Home Judiciary ପୁଣି ଉଠିଲା ସ୍ୟାଟ୍‍ ପ୍ରତିଷ୍ଠା ଦାବି

ପୁଣି ଉଠିଲା ସ୍ୟାଟ୍‍ ପ୍ରତିଷ୍ଠା ଦାବି

ଭୁବନେଶ୍ୱର : ରାଜ୍ୟବାସୀଙ୍କୁ ଭାରତୀୟ ଜନତା ପାର୍ଟି ଓ ତା’ର ନେତୃବୃନ୍ଦ ପୂର୍ବରୁ ବାରମ୍ବାର ଦେଇଆସିଥିବା ପ୍ରତିଶ୍ରୁତି ରକ୍ଷା କରି ଓଡ଼ିଶା ପ୍ରଶାସନିକ ନ୍ୟାୟାଧିକରଣ (ସ୍ୟାଟ୍‍)ର ପୁନଃ ପ୍ରତିଷ୍ଠା ଲାଗି ବହୁ କର୍ମଚାରୀ ସଂଗଠନ ଏବଂ ଆଇନ୍‍ଜୀବୀ ସଂଗଠନଗୁଡ଼ିକ ପକ୍ଷରୁ ଦାବି ଉଠିଛି ।

ଏଠାରେ ଉଲ୍ଲେଖନୀୟ ଯେ ସ୍ୟାଟ୍‍ ଉଚ୍ଛେଦ ପାଇଁ ଗତ ସରକରେ ସମୟରେ ଓଡ଼ିଶା ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଦୀର୍ଘବର୍ଷ ଧରି କେନ୍ଦ୍ର ସରକାର ଝୁଲାଇ ରଖିଥିଲେ । ସେ ସମୟରେ ବିଜେପିର ବହୁ କେନ୍ଦ୍ରମନ୍ତ୍ରୀ, ସାଂସଦ ଏବଂ ରାଜ୍ୟ ସ୍ତରୀୟ ନେତା ଏପରିକି ଦଳର ଅଧିବକ୍ତା ଶାଖା ପକ୍ଷରୁ ସ୍ୟାଟ୍‍ ଉଚ୍ଛେଦକୁ ଖୋଲା ବିରୋଧ କରାଯିବା ସହ ନିର୍ବାଚନ ପ୍ରତିଶ୍ରୁତିରେ ମଧ୍ୟ ଏକଥା ଉଲ୍ଲେଖ କରାଯାଇଥିଲା ।

ତେବେ ୨୦୧୯ ନିର୍ବାଚନ ପରେ ବିଜେଡି ସରକାରଙ୍କ ଜିଦ୍‍କୁ ମାନିନେଇ କେନ୍ଦ୍ର ସରକାର ସ୍ୟାଟ୍‍ ଉଚ୍ଛେଦ ଉପରେ ମୋହର ବସାଇଥିଲେ । ସେ ସମୟରେ ବିଜେପି ନେତାମାନନେ କହିଥିଲେ ଯେ ରାଜ୍ୟରେ ସେମାନଙ୍କ ଦଳ ଶାସନ କ୍ଷମତାକୁ ଆସିଲେ କେନ୍ଦ୍ରୀୟ ପ୍ରଶାସନିକ ନ୍ୟାୟାଧିକରଣ (କ୍ୟାଟ୍‍) ଭଳି ସ୍ୟାଟ୍‍ କାର୍ଯ୍ୟକ୍ଷମ ହେବ ।

ଭୁବନେଶ୍ୱର ଓ କଟକରେ ସ୍ୟାଟ୍‍ର ନିୟମିତ ବେଞ୍ଚ ପୂର୍ବରୁ କାର୍ଯ୍ୟ କରୁଥିବା ବେଳେ ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ସର୍କିଟ୍‍ ବେଞ୍ଚ ପ୍ରତି ମାସରେ ବସୁଥିଲା । ନିଯୁକ୍ତି, ପେନ୍‍ସନ୍‍ ଓ ଚାକିରି ସଂକ୍ରାନ୍ତୀୟ ଅନ୍ୟାନ୍ୟ ମାମଲାଗୁଡ଼ିକର ଫଇସଲା କ୍ଷେତ୍ରରେ ଓଡ଼ିଶାର ସ୍ୟାଟ୍‍ ସାରା ଦେଶରେ ସୁନାମ ଅର୍ଜନ କରିଥିଲା । ଏଠାରେ ମାମଲା ରୁଜୁ କରି ଆବେଦନକାରୀମାନେ କମ୍‍ ଅର୍ଥ ବ୍ୟୟରେ ତ୍ୱରିତ ନ୍ୟାୟ ପାଇପାରୁଥିଲେ ଏବଂ ସ୍ୟାଟ୍‍ର ରାୟ ବିରୋଧରେ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଅପିଲ୍‍ ବ୍ୟବସ୍ଥା ଥିଲା । ଫଳରେ ହାଇକୋର୍ଟକୁ ସ୍ୱଳ୍ପ ସଂଖ୍ୟକ ଚାକିରି ଓ ପେନ୍‍ସନ୍‍ ସଂକ୍ରାନ୍ତୀୟ ମାମଲା ଯିବା ଫଳରେ ହାଇକୋର୍ଟଙ୍କ ଉପରେ ମାମଲାର ଚାପା କମ୍‍ ରହୁଥିଲା ।

୫ବର୍ଷ ତଳୁ ସ୍ୟାଟ୍‍ ଉଚ୍ଛେଦ ହୋଇଥିଲେ ମଧ୍ୟ ଏଯାବତ୍‍ ସମସ୍ତ ପୁରୁଣା ମାମଲାର ଫଇସଲା ସରିନାହିଁ । ଏହାଛଡ଼ା ପ୍ରାୟ ପ୍ରତିଦିନ ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି, ପେନ୍‍ସନ୍‍ ଓ ଚାକିରି ସର୍ତ୍ତାବଳୀ ସଂକ୍ରାନ୍ତୀୟ ବହୁ ମାମଲା ରୁଜୁ ହେଉଛି । ଏମିତିକି ହାଇକୋର୍ଟରେ ଯେତେ ସଂଖ୍ୟକ ଅଦାଲତ ଅବମାନନା ମାମଲା ରହିଛି ତା’ର ମୁଖ୍ୟାଂଶ ଚାକିରି ସଂକ୍ରାନ୍ତୀୟ ବୋଲି କୁହାଯାଉଛି । କଟକ ବାହାରେ ନୂଆ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠା ଘେନି ଦାବି ରହିଆସିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ କରିବା ସମୟସାପେକ୍ଷ ହେଉଥିବାରୁ ତୁରନ୍ତ ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ସମ୍ବଲପୁରରେ ସ୍ୟାଟ୍‍ର ନିୟମିତ ବେଞ୍ଚ ସ୍ଥାପନ ଲାଗି ଜିଲ୍ଲା ଓ ରାଜ୍ୟସ୍ତରୀୟ ବହୁ କର୍ମଚାରୀ ସଂଗଠନ ଏବଂ ବିଭିନ୍ନ ଜିଲ୍ଲାର ଆଇନ୍‍ଜୀବୀମାନେ ଦାବି କରୁଛନ୍ତି । (ତଥ୍ୟ)