Home General ଲକ୍ଷ୍ମୀ ବସ୍‍ ସେବାରେ ତିନି ସଂସ୍ଥା

ଲକ୍ଷ୍ମୀ ବସ୍‍ ସେବାରେ ତିନି ସଂସ୍ଥା

ଭୁବନେଶ୍ୱର : ଲକ୍ଷ୍ମୀ ବସ୍‍ ସେବାରେ ତିନିଟି କମ୍ପାନୀ ନିୟୋଜିତ ହୋଇଛନ୍ତି । ଏଗୁଡିକ ହେଲା କୁନାଲ ଟ୍ରାନ୍ସପୋର୍ଟ ପ୍ରାଇଭେଟ ଲିମିଟେଡ, ଚାର୍ଟରଡ୍‍ ସ୍ପିଡ୍‍ ପ୍ରାଇଭେଟ ଲିମିଟେଡ ଓ ପ୍ରୋଗ୍ରେସିଭ ଟ୍ରାନଜିଟ୍‍ ପ୍ରାଇଭେଟ ଲିମିଟେଡ । ଟେଣ୍ଡର ପ୍ରକ୍ରିୟା ମାଧ୍ୟମରେ ଏହି ସଂସ୍ଥାଗୁଡିକୁ ଚୟନ କରାଯାଇଥିବା କହିଛନ୍ତି ରାଜ୍ୟ ବାଣିଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା ।

ଲକ୍ଷ୍ମୀ ବସ୍‍ ଚଳାଚଳ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଓଡିଶାରେ ଲକ୍ଷ୍ମୀ ବସ୍‍ ଚଳାଚଳ ଯୋଜନାରେ ସାରା ରାଜ୍ୟରେ ୧୩୪୦ଟି ବସ୍‍ ଚଳାଚଳ କରୁଛି । ଏହି ଯୋଜନାରେ ସାରା ରାଜ୍ୟରେ ୧୬୨୩ଟି ବସ୍‍ ଆବଶ୍ୟକ ଥିବାବେଳେ ସରକାରଙ୍କ ନିକଟରେ ୧୪୧୬ଟି ବସ୍‍ ପହଞ୍ଚିଛି ଓ ଏଥି ମଧ୍ୟରୁ ୧୩୪୦ଟି ଚଳାଚଳ କରୁଛି ।

ମନ୍ତ୍ରୀ କହିଛନ୍ତି ଯେ ୨୦୨୩ ଅକ୍ଟୋବର ୧୨ ତାରିଖରୁ ଆରମ୍ଭ ହୋଇଥିବା ଏହି ବସ୍‍ ସେବାପାଇ ସରକାର ଚଳିତ ବର୍ଷ ଜୁଲାଇ ଶେଷ ପର୍ଯ୍ୟନ୍ତ ୩୦୧ କୋଟି ୧୯ଲକ୍ଷ ୩୫ହଜାର ୪୬ ଟଙ୍କା ଖର୍ଚ୍ଚ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ୩କୋଟି ଯାତ୍ରୀ ଏହି ସେବାରୁ ଲାଭ ଉଠାଇଛନ୍ତି । ଯାତ୍ରୀମାନଙ୍କ ମଧ୍ୟରେ ୮୦ ପ୍ରତିଶତ ମହିଳା ଏବଂ ଛାତ୍ରଛାତ୍ରୀ ଅଛନ୍ତି । ସବୁଠାରୁ ଅଧିକ ୩୧ଲକ୍ଷରୁ ଅଧିକ ଯାତ୍ରୀ ଗଜପତି ଜିଲ୍ଲାରେ ଯା ଆସ କରିଥିବାବେଳେ ମୟୁରଭଞ୍ଜରେ ଯାତ୍ରୀ ସଂଖ୍ୟା ୨୫ଲକ୍ଷରୁ ଅଧିକ ରହିଛି । କେନ୍ଦୁଝର, ରାୟଗଡା, ସୁନ୍ଦରଗଡ,ଗଞ୍ଜାମ, କଳାହାଣ୍ଡି, କୋରାପୁଟ ଭଳି ଜିଲ୍ଲାରେ ୧୫ଲକ୍ଷରୁ ଅଧିକ କରି ଯାତ୍ରୀ ଲକ୍ଷ୍ମୀ ବସ୍‍ରେ ଯାତାୟତ କରିଛନ୍ତି ।