Home Education ବିଶ୍ୱବିଦ୍ୟାଳୟରେ ନାହାନ୍ତି କୁଳପତି

ବିଶ୍ୱବିଦ୍ୟାଳୟରେ ନାହାନ୍ତି କୁଳପତି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ନିୟନ୍ତ୍ରଣରେ ଥିବା ୧୭ଟି ବିଶ୍ୱବିଦ୍ୟାଳୟ ମଧ୍ୟରୁ ଏବେ ୪ଟିରେ କୁଳପତି ନଥିବାବେଳେ ଆଗାମୀ ନଭେମ୍ବର ସୁଦ୍ଧା ଆଉ ୪ଟି ବିଶ୍ୱବିଦ୍ୟାଳୟର କୁଳପତି ପଦବୀ ଖାଲି ହେବାକୁ ଯାଉଛି । ଏଗୁଡିକ କେବେସୁଦ୍ଧା ପୂରଣ ହେବ ସେଥିଘେନି ଅନିଶ୍ଚିତତା ଲାଗି ରହିଥିବାବେଳେ ନୂତନ କୁଳପତି ନିଯୁକ୍ତି ପାଇଁ ଏଯାବତ୍‍ ଚୟନ ପ୍ରକ୍ରିୟା ଆରମ୍ଭ ହେବା ତ ଦୂରରକଥା ବିଜ୍ଞାପନ ପ୍ରକାଶ ପାଇନାହିଁ କିମ୍ବା କମିଟି ଗଢାଯାଇ ନାହିଁ ।

କେନ୍ଦୁଝରର ଧରଣୀଧର ବିଶ୍ୱବିଦ୍ୟାଳୟ ଓ ଜୟପୁରର ବିକ୍ରମଦେଶ ବିଶ୍ୱବିଦ୍ୟାଳୟ ଆରମ୍ଭ ହେବାଠାରୁ ଏଯାବତ୍‍ କୁଳପତି ଦେଖିନାହିଁ । ଏହି ଦୁଇ ବିଶ୍ୱବିଦ୍ୟାଳୟ ପାଇଁ ନିଯୁକ୍ତି ପାଇଥିବା ସ୍ୱତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀଙ୍କ କାର୍ଯ୍ୟକାଳ ଆସନ୍ତାବର୍ଷ ପୂରିବାକୁ ଯାଉଛି । ଏହି ଦୁଇ ବିଶ୍ୱବିଦ୍ୟାଳୟ ପାଇଁ ବ୍ୟାପକ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଶିକ୍ଷକ ଓ କର୍ମଚାରୀ ନିଯୁକ୍ତି ତ ଦୂରରକଥା ଏଗୁଡିକ ପାଇଁ କୁଳପତି ମଧ୍ୟ ନିଯୁକ୍ତ ହୋଇପାରୁ ନାହାନ୍ତି ।

ଧରଣୀଧର ବିଶ୍ୱବିଦ୍ୟାଳୟ ପାଇଁ ଏଯାବତ୍‍ କୌଣସି ଶିକ୍ଷକ ଓ ଅଣଶିକ୍ଷକ ପଦବୀ ସୃଷ୍ଟି ହୋଇନଥିବାବେଳେ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ପାଇଁ ୧୪ଟି ପ୍ରଫେସର, ୩୨ଟି ସହଯୋଗୀ ପ୍ରଫେସର, ୬୫ଟି ସହକାରୀ ପ୍ରଫେସର ଓ ୧୧୧ଟି ଅଣଶିକ୍ଷକ ପଦବୀ ସୃଷ୍ଟି ହୋଇଥିଲେ ମଧ୍ୟ ଏଥିରୁ ଗୋଟିଏ ହେଲେ ପଦବୀ ପୂରଣ କରାଯାଇନଥିବାବେଳେ ଏହି ଦୁଇ ବିଶ୍ୱବିଦ୍ୟାଳୟରେ ଶିକ୍ଷାଦାନ ଓ ଗବେଷଣା କାର୍ଯ୍ୟ କିଭଳି ଚାଲୁଥିବ ତାହା ସହଜରେ ଅନୁମେୟ ।
ବାରିପଦା ସ୍ଥିତ ମହାରାଜ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ଏବଂ ବ୍ରହ୍ମପୁର ସ୍ଥିତ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ କୁଳପତିଙ୍କ କାର୍ଯ୍ୟକାଳ ବହୁଦିନ ତଳୁ ପୂରିଗଲାଣି । ବାଲେଶ୍ୱର ସ୍ଥିତ ଫକୀରମୋହନ ବିଶ୍ୱବିଦ୍ୟାଳୟର କୁଳପତି ଏବେ ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜ ବିଶ୍ୱବିଦ୍ୟାଳୟର ଭାରପ୍ରାପ୍ତ କୁଳପତି ଭାବେ ଅତିରିକ୍ତ ଦାୟିତ୍ୱରେ ଅଛନ୍ତି । ଶିକ୍ଷକ ଓ ଅଣଶିକ୍ଷକ ମରୁଡି ଯୋଗୁଁ ବାଲେଶ୍ୱର ସ୍ଥିତ ବିଶ୍ୱବିଦ୍ୟାଳୟ ସଙ୍କଟଜନକ ପରିସ୍ଥିତି ଭିତରେ ଗତି କରୁଥିବାବେଳେ ଏହାର କୁଳପତି ଅନ୍ୟଏକ ବିଶ୍ୱବିଦ୍ୟାଳୟ ଦାୟିତ୍ୱରେ ରହିବା କେତେଦୂର ସମୀଚିନ ସେଥିଘେନି ଶିକ୍ଷାବିତ୍‍ମାନେ ପ୍ରଶ୍ନ ଉଠାଉଛନ୍ତି । ସେହିପରି ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଲାଗି ନୂଆ କୁଳପତି ନିଯୁକ୍ତ କରିବା ପରିବର୍ତ୍ତେ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର କୁଳପତିଙ୍କୁ ଏଠାରେ ଅସ୍ଥାୟୀ ଦାୟିତ୍ୱରେ ରଖି କର୍ତ୍ତୃପକ୍ଷ ଆତ୍ମ ସନ୍ତୋଷ ଲାଭ କରୁଛନ୍ତି ।

