Home News in Odia ଅପରେସନ ଲୋଟୋସରେ ଏବେ କାହା ପାଳି ?

ଅପରେସନ ଲୋଟୋସରେ ଏବେ କାହା ପାଳି ?

ଭୁବନେଶ୍ୱର : ଓଡିଶାରେ ଚାଲିଥିବା ‘ଅପରେସନ ଲୋଟୋସ’ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ବିଜେଡିର ଦୁଇଜଣ ରାଜ୍ୟସଭା ସାଂସଦ ବିଜେପି ଖୁଆଡକୁ ଯାଇଥିବାବେଳେ ଏହାପରେ ପୁଣି କାହା ପାଳି ସେଥିଘେନି ସାଧାରଣ ଲୋକଚର୍ଚ୍ଚା କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ଗତ ନିର୍ବାଚନରେ ବିଜେପି ଏକକ ସଂଖ୍ୟା ଗରିଷ୍ଠତା ହାସଲକରି ରାଜ୍ୟରେ ସରକାର ଗଠନ କରିଥିବାବେଳେ ଲୋକସଭାର ୨୧ଟି ଆସନ ମଧ୍ୟରୁ ୨୦ଟି ପୋଛି ନେଇ ବିଜେପି ଖାତା ଖାଲିକରି ଦେଇଛି । ଏହାପରେ କେତେକ ପୌର ଓ ପଞ୍ଚାୟତିରାଜ ସଂସ୍ଥା ଦଖଲ ପାଇଁ ଉଦ୍ୟମ ଚାଲିଥିବାବେଳେ କେବଳ କଳାହାଣ୍ଡିରେ ବିଜେଡି ବେଦଖଲ ହୋଇଥିବାବେଳେ ଅବିଭକ୍ତ ଫୁଲବାଣୀ ଜିଲ୍ଲାରେ ବିଜେପିକୁ ଝଟକା ଲାଗିଛି । ପୁରୀ ଜିଲ୍ଲାର ନିମାପଡା ଏନଏସିକୁ କବଜା କରିବାପାଇଁ ବିଜେପି ପକ୍ଷରୁ ଯେଉଁ ଉଦ୍ୟମ ହୋଇଥିଲା ତାହା ଅକସ୍ମାତ ବିଫଳ ହୋଇଥିବାବେଳେ ଆଉ କେତେଗୁଡିଏ ପଞ୍ଚାୟତ ଓ ପୌରସଂସ୍ଥା ଉପରେ ଏବେ ରାଜନୈତିକ ପର୍ଯ୍ୟବେକ୍ଷକମାନଙ୍କ ନଜର ।

ବିଜେଡି ସହଯୋଗରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ଦୁଇ ଦୁଇଥର ରାଜ୍ୟସଭାକୁ ନିର୍ବାଚିତ ହୋଇ କେନ୍ଦ୍ରମନ୍ତ୍ରୀ ହୋଇଛନ୍ତି । ରାଜ୍ୟସଭାରେ ବିଜେଡିର ନଅ ଓ ବିଜେପିର ଜଣେ ମାତ୍ର ସାଂସଦ ଥିଲେ । ମମତା ମହାନ୍ତ ଓ ସୁଜିତ କୁମାର ବିଜେଡିରୁ ଇସ୍ତଫା ଦେବାପରେ ଦଳର ସଂଖ୍ୟା ୭କୁ ହ୍ରାସ ପାଇଛି । ଅନ୍ୟ ପକ୍ଷରେ ମମତା ମହାନ୍ତ ବିଜେପି ପ୍ରାର୍ଥୀଭାବେ ପୁର୍ନବାର ନିର୍ବାଚିତ ହେବା ଫଳରେ ରାଜ୍ୟସଭାରେ ବିଜେପିର ଆସନ ସଂଖ୍ୟା ୨କୁ ବଢିଥିଲା । ଏବେ ସୁଜିତ କୁମାରଙ୍କ ଇସ୍ତଫା ଜନିତ କାରଣରୁ ଖାଲି ହୋଇଥିବା ଆସନ ସଂଖ୍ୟା ଦୃଷ୍ଟିରୁ ବିଜେପି ଦଖଲ କରିବାର ଢେର ସମ୍ଭାବନା ଥିବାରୁ ରାଜ୍ୟସଭାରେ ଓଡିଶା ବିଜେପିର ସଂଖ୍ୟା ୩କୁ ବୃଦ୍ଧି ପାଇପାରେ ।

