Home Health ସ୍ଥାୟୀ ହେବେନି ରକ୍ତଭଣ୍ଡାର କର୍ମଚାରୀ

ସ୍ଥାୟୀ ହେବେନି ରକ୍ତଭଣ୍ଡାର କର୍ମଚାରୀ

ଭୁବନେଶ୍ୱର : ରାଜ୍ୟର ରକ୍ତଭଣ୍ଡାରଗୁଡିକରେ କାର୍ଯ୍ୟରତ ଅସ୍ଥାୟୀ ଓ ଠିକା କର୍ମଚାରୀମାନେ ସ୍ଥାୟୀ ନିଯୁକ୍ତି ପାଇପାରିବେ ନାହିଁ । ଏମାନେ ନିଯୁକ୍ତି ନିମନ୍ତେ ପ୍ରଚଳିତ ନିୟମରେ ଉଦ୍ଦିଷ୍ଟ ନିର୍ଦ୍ଧାରିତ ମାନଦଣ୍ଡ ପୂରଣ କରୁନଥିବାରୁ ଏମାନଙ୍କ ନିଯୁକ୍ତିକୁ ସ୍ଥାୟୀ କରିବା ସମ୍ଭବପର ନୁହେଁ ବୋଲି ସରକାର କହିଛନ୍ତି ।

ଏଭଳି ନିଷ୍ପତ୍ତି ଶୁଣିଲା ପରେ ସାତ ଶହରୁ ଅଧିକ ଅସ୍ଥାୟୀ ଓ ଠିକା କର୍ମଚାରୀ ଏବେ ନିରାଶ ହୋଇଛନ୍ତି । ଏମାନେ ରାଜ୍ୟରେ ଥିବା ୫୫ଟି ସରକାରୀ ରକ୍ତଭଣ୍ଡାରରେ କାର୍ଯ୍ୟ କରୁଛନ୍ତି । ଏହିସବୁ ରକ୍ତଭଣ୍ଡାରରେ କାମ କରୁଥିବା ଏହି ଅସ୍ଥାୟୀ ଓ ଠିକା କର୍ମଚାରୀମାନେ ଦୀର୍ଘଦିନ ଧରି ସ୍ୱଳ୍ପ ପାରିଶ୍ରମିକରେ କାର୍ଯ୍ୟ କରୁଥିବାବେଳେ ଚାକିରି ନିୟମିତ କରିବାପାଇଁ ବିଭିନ୍ନ ଫୋରମରେ ଦାବି କରି ଆସୁଥିଲେ ।

କିଛି କର୍ମଚାରୀଙ୍କ କହିବାକଥା ଯେ ରକ୍ତ ଯୋଗାଣ ଭଳି ଜରୁରୀ ସେବା ଯୋଗାଉଥିବା ବହୁ କର୍ମଚାରୀ ଦିନ ରାତି କାର୍ଯ୍ୟ କରିଥାନ୍ତି । ଲୋକଙ୍କ ଜୀବନ ରକ୍ଷାପାଇଁ ଏମାନେ ରକ୍ତଭଣ୍ଡାରଗୁଡିକରେ ପ୍ରମୁଖ ଦାୟିତ୍ୱ ତୁଲାଉଥିବାବେଳେ ଏମାନଙ୍କୁ ରକ୍ତଭଣ୍ଡାର ନିକଟରେ ରହିବାପାଇଁ ଘର ଖଣ୍ଡିଏ ବି ଯୋଗାଇ ଦିଆଯାଉ ନାହିଁ । ଗୋଟିଏ ପଟେ ସ୍ୱଳ୍ପ ପାରିଶ୍ରମିକ ଓ ଅନ୍ୟ ପଟେ ରହିବାରେ ସମସ୍ୟା ଯୋଗୁଁ ରାତିରେ କାର୍ଯ୍ୟ କରୁଥିବା ବହୁ କର୍ମଚାରୀ ହଇରାଣ ହରକତ ହେଉଛନ୍ତି ।

ରାଜ୍ୟରେ ଥିବା ସରକାରୀ ରକ୍ତଭଣ୍ଡାରରେ ୬୫ଜଣ ସ୍ଥାୟୀଡାକ୍ତର କାର୍ଯ୍ୟରତ ଥିବାବେଳେ ୩ଜଣ ଅସ୍ଥାୟୀ ଡାକ୍ତର ରହିଛନ୍ତି । ଏଠାରେ ଡାକ୍ତରଙ୍କୁ ବାଦ୍‍ ଦେଲେ ଅନ୍ୟ ପ୍ରାୟ ସମସ୍ତ କର୍ମଚାରୀ ମୁଖ୍ୟତଃ ଠିକା ଓ ଅସ୍ଥାୟୀ । ଏମାନେ ହିଁ ରକ୍ତଭଣ୍ଡାରକୁ ଚଳାଇଛନ୍ତି । ଖାଲି ରୋଗୀଙ୍କୁ ରକ୍ତ ଯୋଗାଣ କରନ୍ତି ନାହିଁ, ବିଭିନ୍ନ ସ୍ଥାନରୁ ରକ୍ତ ସଂଗ୍ରହ କ୍ଷେତ୍ରରେ ମଧ୍ୟ ଏମାନଙ୍କର ପ୍ରମୁଖ ଭୂମିକା ରହିଥାଏ । ସରକାରୀ ଓ ବେସରକାରୀ ସଂସ୍ଥାମାନେ ଯେଉଁଠାରେ ରକ୍ତଦାନ କାର୍ଯ୍ୟକ୍ରମ ଆୟୋଜନ କରନ୍ତି ସେଠାରେ ଏହି ଠିକା ଓ ଅସ୍ଥାୟୀ କର୍ମାଚାରୀମାନେ ହିଁ ରକ୍ତ ସଂଗ୍ରହ କରିଥାନ୍ତି ।

ଦୀର୍ଘଦିନ ଧରି ଏହି ଅସ୍ଥାୟୀ କର୍ମଚାରୀମାନେ ସ୍ଥାୟୀ ହେବାପାଇଁ ବିଭିନ୍ନ ସ୍ତରରେ ଉଦ୍ୟମ ଚଳାଇଥିବାବେଳେ ଏବେ ସେମାନଙ୍କୁ ସ୍ଥାୟୀ କରାଯାଇ ପାରିବ ନାହିଁ ସରକାର ସଫା ସଫା ଶୁଣାଇ ଦେଇଛନ୍ତି । ଏଭଳି ନିଷ୍ପତ୍ତି ପରେ ଏହାର ପ୍ରଭାବ ରକ୍ତଭଣ୍ଡାର କାର୍ଯ୍ୟ ଉପରେ କିଭଳି ପ୍ରଭାବ ପକାଇବ ତାହା ଉପରେ ଏବେ ସମସ୍ତଙ୍କ ନଜର । ତେବେ ଅସ୍ଥାୟୀ କର୍ମଚାରୀମାନେ ସେମାନଙ୍କ ଦାବି ପ୍ରତି ସରକାର ପୁର୍ନବାର ସଦୃଦୟତାର ସହ ବିଚାର ପାଇଁ ନିବେଦନ କରିଛନ୍ତି । (ତଥ୍ୟ)