Home General ଇ-ଡେସ୍‍ପାଚରେ ୫କୋଟି ଖର୍ଚ୍ଚ

ଇ-ଡେସ୍‍ପାଚରେ ୫କୋଟି ଖର୍ଚ୍ଚ

ଭୁବନେଶ୍ୱର : ବର୍ତ୍ତମାନ ସୁଦ୍ଧା ଇ-ଡେସ୍‍ପାଚ୍‍ ବ୍ୟବସ୍ଥାର ରକ୍ଷଣା ବେକ୍ଷଣ ଓ ପରିଚାଳନା ବାବଦରେ ମୋଟ୍‍ ୫କୋଟି ୨୨ଲକ୍ଷ ୯୨ହଜାର ଟଙ୍କା ଖର୍ଚ୍ଚ ହେଲାଣି । କାର୍ଯ୍ୟାଦେଶ ପାଇଥିବା ସଂସ୍ଥା ସିଏସ୍‍ଏମ୍‍ ଟେକ୍ନୋଲୋଜି ପ୍ରାଇଭେଟ୍‍ ଲିମିଟେଡକୁ ଏହି ଅର୍ଥ ପ୍ରଦାନ କରାଯାଇଥିବା ବିଧାନସଭାରେ ସୂଚନା ଦେଇଛନ୍ତି ଇଲେକଟ୍ରୋକିକ୍‍ ଓ ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

ଇ-ଡେସ୍‍ପାଚ୍‍ ସଂକ୍ରାନ୍ତରେ ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀ ପଚାରିଥିବା ପ୍ରଶ୍ନର ଉତ୍ତରରେ ଆଇଟି ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି ଯେ ରାଜ୍ୟର ସରକାରୀ କାର୍ଯ୍ୟାଳୟଗୁଡିକରେ ପତ୍ର ବିନିମୟ ନିମନ୍ତେ ଓଡିଶା ସରକାର ୨୦୦୯ ମସିହାରେ ଇ-ଡେସ୍‍ପାଚ୍‍ ବ୍ୟବସ୍ଥା ପ୍ରଚଳନ କରିଥିଲେ । ସମୟାନୁକ୍ରମେ ୨୦୧୨ ମସିହା ଠାରୁ ସମସ୍ତ ସରକାରୀ ବିଭାଗ ଏବଂ ବିଭାଗ ଅଧିନସ୍ଥ ସମସ୍ତ କ୍ଷେତ୍ରୀୟ କାର୍ଯ୍ୟାଳୟଗୁଡିକରେ ଇ-ଡେସ୍‍ପାଚ୍‍ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇଛି ।

ଚଳିତ ବର୍ଷ ଅଗଷ୍ଟ ସୁଦ୍ଧା ମୋଟ୍‍ ୫୮୩୦ଗୋଟି ସରକାରୀ କାର୍ଯ୍ୟାଳୟରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହୋଇଛି । ପ୍ରାୟତଃ ସମସ୍ତ ବିଭାଗ ନିୟମିତ ଭାବେ ଇ-ଡେସ୍‍ପାଚ୍‍ରେ ସେମାନଙ୍କର ଚିଠି ଅପ୍‍ଲୋଡ୍‍ କରୁଛନ୍ତି । ଏବେ ସୁଦ୍ଧା ମୋଟ୍‍ ୨,୬୭,୬୪,୪୨୪ଟି ଚିଠି ଅପ୍‍ଲୋଡ୍‍ ହୋଇଛି ।

ତେବେ ମନ୍ତ୍ରୀ ଦେଇଥିବା ତାଲିକାରୁ ଦେଖିବାକୁ ମିଳିଛି ଯେ ଅବକାରୀ ବିଭାଗ ୨୦୧୬ ମସିହାରେ ଶେଷଥର ପାଇଁ ଇ-ଡେସ୍‍ପାଚ୍‍ରେ ତାହାର ଚିଠି ଅପଲୋଡ୍‍ କରିଥିବାବେଳେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ୨୦୧୩ରେ ଶେଷ ଥର ପାଇଁ ଇ-ଡେସ୍‍ପାଚ୍‍ ରେ ଚିଠି ପକାଇଥିଲା । ସେହିଭଳି କ୍ରୀଡା ଓ ଯୁବ ବ୍ୟାପାର ବିଭାଗ ୨୦୧୬ ଡିସେମ୍ବର ପରଠାରୁ ଇ-ଡେସ୍‍ପାଚ୍‍ରେ କୌଣସି ଚିଠି ଅପଲୋଡ୍‍ କରିନାହିଁ ।