Home General ସେବା କ୍ଷେତ୍ରରେ ୫୩ଲକ୍ଷରୁ ଅଧିକ ନିଯୁକ୍ତି

ସେବା କ୍ଷେତ୍ରରେ ୫୩ଲକ୍ଷରୁ ଅଧିକ ନିଯୁକ୍ତି

ଭୁବନେଶ୍ୱର : ୨୦୨୨-୨୩ ରେ ଓଡ଼ିଶାରେ ସେବା କ୍ଷେତ୍ରରେ ୫୩.୩ ଲକ୍ଷରୁ ଅଧିକ ଲୋକ ନିଯୁକ୍ତି ପାଇଛନ୍ତି । ସଦ୍ୟତମ ସରକାରୀ ତଥ୍ୟ ଅନୁଯାୟୀ, ଏହି କ୍ଷେତ୍ରରେ ନିୟୋଜିତ ମୋଟ କର୍ମଚାରୀଙ୍କ ମଧ୍ୟରୁ ୨୬.୨ ଲକ୍ଷ (୪୯.୨%) ବାଣିଜ୍ୟ, ମରାମତି, ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ନିଯୁକ୍ତି ପାଇଥିବା ବେଳେ ୧୨.୨ ଲକ୍ଷ (୨୨.୯%) ଅନ୍ୟ ସେବା (ସ୍ୱାସ୍ଥ୍ୟ ଏବଂ ଶିକ୍ଷା) ରେ ନିଯୁକ୍ତି ପାଇଛନ୍ତି ।

ସେହିପରି ପରିବହନ ଓ ଆନୁଷଙ୍ଗିକ କ୍ଷେତ୍ରରେ ୮.୯ ଲକ୍ଷ (୧୬.୭%), ରିଅଲ୍ ଇଷ୍ଟେଟ୍ ଏବଂ ଆଇଟିରେ ୨.୪ ଲକ୍ଷ (୪.୫%), ସାଧାରଣ ପ୍ରଶାସନରେ ୧.୯ ଲକ୍ଷ (୩.୫%) ଏବଂ ଫାଇନାନ୍ସ କ୍ଷେତ୍ରରେ ୧.୬ ଲକ୍ଷ (୩%) ନିଯୁକ୍ତି ପାଇଛନ୍ତି । ସମାନ ସମୟରେ ଅନ୍ୟାନ୍ୟ କ୍ଷେତ୍ରର ଅଭିବୃଦ୍ଧି ହାର ହେଉଛି ଶିଳ୍ପରେ (୮.୭%), କୃଷି ଓ ଆନୁଷଙ୍ଗିକ (୩.୫%), ଓଡ଼ିଶା ସାମଗ୍ରିକ (୮.୫%) । ଭାରତୀୟ ଅର୍ଥନୈତିକ ସର୍ବେକ୍ଷଣ ଅନୁଯାୟୀ ଜାତୀୟ ସେବା କ୍ଷେତ୍ର ୨୦୨୩-୨୪ (ଏଇ)ରେ ୭.୬% ଅଭିବୃଦ୍ଧି ହାସଲ କରିଛି । ଜାତୀୟ ସ୍ତରରେ ଏହାର ଗଠନ ହେଉଛି ସେବା (୫୫%), ଶିଳ୍ପ (୨୮%) ଏବଂ କୃଷି ଓ ଆନୁଷଙ୍ଗିକ (୧୮%) ।

ରାଜ୍ୟରେ ଦୃଢ଼ ଦକ୍ଷ ମାନବ ସମ୍ବଳ ରହିଛି, ଯାହା ସେବା କ୍ଷେତ୍ରର ଅଭିବୃଦ୍ଧି ପାଇଁ ଭିତ୍ତିଭୂମି ଭାବେ କାର୍ଯ୍ୟ କରୁଛିୟ ଶିଳ୍ପ ସମ୍ବନ୍ଧୀୟ କ୍ଷେତ୍ରରେ ଦୁଇରୁ ଛଅ ମାସ ପର୍ଯ୍ୟନ୍ତ ପ୍ରଶିକ୍ଷଣ ଜାତୀୟ ଦକ୍ଷତା ଯୋଗ୍ୟତା ଢଞ୍ଚା (ଏନଏସକ୍ୟୁଏଫ) ଅନୁବନ୍ଧିତ ପାଠ୍ୟକ୍ରମ ତାଲିକାଭୁକ୍ତ ପ୍ରଦାନକାରୀଙ୍କ ମାଧ୍ୟମରେ ପ୍ରଦାନ କରାଯାଏ, ଗତ ତିନି ବର୍ଷ ମଧ୍ୟରେ ୨୩,୯୬୩ ଜଣ ପ୍ରାର୍ଥୀଙ୍କୁ ତାଲିମ ଦିଆଯାଇଛି ।