ରାଜ୍ୟର ସର୍ବ ପୁରାତନ ବର୍ତ୍ତମାନର କୁଳପତିଙ୍କ କାର୍ଯ୍ୟକାଳ ଆସନ୍ତା ମାସ ୨୩ ତାରିଖରେ ଶେଷ ହେବାକୁ ଯାଉଛି । ପୁରୀ ସ୍ଥିତ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟ, ସମ୍ବଲପୁର ସ୍ଥିତ ଗଙ୍ଗାଧର ମେହେର ବିଶ୍ୱବିଦ୍ୟାଳୟ ଏବଂ ଭୁବନେଶ୍ୱର ସ୍ଥିର ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ବର୍ତ୍ତମାନର କୁଳପତିମାନେ ବି ଆସନ୍ତା ନଭେମ୍ବର ମାସରେ ଅବ୍ୟାହତି ନେବାକୁ ଯାଉଛନ୍ତି ଅଥଚ ଏହି ୮ଟି ଯାକ ବିଶ୍ୱବିଦ୍ୟାଳୟର କୁଳପତି ନିଯୁକ୍ତିପାଇଁ ଏଯାବତ୍‍ ଖୋଲା ବିଜ୍ଞାପନ ପ୍ରକାଶ ପାଇନାହିଁ କିମ୍ବା କୁଳପତି ଚୟନ ଲାଗି କମିଟି ମଧ୍ୟ ଗଠନ କରାଯାଇ ନଥିବାରୁ ସ୍ଥାୟୀ କୁଳପତି ନିଯୁକ୍ତିରେ ବିଳମ୍ବ ଘଟିବା ସମ୍ଭାବନା ଅଧିକ ।

କେବଳ ସେତିକି ନୁହେଁ ୨୦୨୫ବର୍ଷରେ ରେଭେନ୍ସା, ରାଜେନ୍ଦ୍ର, ମା’ ମାଣିକେଶ୍ୱରୀ ଓ ମଧୁସୂଦନ ଆଇନ୍‍ ବିଶ୍ୱବିଦ୍ୟାଳୟର କୁଳପତିମାନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ରାଜ୍ୟର ସବୁ ବିଶ୍ୱବିଦ୍ୟାଳୟରେ ମାଳ ମାଳ ପ୍ରଶାସକ, ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ପଦବୀ ଖାଲି ପଡିଥିବାବେଳେ ୨୦୨୦ର ଓଡିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‍କୁ କେନ୍ଦ୍ର କରି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ଓ ରାଜ୍ୟ ସରକାରଙ୍କ ମଧ୍ୟରେ ସୁପ୍ରିମ୍‍କୋର୍ଟରେ ଲଢେଇ ଚାଲିଥିବା ପରିପ୍ରେକ୍ଷୀରେ ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡିକର ଭବିଷ୍ୟତ ଅନ୍ଧକାର ଗହ୍ୱର ମଧ୍ୟକୁ ଠେଲିହୋଇ ଯାଉଛି । (ତଥ୍ୟ)