ମମତା ମହାନ୍ତଙ୍କୁ ପୁର୍ନବାର ରାଜ୍ୟସଭା ପ୍ରାର୍ଥୀ କରି ବିଜେପି ସଙ୍କେତ ଦେଇଛି ଯେ ବିଜେଡି ଛାଡି ଆଉ ଯେଉଁ ରାଜ୍ୟସଭା ସାଂସଦ ଆସିବେ ସେମାନଙ୍କୁ ପର୍ଯ୍ୟାୟକ୍ରମେ ପୁଣି ବିଜେପି ଟିକଟରେ ରାଜ୍ୟସଭାକୁ ପଠାଯିବ । ସୁଜିତ କୁମାରଙ୍କ କ୍ଷେତ୍ରରେ ଏହି ନୀତି ଆପଣାଇଲେ ପୁଣି ଦଳ ନୂଆ ଶିକାର କରିପାରେ ବୋଲି ଚର୍ଚ୍ଚା ଚାଲିଛି ।

ଗତ ବିଧାନସଭା ନିର୍ବାଚନରେ ବିଜେପି ୭୮ଟି ଆସନରେ ଜିଣିଥିବାବେଳେ ଆଉ ତିନି ଜଣ ସ୍ୱାଧୀନ ବିଧାୟକଙ୍କ ସମର୍ଥନ ହାସଲ କରି ସଂଖ୍ୟା ୮୧କୁ ବଢାଇଛି । ଅନ୍ୟ ପକ୍ଷରେ ମୁଖ୍ୟ ବିରୋଧିଦଳ ବିଜେଡିର ବିଧାନସଭାରେ ୫୧ଜଣ ସଦସ୍ୟ ଅଛନ୍ତି । ଦଳ ବଦଳ ନିରୋଧ ଆଇନ୍‍ ଯୋଗୁଁ ବିଜେଡି ବିଧାୟକଦଳକୁ ଭାଙ୍ଗିବା ବିଜେପି ପକ୍ଷରେ ଏତେଟା ସହଜ ନୁହେଁ । ଅତୀତରେ ମଧ୍ୟପ୍ରଦେଶରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ସହ କିଛି କଂଗ୍ରେସ ବିଧାୟକ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ମିଶିଥିଲେ ଏବଂ ପରବର୍ତ୍ତୀ ଉପନିର୍ବାଚନରେ ଫଳ ଯାହା ହେଲା ତାହା ସମସ୍ତଙ୍କୁ ଜଣା ।

ଏ ପରିପ୍ରେକ୍ଷୀରେ ବିଜେଡି କିମ୍ବା କଂଗ୍ରେସର କୌଣସି ବିଧାୟକ ବିଧାନସଭାରୁ ଇସ୍ତଫା ଦେଇ ବିଜେପିରେ ମିଶି ପୁଣି ଉପନିର୍ବାଚନ ଲଢି ଜିଣିବା ସହଜ ବ୍ୟାପାର ନୁହେଁ । ତେବେ ଦଳବଦଳ ନିରୋଧ ଆଇନ୍‍ରେ ଥିବା ବ୍ୟବସ୍ଥା ମୁତାବକ ନିର୍ଦ୍ଦିଷ୍ଟ ସଂଖ୍ୟକ ବିଧାୟକ ଏକ ଗୋଷ୍ଠି ଗଠନ କରି ଏକକାଳୀନ ବିଜେପିରେ ଯୋଗଦେଲେ ସେମାନଙ୍କ ସଭ୍ୟପଦ ରଦ୍ଦ ହେବା ସମ୍ଭାବନା ନାହିଁ । ତେବେ ମହାରାଷ୍ଟ୍ରରେ ଶିବସେନା ଓ ଏନ୍‍ସିପିର ବିଭାଜନ ପରେ ସଭ୍ୟପଦ ରଦ୍ଦ ପ୍ରସଙ୍ଗକୁ ଘେନି ଯେଉଁ ବିବାଦ ଲାଗି ରହିଛି ତାହାକୁ ଆଖିଆଗରେ ରଖି କେହି ହଠାତ୍‍ ରିସ୍କ ନେଇ ନପାରନ୍ତି ବୋଲି ରାଜନୈତିକ ପର୍ଯ୍ୟବେକ୍ଷକମାନେ ମତବ୍ୟକ୍ତ କରୁଛନ୍ତି । ଅନ୍ୟପକ୍ଷରେ ତିନି ପ୍ରମୁଖ ରାଜନୈତିକଦଳ ମଧ୍ୟରେ ଅସନ୍ତୋଷ କୁହୁଳୁଥିବାରୁ ଭବିଷ୍ୟତ କ’ଣ ହେବ ତାହା ଅନିଶ୍ଚିତ । (ତଥ୍ୟ)