍ଧୀମୂର୍ତ୍ତି ଘେନି ଦର୍ଶକମାନେ ବିରକ୍ତି ପ୍ରକାଶ କରୁଥିଲେ ବି ତ୍ରୁଟି ସଂଶୋଧନ ହୋଇପାରୁ ନାହିଁ ।

ଏଠାରେ ଉଲ୍ଲେଖନୀୟ ଯେ ରାଜ୍ୟ ସଂଗ୍ରହାଳୟ ପରିସରରେ ଓଡିଶାର ସ୍ୱାଧୀନତା ସଂଗ୍ରାମ ଓ ଗାନ୍ଧୀ ଗ୍ୟାଲେରୀ ପ୍ରତିଷ୍ଠା ପାଇଁ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି । ଏହି ଦୁଇଟି ଗ୍ୟାଲେରୀରେ ନିମ୍ନମାନର କାର୍ଯ୍ୟ ହୋଇଥିବା ଫଳରେ ଅନେକ ବରପୁତ୍ରଙ୍କ ଛବି ଓ ପ୍ରତିମୂର୍ତ୍ତି ଠିକଣା ଭାବେ ନିର୍ମିତ ହୋଇନଥିଲା । ଏମିତିକି କେତେକ ସ୍ଥଳରେ ଶହୀଦ ତୀର୍ଥକ୍ଷେତ୍ରଗୁଡିକର ବି ଠିକଣା ଚିତ୍ର ନଥିଲା । ବିଶେଷଜ୍ଞ କମିଟିଙ୍କ ନଜରକୁ ଏହା ଆସିବାପରେ ତ୍ରୁଟି ସୁଧାରିବାପାଇଁ କମିଟି ସୁପାରିଶ୍‍ କରିଥିଲେ ।

ପରବର୍ତ୍ତୀ ସମୟରେ ସେତେବେଳର ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ଓ ବିଭିନ୍ନ ସମୟରେ ସଂସ୍କୃତି ବିଭାଗ ଦାୟିତ୍ୱରେ ଥିବା ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢୀ ଓ ସତ୍ୟବ୍ରତ ସାହୁ ଗ୍ୟାଲେରୀ ପରିଦର୍ଶନ କରି ତ୍ରୁଟି ସଂଶୋଧନ ଉପରେ ଗୁରୁତ୍ୱଆରୋପ କରିଥିଲେ । ଏମିତିକି ସେତେବେଳର ବିଭାଗୀୟ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ବି ଏହି ତ୍ରୁଟି ଘେନି ବିରକ୍ତି ପ୍ରକାଶ କରିଥିଲେ ।

ଏଭଳି ସ୍ଥିତିରେ ବାରମ୍ବାର ବୈଠକ କରାଯିବା ପରେ ଏହି ଗ୍ୟାଲେରୀରେ ରହିଥିବା ଉତ୍କଳଗୌରବ ମଧୁସୂଦନ, ଉତ୍କଳମଣି ଗୋପବନ୍ଧୁ, ମା’ରମାଦେବୀ, ହରେକୃଷ୍ଣ ମହତାବ, ବୀର ସୁରେନ୍ଦ୍ର ସାଏ, କୃତୀବାସ ପାଟ୍ଟଶାଣୀ, ନେତାଜୀ ସୁଭାଶ ଚନ୍ଦ୍ର ବୋଷଙ୍କ ତ୍ରୁଟିପୂର୍ଣ୍ଣ ମୂର୍ତ୍ତିକୁ ବଦଳାଯାଇ ନୂଆ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଥିଲା । ସେହିଭଳି ରଣପୁର ପ୍ରଜା ଆନ୍ଦୋଳନ, ବାଜିରାଉତଙ୍କ ବଳିଦାନ, ଇରମ, ପାପଡାହାଣ୍ଡି, ମାଥିଲି, କାଇପଡା କଳାମାଟିଆ, ଆମ୍‍କୋ, ସିମ୍‍କୋ ଆଦି ଘଟଣାର ତ୍ରୁଟି ମଧ୍ୟ ସୁଧୁରା ଯାଇଥିଲା । ତେବେ ଏହି ଗ୍ୟାଲେରୀର ପ୍ରବେଶପଥ ନିକଟରେ ସ୍ଥାପନ କରାଯାଇଥିବା ଜାତିର ଜନକ ମହାମାନବ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତିକୁ ଠିକଣା ଭାବେ ନିର୍ମିତ ହୋଇନଥିବାରୁ ଏହାକୁ ବଦଳାଇ ନୂଆ ପ୍ରତିମୂର୍ତ୍ତି ସ୍ଥାପନ ଲାଗି ମୁଖ୍ୟ ଶାସନ ସଚିବଙ୍କ ଠାରୁ ଆରମ୍ଭ କରି ଅନ୍ୟ ଅଧିକାରୀମାନେ ବାରମ୍ବାର ଗୁରୁତ୍ୱଦେଇ ଆସୁଥିଲେ ମଧ୍ୟ ପ୍ରାୟ ୩ବର୍ଷ ଧରି ଗାନ୍ଧୀଙ୍କ ମୂର୍ତ୍ତିକୁ ବଦଳାଯାଇନାହିଁ ।

