Home Administration ଜିଲ୍ଲାକୁ ଯିବେ ସଚିବ

ଜିଲ୍ଲାକୁ ଯିବେ ସଚିବ

ଭୁବନେଶ୍ୱର : ଏଣିକି ପ୍ରତି ମାସରେ ବିଭିନ୍ନ ଜିଲ୍ଲାକୁ ଶାସନ ସଚିବମାନେ ଦୁଇ-ତିନି ଦିନ ପରିଦର୍ଶନରେ ଯିବେ । ଗସ୍ତ ସମୟରେ ଗୁରୁତ୍ୱପୂର୍ଣ୍ଣ ସରକାରୀ ଯୋଜନା ଏବଂ କାର୍ଯ୍ୟକ୍ରମଗୁଡିକର କାର୍ଯ୍ୟାନ୍ଵୟନକୁ ତଦାରଖ କରିବେ, ଯାହା ଦ୍ଵାରା ପ୍ରଶାସନକୁ ଲୋକାଭିମୁଖୀ ଓ ଅଧିକ ଗତିଶୀଳ କରାଯିବା ସହ ଜନସାଧାରଣଙ୍କୁ ସଠିକ ଭାବରେ ବିଭିନ୍ନ  ସେବା ଯୋଗାଇବା ସୁନିଶ୍ଚିତ କରିହେବ ।

ଏହିସବୁ ଯୋଜନା ମଧ୍ୟରେ ରହିଛି  ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଏବି- ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା, ସୁଭଦ୍ରା ଯୋଜନା, ପାନୀୟ ଜଳ-ପାଇପ୍ ଓ୍ୱାଟର ସପ୍ଲାଏ ସ୍କିମ୍ ଓ ସାନିଟେସନ, ସେତୁ ବନ୍ଧନ ଯୋଜନା, ପିଏମ- ସ୍କୁଲ୍ସ ଫର ରାଇଜିଂ ଇଣ୍ଡିଆ,  ସାଧାରଣ ଖାଉଟି ବଣ୍ଟନ ବ୍ୟବସ୍ଥା, ଜାତୀୟ ସାମାଜିକ ସୁରକ୍ଷା ଯୋଜନା, ମଧୁବାବୁ ପେନସନ ଯୋଜନା,  ଗ୍ରାମ୍ୟ ବିଦ୍ୟୁତିକରଣ, ଗ୍ରାମ୍ୟ ଶିଳ୍ପ ପାର୍କ, ବନ୍ଦର, ଜିଲ୍ଲାସ୍ତର ଏବଂ ଉପଖଣ୍ଡ ସ୍ତରରେ ଅଭିଯୋଗ ଶୁଣାଣି ପ୍ରକ୍ରିୟା  ସହ ଜନ ଶୁଣାଣି ପୋର୍ଟାଲରେ ଶୁଣାଣି ହୋଇନଥିବା ଅଭିଯୋଗ । ଏତତ୍ ବ୍ୟତୀତ ଆଉ ଯେଉଁସବୁ ସରକାରୀ କାର୍ଯ୍ୟକ୍ରମ ଚାଲୁ ରହିଛି, ସେ ସମ୍ପର୍କରେ ମଧ୍ୟ ତଦାରଖ, ସମୀକ୍ଷା କରି ଆବଶ୍ୟକ ନିର୍ଦ୍ଦେଶ ଓ ପରାମର୍ଶ ଦେବେ ।

ଅଧିକାରୀମାନେ ନିଜ ଇଚ୍ଛା ଅନୁସାରେ ଜିଲ୍ଲା ମଧ୍ୟସ୍ଥ ଯେକୌଣସି ସ୍ଥାନକୁ ପରିଦର୍ଶନ ପାଇଁ ଚିହ୍ନଟ କରିବେ । ସେଥି ମଧ୍ୟରେ ଅପହଞ୍ଚ ଓ ଆଦିବାସୀ ବହୁଳ ଅଞ୍ଚଳ ସାମିଲ ରହିବ ।  ଗସ୍ତ ସମୟରେ ସେମାନେ କୌଣସି ଗୋଟିଏ ଗ୍ରାମ ପଂଚାୟତ ପରିଦର୍ଶନ କରିବେ ଏବଂ ସେହି ପଞ୍ଚାୟତରେ ସରକାରଙ୍କର ବିଭିନ୍ନ ଯୋଜନାରେ ମୌଳିକ ସୁବିଧାଗୁଡିକ ପୂର୍ଣ ମାତ୍ରାରେ ଉପଲବ୍ଧ ହେଉଛି କି ନାହିଁ, ସେ ସଂପର୍କରେ ତଦାରଖ କରିବେ ।

