ଭୁବନେଶ୍ୱର : ବିଗତ ୫ବର୍ଷରେ ଓଡିଶାରେ ବଜ୍ରପାତରେ ୧୬୨୫ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ଦେଶରେ ସର୍ବାଧିକ ଉତ୍ତରପ୍ରଦେଶ ଭଳି ବଡ ରାଜ୍ୟରେ ଏହି ସମୟରେ ମାତ୍ର ୫୪୨ ଜଣ ବଜ୍ରପାତରେ ମରିଛନ୍ତି । ସୁନ୍ଦରଗଡ, କେନ୍ଦୁଝର, ମୟୁରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାରେ ସର୍ବାଧିକ ବଜ୍ରପାତ ଜନିତ ମୃତ୍ୟୁ ଘଟୁଛି । ଗତ ୬ବର୍ଷର ବଜ୍ରାଘାତକୁ ହିସାବରୁ ଜଣାଯଇଛି ଯେ ରାଜ୍ୟରେ ପ୍ରତିବର୍ଷ ହାରାହାରି ୬ଲକ୍ଷରୁ ଅଧିକ ବଜ୍ରାଘାତ ହେଉଛି ।
ବିଜେପି ବିଧାୟକ ଟଙ୍କଥର ତ୍ରିପାଠୀ ପଚାରିଥିବା ଉତ୍ତରରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି ଯେ ମୟୁରଭଞ୍ଜ ଜିଲ୍ଲାରେ ବର୍ଷକୁ ହାରାହାରି ୭୨ହଜାର ଥର ବଜ୍ରାଘାତ ହେଉଥିବାବେଳେ ସୁନ୍ଦରଗଡରେ ୫୦ହଜାର ଓ କେନ୍ଦୁଝରେ ଜିଲ୍ଲାରେ ହାରାହାରି ୪୬ହଜାର ଥର ବଜ୍ରାଘାତ ହେଉଛି । ଅଧ୍ୟୟନରୁ ଜଣାଯାଇଛି ଯେ ଖଣିଜ ସାମଗ୍ରୀ ମହଜୁଦ ଥିବାରୁ ଓଡିଶାରେ ଅଧିକ ପରିମାଣରେ ବଜ୍ରପାତ ହେଉଛି । ଖଣିଜ ସାମଗ୍ରୀରେ ସୁପରିବାହୀ ସାମଗ୍ରୀ ଥିବାରୁ ଅଧିକ ବଜ୍ରପାତ ହେଉଛି ।
ବଜ୍ରାଘାତ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତ ଏକ ପ୍ରାକୃତିକ ବିପର୍ଯ୍ୟୟ ନହେଲେ ମଧ୍ୟ ରାଜ୍ୟ ସରକାର ୨୦୧୫ ମସିହା ଠାରୁ ଏହାକୁ ରାଜ୍ୟ ବିପର୍ଯ୍ୟୟ ଭାବେ ଘୋଷଣା କରିଛନ୍ତି । ତଦନୁଯାୟୀ ବଜ୍ରାଘାତରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ବର୍ତ୍ତମାନ ୪ଲକ୍ଷ ସହାୟତା ପ୍ରଦାନ କରାଯାଉଛି । ତେବେ ଏହି ସହାୟତା ରାଶିକୁ ୧୦ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ସହିତ ଓଡିଶାର ଯେଉଁମାନେ ରାଜ୍ୟ ବାହାରେ ବଜ୍ରପାତରେ ମୃତ୍ୟୁବରଣ କରୁଛନ୍ତି ସେମାନଙ୍କ ସହାୟତା ପ୍ରଦାନ ଲାଗି ବିଜେଡି ବିଧାୟକ ଅଶ୍ୱିନୀ ପାତ୍ର କହିଥିଲେ ।