ଏହି ଗ୍ୟାଲେରୀରେ ଓଡିଶାକୁ ଗାନ୍ଧୀଜୀଙ୍କର ଆଠଟି ଗସ୍ତ ସମେତ ସ୍ୱାଧୀନତା ସଂଗ୍ରାମରେ ଓଡିଶାର ଯୋଗଦାନ ସମ୍ପର୍କରେ ତଥ୍ୟ ସମ୍ବଳିତ ଚିତ୍ରମାନ ରହିଛି । ଏମିତିକି ଏଠାରେ ବହୁ ମହିଳା ସଂଗ୍ରାମୀଙ୍କ ଫଟୋଚିତ୍ର ମଧ୍ୟ ସ୍ଥାନିତ ହୋଇଛି । ଏହି ଗ୍ୟାଲେରୀ ଦୁଇଟି ଛାତ୍ରଛାତ୍ରୀମାନଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହୋଇଥିବାବେଳେ ଛୋଟ ପିଲାମାନେ ବି ଏଠାରେ ସ୍ଥାପନ କରାଯାଇଥିବା ଗାନ୍ଧୀମୂର୍ତ୍ତିକୁ ଖୁଣୁଛନ୍ତି ।

ଏ ସଂକ୍ରାନ୍ତରେ ସଂସ୍କୃତି ବିଭାଗ, ସଂସ୍କୃତି ନିର୍ଦ୍ଦେଶାଳୟ ଓ ରାଜ୍ୟ ସଂଗ୍ରହାଳୟ କର୍ତ୍ତୃପକ୍ଷ ସମ୍ପୂର୍ଣ୍ଣ ଭାବେ ଅବହିତ ଅଛନ୍ତି । ଯେଉଁ ସଂସ୍ଥାଙ୍କୁ ଏହି ଗ୍ୟାଲେରୀ ନିର୍ମାଣ ଦାୟିତ୍ୱ ଦିଆଯାଇଥିଲା ସେହି ସଂସ୍ଥା ତ୍ରୁଟିପୂର୍ଣ୍ଣ ଗାନ୍ଧୀମୂର୍ତ୍ତି ବଦଳାଇବାପାଇଁ ପୂର୍ବରୁ ସ୍ଥିର ହୋଇଥିଲେ ମଧ୍ୟ ଏଯାବତ୍‍ ଏହା ବଦଳାଯାଇ ପାରୁନାହିଁ । ଏଥିଘେନି ବିଭିନ୍ନ ମହଲରୁ ବାରମ୍ବାର କ୍ଷୋଭ ପ୍ରକାଶ କରାଯାଉଛି । (ତଥ୍ୟ)