ଅଧିକାରୀମାନେ ଗସ୍ତ ସମୟରେ ଦିନକୁ ଅତି କମରେ ଥରେ(ଧାର୍ଯ୍ୟ ମୂଲ୍ୟ ଦେଇ) ଅନୁସୂଚିତ ଜନଜାତି/ ଅନୁସୂଚିତ ଜାତି ଛାତ୍ରାବାସ କିମ୍ବା ସ୍କୁଲରେ ଆୟୋଜିତ ମଧ୍ୟାନ୍ନ ଭୋଜନରେ କିମ୍ବା ଆହାର କେନ୍ଦ୍ରରେ ଅଥବା ଏକ ଅନାଥ ଆଶ୍ରମରେ ଭୋଜନ କରିବା ସହିତ ଖାଦ୍ୟର ଗୁଣବତ୍ତା ଏବଂ ସେଠାକାର ପରିବେଶ ପରିସ୍ଥିତି ଉପରେ ଦୃଷ୍ଟି ଦେବେ । ଏହି ସମୟରେ ସେମାନେ ଛାତ୍ର ଛାତ୍ରୀ ଏବଂ ଅନ୍ତେବାସୀମାନଙ୍କ ସହିତ ମଧ୍ୟ ଆଳାପ ଆଲୋଚନା କରିବେ ଏବଂ ସେଠାରେ ଉପଲବ୍ଧ ସୁରକ୍ଷା ,ସୁବିଧା ସୁଯୋଗ ଓ ସେମାନଙ୍କ ପ୍ରତି ଭଲ ବ୍ୟବହାର କରାଯାଉଛି କି ନାହିଁ ସେ  ସମ୍ପର୍କରେ ପଚାରି ବୁଝିବେ । ପରିଦର୍ଶନ ସମୟରେ ସଚିବମାନେ ବିଭିନ୍ନ ବର୍ଗର ଜନସାଧାରଣ, ବିଶେଷ ଭାବରେ ଚିକିତ୍ସାଳୟରେ ଥ‌ିବା ରୋଗୀ, ଅଙ୍ଗନଓ୍ୱାଡି ହିତାଧିକାରୀ, ବିଦ୍ୟାଳୟ ଓ ଛାତ୍ରୀନିବାସର ବାଳିକାମାନଙ୍କ ସହିତ କଥାବାର୍ତ୍ତା କରି ସେମାନଙ୍କର ମତାମତ ନେବେ ।

ଆଠଗୋଟି ମୁଖ୍ୟ ଡିଏମଏଫ୍ ଜିଲ୍ଲା ଯଥା: ଅନଗୁଳ, ଯାଜପୁର, ଝାରସୁଗୁଡା, କେନ୍ଦୁଝର, କୋରାପୁଟ, ମୟୂରଭଞ୍ଜ,ରାୟଗଡା,ସୁନ୍ଦରଗଡ଼ଗୁଡିକରେ ଅଧିକାରୀ ମାନେ ଜିଲ୍ଲା ଖଣିଜ ପାଣ୍ଠି (ଡିଏମଏଫ)ଏବଂ ଓମବାଡସିପାଣ୍ଠିର ବିନିଯୋଗ ସମ୍ବନ୍ଧରେ ସମୀକ୍ଷା କରିବେ । ଏହି ଗସ୍ତ ମଧ୍ୟରେ ରାଜ୍ୟରେ ଥିବା ୧୬ ଜିଲ୍ଲାର ୨୯ ଟି ଆକାଂକ୍ଷୀ ବ୍ଲକ ଅନ୍ତର୍ଭୁକ୍ତ ରହିଛି ।  ବିଭିନ୍ନ ମାନଦଣ୍ଡକୁ ନେଇ ବିକାଶ ତ୍ୱରାନ୍ୱିତ ହେଉଥିବା ଆକାଂକ୍ଷୀ ଜିଲ୍ଲାକୁପରିଦର୍ଶନ ପାଇଁ ଯାଉଥିବା  ଅଧିକାରୀମାନେ ସ୍ଵତନ୍ତ୍ର ଭାବରେ ଆକାଂକ୍ଷୀ ଜିଲ୍ଲାର ପ୍ରଗତି ସମୀକ୍ଷା କରିବେ । 

