Home General ଓମଫେଡ୍‍ ସଂଗ୍ରହ କରୁଛି ୫ଲକ୍ଷ ଲିଟର ଦୁଗ୍ଧ

ଓମଫେଡ୍‍ ସଂଗ୍ରହ କରୁଛି ୫ଲକ୍ଷ ଲିଟର ଦୁଗ୍ଧ

ଭୁବନେଶ୍ୱର : ଓମଫେଡ୍‍ ଏବେ ଦୈନିକ ଦୁଗ୍ଧ ଚାଷୀଙ୍କ ଠାରୁ ଦୈନିକ ୫ଲକ୍ଷ ଲିଟର ଦୁଗ୍ଧ ସଂଗ୍ରହ କରୁଛି । ସବୁଠାରୁ ଅଧିକ ୭୨,୩୩୮ ଲିଟର ଦୁଗ୍ଧ ଜଗତ୍‍ସିଂହପୁର ଜିଲ୍ଲାରୁ ସଂଗ୍ରହ ହେଉଥିବାବେଳେ ଏହା ପଛକୁ କଟକ ଜିଲ୍ଲା ରହିଛି ।

ଓମଫେଡ୍‍ର ଦୁଗ୍ଧ ସଂଗ୍ରହ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି । ମନ୍ତ୍ରୀ ଉଲ୍ଲେଖ କରିଛନ୍ତି ଯେ ଓମଫେଡ୍‍ ରାଜ୍ୟରୁ ଦୈନିକ ୫ଲକ୍ଷ ୭୦ଲିଟର ଦୁଗ୍ଧ ସଂଗ୍ରହ କରୁଛି । ସର୍ବାଧିକ ଦୁଗ୍ଧ ସଂଗ୍ରହ ଜଗତ୍‍ସିଂହପୁର ଜିଲ୍ଲାରୁ ହୋଇଥିବାବେଳେ ଏକ୍ଷେତ୍ରରେ କଟକ ଦ୍ୱିତୀୟ ଓ ବଲାଙ୍ଗିର ତୃତୀୟ ସ୍ଥାନରେ ରହିଛି । ବଲାଙ୍ଗିର ଜିଲ୍ଲାରୁ ଦୈନିକ ୪୮,୪୯୫ ଲିଟର ଦୁଗ୍ଧ ସଂଗ୍ରହ ହେଉଛି । ସବୁଠାରୁ କମ୍‍ ମାତ୍ର ୩୩୫ ଲିଟର ଦୁଗ୍ଧ ମାଲକାନଗିରି ଜିଲ୍ଲାରୁ ସଂଗ୍ରହ ହେଉଥିବାବେଳେ ଗଜପତିରୁ ୪୪୮, କୋରାପୁଟରୁ ୯୫୧ ଲିଟର ସଂଗ୍ରହ ହେଉଛି ।

ସେହିଭଳି ରାଜ୍ୟରେ ୧,୨୦,୨୫୭ ଦୁଗ୍ଧ ଚାଷୀ ରହିଛନ୍ତି । ଜଗତସିଂହପୁର ଜିଲ୍ଲାରେ ୧୭ହଜାରରୁ ଅଧିକ ଦୁଗ୍ଧ ଚାଷୀ ଥିବାବେଳେ ବାଲେଶ୍ୱର ଜିଲ୍ଲାରେ ୧୪,୩୪୭, କଟକରେ ୧୩,୮୨୩, ଭଦ୍ରକରେ ୧୨,୩୦୫, ବଲାଙ୍ଗିରରେ ୧୦,୧୨୯ ଦୁଗ୍ଧଚାଷୀ ରହିଛନ୍ତି । ସବୁଠାରୁ କମ୍‍ ମାତ୍ର ୧୩୯ଜଣ ଦୁଗ୍ଧଚାଷୀ ମାଲକାନଗିରି ଜିଲ୍ଲାରେ ଥିବାବେଳେ ନୟାଗଡରେ ଏମାନଙ୍କ ସଂଖ୍ୟା ୧୫୫ ରହିଛି । ବେଦଗଡ, କୋରାପୁଟ, ରାୟଗଡା, ନୂଆପଡା, ମୟୁରଭଞ୍ଜ ଓ ଗଜପତି ଜିଲ୍ଲାରେ ଦୁଗ୍ଧ ଚାଷୀଙ୍କ ସଂଖ୍ୟା ୫ଶହରୁ କମ୍‍ ରହିଛି ।

ରାଜ୍ୟରେ ଦୁଗ୍ଧଚାଷୀମାନଙ୍କର ୧୦୨୯ଟି ପଞ୍ଜିକୃତ ସମିତି ଥିବାବେଳେ ଅଣପଞ୍ଜିକୃତ ସମିତିସଂଖ୍ୟା ୨୮୯୧ ବୋଲି ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।