ସେହିଭଳି ଅନ୍ୟ ରାଜ୍ୟର ଶ୍ରମିକମାନେ ଓଡିଶାରେ କାମ କରୁଥିବାବେଳେ ବଜ୍ରପାତରେ ମୃତ୍ୟୁବରଣ କରୁଥିବାରୁ ସେମାନଙ୍କୁ ଏହି ଅନୁକମ୍ପା ସହାୟତା ରାଶି ମିଳିବ କି ନାହିଁ ପ୍ରଶ୍ନ କରିଥିଲେ । ଉତ୍ତରରେ ମନ୍ତ୍ରୀ କହିଥିଲେ ରାଜ୍ୟରେ ବିପର୍ଯ୍ୟୟ ପରିଚାଳନା ପାଇଁ କେନ୍ଦ୍ର ସରକାର ବର୍ଷକୁ ୨୨୦୦ ରୁ ୨୩୦୦ କୋଟି ଟଙ୍କା ପ୍ରଦାନ କରୁଛନ୍ତି । ଏଥିରୁ ୨୦୦ କୋଟି ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ରହିଛି । ତେଣୁ ବିଧାୟକଙ୍କ ପ୍ରସ୍ତାବ ଉପରେ ସରକାର ବିଚାର କରିବେ । ସେହିଭଳି ମନ୍ତ୍ରୀ କହିଥିଲେ ଯେ ସମ୍ବଲପୁର ଓ ବାଲେଶ୍ୱର ଠାରେ ଡୋପଲାର ରାଡାର ପ୍ରତିଷ୍ଠା ପାଇଁ ନିର୍ମାଣ କାର୍ଯ୍ୟ ଜାରି ରହିଛି । ବିଜେପି ସଦସ୍ୟ ଲକ୍ଷ୍ମଣ ବାଗଙ୍କ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଶ୍ରୀ ପୂଜାରୀ କହିଥିଲେ ଯେ ବଲାଙ୍ଗିର ଜିଲ୍ଲାରେ ୫ବର୍ଷରେ ୫୫ଜଣ ବ୍ୟକ୍ତି ବଜ୍ରାଘାତରେ ପ୍ରାଣ ହରାଇଛନ୍ତି ।
ମନ୍ତ୍ରୀ କହିଥିଲେ ଯେ ବଜ୍ରାଘାତ ସମୟରେ ୧୦୦ ନିୟୁତ ୱାଟ୍ର ବିଜୁଳି ପ୍ରବାହିତ ହେଉଥିବାବେଳେ ୩୦ହଜାର ଡିଗ୍ରୀ ତାପମାତ୍ରା ଉତ୍ପନ୍ନ ହୋଇଥାଏ । ବୈଜ୍ଞାନିକ ପଦ୍ଧତିରେ ଏହି ଶକ୍ତିକୁ ଯଦି ସଂରକ୍ଷଣ କରାଯାଇ ପାରିବ ତେବେ ଆମେ ସାରା ବିଶ୍ୱକୁ ଶକ୍ତି ବିକ୍ରି କରିପାରିବା । ମନ୍ତ୍ରୀ କହିଥିଲେ ଯେ ବଜ୍ରପାତ ନିଦ୍ଦିଷ୍ଟ କୌଣସି ସ୍ଥାନରେ ହେବ ତାହା ଠାବ କରିବାର ଜ୍ଞାନକୌଶଳ ବୈଜ୍ଞାନିକମାନେ ଏପର୍ଯ୍ୟନ୍ତ ବାହାର କରିପାରି ନାହାନ୍ତି ।
ଏହାର ନିରାକରଣର ଏକମାତ୍ର ଉପାୟ ହେଲା ଜନସଚେତନତା । ଏଥିପାଇଁ ସରକାର ବ୍ୟାପକ ପଦକ୍ଷେପ ଗ୍ରହଣ କରୁଛନ୍ତି । ସେହିଭଳି ରାଜ୍ୟ ସରକାର ତାଳଗଛ ଲଗାଇବା ଉପରେ ଗୁରୁତ୍ୱ ଦେଉଛନ୍ତି । ଏଥିପାଇଁ ଜଙ୍ଗଲ ଓ ପରିବେଶ ବିଭାଗକୁ ୭କୋଟି ଟଙ୍କା ପ୍ରଦାନ କରାଯାଇଛି । ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ମୂଳ ପ୍ରଶ୍ନ ଉପରେ ସଦସ୍ୟ ଲକ୍ଷ୍ମଣ ବାଗ୍, ଅଶ୍ୱିନୀ ପାତ୍ର ଓ ତାରା ପ୍ରସାଦ ବାହିନିପତି ପ୍ରମୁଖ ଅତିରିକ୍ତ ପ୍ରଶ୍ନମାନ ପଚାରିଥିଲେ ।