Home Environment ପଲିଥିନ୍‍ କାରବାର ବିଷୟରେ ସରକାର ଜାଣିଛନ୍ତି

ପଲିଥିନ୍‍ କାରବାର ବିଷୟରେ ସରକାର ଜାଣିଛନ୍ତି

ଭୁବନେଶ୍ୱର : କଟକଣା ସତ୍ୱେ ପରିବେଶ ପ୍ରଦୂଷଣ କରୁଥିବା ଏକକ ବ୍ୟବହୃତ ପ୍ଲାଷ୍ଟିକ ଓ ଥର୍ମକୁଲ୍‍ ଆଦି ବ୍ୟାପକ ମାତ୍ରାରେ ବ୍ୟବହୃତ ହେଉଥିବା ସମ୍ପର୍କରେ ସରକାର ଅବଗତ ଅଛନ୍ତି । ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂହ ଖୁଣ୍ଟିଆ ଆଜି ବିଧାନସଭାରେ ଏହି ସୂଚନା ଦେଇଛନ୍ତି ।

ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ କଟକଣା ଓ ଏହାର ବ୍ୟବହାର ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ ଦର୍ଶାଇଛନ୍ତି ଯେ ରାଜ୍ୟ ସରକାର ୨୦୨୨ ମସିହା ଫେବୃୟାରୀ ୧୯ ତାରିଖରୁ ଏକକ ବ୍ୟବହୃତ ପ୍ଲାଷ୍ଟିକ ଉପରେ ନିଷେଧାଦେଶ ଜାରି କରିଛନ୍ତି ।

ତେବେ ଏହା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ସାମଗ୍ରୀ ଉପରେ ଚଢଉ ଜାରି ରହିଛି । ମନ୍ତ୍ରୀଙ୍କ ସୂଚନା ଅନୁସାରେ କେବଳ ଖୋରଧା ଜିଲ୍ଲାରୁ ଗୋଟିଏ ବର୍ଷରେ ୪ହଜାର କିଲୋରୁ ଅଧିକ ଏକକ ବ୍ୟବହୃତ ପ୍ଲାଷ୍ଟିକ ଜବତ ସହିତ ୨୦ଲକ୍ଷ ୫୦ହଜାର ଟଙ୍କାର ଜୋରିମାନା ଆଦାୟ ହେଇଛି । କୋରାପୁଟରେ ଜୋରିମାନା ପରିମାଣ ୧ଲକ୍ଷ ଟଙ୍କାରୁ ଅଧିକ ରହିଥିବାବେଳେ ସମ୍ବଲପୁରରେ ୮୫,୬୦୦ ଟଙ୍କା ରହିଛି । ସେହିଭଳି କେନ୍ଦୁଝରେ ୨୫,୬୦୦ ଟଙ୍କା ବଲାଙ୍ଗିରରୁ ୧୮ହଜାର, ଝାରସୁଗୁଡାରୁ ୧୬,୮୦୦ ଟଙ୍କାର ଜୋରିମାନା ଆଦାୟ କରାଯାଇଛି ।

ତେବେ ଏକକ ବ୍ୟବହୃତ ପ୍ଲାଷ୍ଟିକ କାରବାରକୁ ରୋକିବାପାଇଁ ସରକାର କେତେଗୁଡିଏ ପଦକ୍ଷେପ ଗ୍ରହଣ କରିଛନ୍ତି । ସେଥି ମଧ୍ୟରେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ପକ୍ଷରୁ ସହରାଞ୍ଚଳରେ ନିୟମିତ ଚଢଉ କରାଯାଇଛି । ଏହା କଟକଣାକୁ କାର୍ଯ୍ୟକାରୀ କରିବାପାଇଁ ସମସ୍ତ ଜିଲ୍ଲାପାଳ ଓ ବିଭାଗମାନଙ୍କୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ରାଜ୍ୟର ୧୬୨ଟି ବୃହତ୍‍ କଳା କାରଖାନାମାନଙ୍କୁ ସେମାନଙ୍କ ଟାଉନସିପ୍‍ ତଥା ଶିଳ୍ପାଞ୍ଚଳକୁ ପଲିଥିନ୍‍ମୁକ୍ତ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ଭୁବନେଶ୍ୱରର ୬ଟି ପ୍ରମୁଖ ମାର୍କେଟ କମ୍ପେ୍ଲକ୍ସରେ କପଡା ବ୍ୟାଗ ଭେଣ୍ଡିଂ ମେସିନ ବସାଯାଇଛି ।

ଗୋଟିଏ ପଟେ ରାଜ୍ୟ ସରକାର ଏହି କ୍ଷତିକାରକ ସାମଗ୍ରୀ ଉପରେ କଟକଣା ଜାରି କରିଥିବାବେଳେ ଅନ୍ୟପଟେ ଖୋଦ୍‍ ମନ୍ତ୍ରୀ ଏହା କାରବାର ହେଉଥିବା କହିବା ଏବେ ଏହି ବ୍ୟବସାୟରେ ଜଡିତ ସଂସ୍ଥା ଓ ବ୍ୟବସାୟୀମାନେ ସରକାରଙ୍କୁ ଖାତିର କରୁନଥିବା ସ୍ପଷ୍ଟ ହେଉଛି । କାରଣ ବ୍ୟାପକ ଚଢଉ, ସାମଗ୍ରୀ ଜବତ, ମୋଟା ଅଙ୍କର ଜୋରିମାନା ଆଦାୟ ସତ୍ୱେ ସେମାନେ ସରକାରଙ୍କ କଟକଣାକୁ ଖାତିର ନକରି ଏଭଳି କ୍ଷତିକାରକ ସାମଗ୍ରୀର ବ୍ୟବସାୟ ଜାରି ରଖିଛନ୍ତି । (ତଥ୍ୟ)