Home Health ଖାଲି ପଡିଛି ୯୨୬୮ ଡାକ୍ତର ପଦବୀ

ଖାଲି ପଡିଛି ୯୨୬୮ ଡାକ୍ତର ପଦବୀ

ଭୁବନେଶ୍ୱର : ରାଜ୍ୟରେ ମୋଟ୍‍ ୧୫୭୭୪ଟି ଏଲୋପାଥିକ ଡାକ୍ତର ପଦବୀ ଥିବାବେଳେ ଏଥିରୁ ୯୨୬୮ ଟି ପଦବୀ ଖାଲି ପଡିଛି । ଏହିସବୁ ଡାକ୍ତର ପଦବୀ ବିଭିନ୍ନ ଜିଲ୍ଲାରେ ଥିବା ସରକାରୀ ଡାକ୍ତରଖାନା ସମେତ କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ୍‍ ରାଉରକେଲା ଓ ଜେଲ୍‍ ଡାକ୍ତରଖାନା ଆଦିରେ ରହିଛି ।

ଡାକ୍ତର ପଦବୀ ସଂକ୍ରାନ୍ତରେ ବିଜପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ । ସ୍ୱାସ୍ଥ୍ୟମନ୍ତ୍ରୀ ତାଙ୍କ ଉତ୍ତରରେ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ମୋଟ୍‍ ୧୬୭୫ଟି ବିଭିନ୍ନ କିସମର ଡାକ୍ତରଖାନା ରହିଛି । ଏଥି ମଧ୍ୟରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଉପଖଣ୍ଡ ସ୍ତରୀୟ ଚିକିତ୍ସାଳୟ, ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ରହିଛି । ଏହାବାଦ୍‍ ୫୬୨ଟି ହୋମିଓପାଥିକ୍‍, ୬୨୦ଟି ଆର‌୍ୟୁବେଦିକ୍‍ ଡାକ୍ତରଖାନା ରହିଛି ।

ଡାକ୍ତରଖାନାଗୁଡିକରେ ମୋଟ୍‍ ୧୫,୭୭୪ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଛି । ଏହିସବୁ ପଦବୀରେ ୬୫୦୬ ଜଣ ଡାକ୍ତର କାର୍ଯ୍ୟ କରୁଛନ୍ତି । ରାଜ୍ୟର ୩୦ଟି ଜିଲ୍ଲାରେ ୮୯୧୨ଟି ଡାକ୍ତର ପଦବୀ ଖାଲି ପଡିଥିବାବେଳେ କ୍ୟାପିଟାଲ ହସ୍ପିଟାଲରେ ୫୮ଟି ଡାକ୍ତର ପଦବୀ ଖାଲି ପଡିଛି । ଆରଜିଏସ୍‍ ରାଉରକେଲାରେ ୬୦ଟି ଡାକ୍ତର ପଦବୀ ଖାଲି ଅଛି । ଜିଲ୍ଲାଗୁଡିକ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ସର୍ବାଧିକ ୧୦୮୨ ଟି ଡାକ୍ତର ପଦବୀ ଥିବାବେଳେ ଏଠାରେ ୭୪୭ ଡାକ୍ତର ପଦବୀ ଖାଲି ରହିଛି । ଝାରସୁଗୁଡା ଜିଲ୍ଲାରେ ୨୬୮ଟି ଡାକ୍ତର ପଦବୀ ଥିବାବେଳେ ସେଥିରୁ ୧୫୩ଟି ପଦବୀ ଖାଲି ଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।

ଖାଲି ପଡିଥିବା ଡାକ୍ତର ପଦବୀଗୁଡିକୁ ଓପିଏସସି ଓ ଚୁକ୍ତିଭିତ୍ତିକ ଚୟନ ମାଧ୍ୟମରେ ପୂରଣ କରିବାପାଇଁ ସରକାର ବିହିତ କାର୍ଯ୍ୟାନୁଷ୍ଠାନ ନେଉଥିବାବେଳେ ସ୍ୱାସ୍ଥ୍ୟ ଅନୁଷ୍ଠାନମାନଙ୍କରେ ସମୁଦାୟ ୨୬୯୮ ମଞ୍ଜୁରୀପ୍ରାପ୍ତ ଫର୍ମାସୀ ଅଫିସର, ୧୪୪୫ ଲାବୋରଟାରୀ ଟେକ୍ନିସିଆନ ଓ ୬୫୫ଟି ମଞ୍ଜୁରୀପ୍ରାପ୍ତ ରେଡିଓଗ୍ରାଫର ପଦବୀ ଖାଲି ପଡିଛି । ଖାଲି ପଡିଥିବା ପଦବୀ ମଧ୍ୟରୁ ୩୩୮ଟି ରେଡିଓଗ୍ରାଫର ପଦବୀ ଓ ୨୦୬ ଗୋଟି ଫର୍ମାସୀ ଅଫିସର ପଦବୀ ପୂରଣ ପାଇଁ ପ୍ରକ୍ରିୟା ଜାରି ରହିଛି ।