କ୍ଷେତ୍ର ପରିଦର୍ଶନ ସମାପ୍ତି ପରେ, ପରିଲକ୍ଷିତ ଗୁରୁତ୍ଵପୁର୍ଣ୍ଣ  ବିଷୟଗୁଡିକ ଉପରେ ଜିଲ୍ଲାପାଳ ଓ ସମସ୍ତ ଜିଲ୍ଲା ଅଧିକାରୀମାନଙ୍କ ସହିତ ଅନ୍ୟୁନ ଅଧା ଦିନ ଆଲୋଚନା କରି ନିଜସ୍ୱ  ମନ୍ତବ୍ୟ ପ୍ରଦାନ କରିବେ;ଜିଲ୍ଲାରେ କାର୍ଯ୍ୟକାରୀ ହେଉଥ‌ିବା ସମସ୍ତ ଯୋଜନାଗୁଡିକ ସମୀକ୍ଷା କରିବା ସହ ଜିଲ୍ଲାରେ ଅବସ୍ଥିତ ବନ୍ଦର, ବିମାନ ବନ୍ଦର, ଶିଳ୍ପ ପାର୍କ ଏବଂ କରିଡୋର ,ଭେଷଜ ମହାବିଦ୍ୟାଳୟ ଓ ବୃହତ ଜଳସେଚନ ପ୍ରକଳ୍ପ ଗୁଡିକୁ ସମୀକ୍ଷା କରିବା ସହ ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥ‌ିବା କେତକ ପ୍ରମୁଖ ନୂତନ ପ୍ରକଳ୍ପ ଗୁଡିକ ସଂପର୍କରେ  ମଧ୍ୟ  ସମୀକ୍ଷା କରିବେ ।ଅଧିକାରୀମାନେ  ପ୍ରତିଟି ପରିଦର୍ଶନର ସାରାଂଶ ବିବରଣୀ ମୁଖ୍ୟ ଶାସନ ସଚିବ ଏବଂ  ଉନ୍ନୟନ କମିଶନରଙ୍କ ଅବଗତି ନିମନ୍ତେ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି  ।

ସଚିବମାନଙ୍କ ଗସ୍ତ ପରିପ୍ରେକ୍ଷୀରେ ଏଥିପାଇଁ  ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି । ଏ ସଂପର୍କରେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ  ରାଜ୍ୟ ସରକାରଙ୍କ ବିଭିନ୍ନ  ବିଭାଗ ଦାୟିତ୍ୱରେ ଥିବା  ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, କମିଶନର ତଥା ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନଙ୍କର ଜିଲ୍ଲା ପରିଦର୍ଶନ ପରିପ୍ରେକ୍ଷୀରେ ନିର୍ଦ୍ଦେଶନାମା ପଠାଇଛନ୍ତି । ସେଥିରେ ଶାସନ ସଚିବ ଓ ବରିଷ୍ଠ ଅଧିକାରୀମାନଙ୍କୁ ଜିଲ୍ଲା ପରିଦର୍ଶନ ପରିପ୍ରେକ୍ଷୀରେ କି କି କାର୍ଯ୍ୟ ତଦାରଖ କରିବେ, ସମୀକ୍ଷା କରିବେ ସେଥିପାଇଁ ପରାମର୍ଶ ଦିଆଯାଇଛି । ସମସ୍ତଙ୍କ ସୁବିଧା ଏବଂ ଅଧ‌ିକ ସ୍ୱଚ୍ଛତା ପାଇଁ ଖୁବ୍ ଶୀଘ୍ର ଏହି ସମ୍ବନ୍ଧରେ ଏକ ପୋର୍ଟାଲ୍ ବ୍ୟବସ୍ଥା  କରାଯାଇ ପରିଦର୍ଶନ ଟିପ୍ପଣୀ ଗୁଡିକୁ ଅପଲୋଡ୍ କରାଯିବା ସଂପର୍କରେ ଯୋଜନା ଓ ସଂଯୋଜନ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି  ।