ମାଇକ୍ରୋସଫ୍ଟ, ସିସ୍କୋ, ଅଟୋଡେସ୍କ, ନାସକମ୍ ଇତ୍ୟାଦି ବିଶ୍ୱସ୍ତରୀୟ କମ୍ପାନୀମାନଙ୍କ ସହ ଭାଗିଦାରୀରେ ଏହି ପାଠ୍ୟକ୍ରମ ପ୍ରଦାନ କରାଯାଏ । ଡିଜିଟାଲ ମାର୍କେଟିଂ, ଡାଟା ଆନାଲିଟିକ୍ସ, ବ୍ଲକଚେନ୍ ଏବଂ ଫିନ୍ ଟେକ୍‌, ଉଦ୍ୟୋଗ ଏବଂ ବିକ୍ରୟ, ୱେବ୍ ଡେଭଲପମେଣ୍ଟ ଇତ୍ୟାଦି ରେ ୬୦୦୦ରୁ ଅଧିକ ପାଠ୍ୟକ୍ରମ ପାଇଁ ଛାତ୍ରଛାତ୍ରୀଙ୍କୁ ୧ ଲକ୍ଷ ଲାଇସେନ୍ସ ପ୍ରଦାନ କରିବା ପାଇଁ ରାଜ୍ୟ କୋର୍ସେରା ସହ ସହଯୋଗ କରିଛି ।

ଇଣ୍ଟେଲ ଇଣ୍ଡିଆ ସହଯୋଗରେ ଆରମ୍ଭ ହୋଇଥିବା ଓଡ଼ିଶା ଫର ଏଆଇ ହେଉଛି ଏକ ସେଲ୍ଫ ଲର୍ଣ୍ଣିଂ ଅନଲାଇନ ପ୍ରୋଗ୍ରାମ ଯାହା ସବୁ ବର୍ଗର ଲୋକଙ୍କ ପାଇଁ ଏଆଇକୁ ଡିମାଇଫାଇଜ୍ କରିଥାଏ, ଯୁବବର୍ଗଙ୍କ ପାଇଁ ଏଆଇ ହେଉଛି ‘ଓଡ଼ିଶା ଫର୍ ଏଆଇ\’ର ପରିପୂରକ କାର୍ଯ୍ୟକ୍ରମ ।

୧୮ ବର୍ଷ ବୟସ ପର୍ଯ୍ୟନ୍ତ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଏହା ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରାଯାଇଛି । ଏହି କାର୍ଯ୍ୟକ୍ରମ ଅଧୀନରେ ଇଣ୍ଟେଲ ଇଣ୍ଡିଆ ପକ୍ଷରୁ ୧୦୦ ଜଣ ମନୋନୀତ ସ୍କୁଲ ଶିକ୍ଷକଙ୍କୁ ମାଷ୍ଟର ଟ୍ରେନର ଭାବେ ପ୍ରଶିକ୍ଷଣ ଦିଆଯାଇଛି । ଦକ୍ଷତା ବିକାଶ, ଅତ୍ୟାଧୁନିକ ଜ୍ଞାନକୌଶଳରେ ଗବେଷଣା ଓ ବିକାଶ ଉପରେ ଗୁରୁତ୍ୱ ଦେବା ପାଇଁ ଦକ୍ଷତା ବିକାଶ ଉପରେ ସିଓଇ ନାମରେ ଏକ ନୂତନ ସେଣ୍ଟର ଅଫ୍ ଏକ୍ସଲେନ୍ସ (ସିଓଇ) ପ୍ରତିଷ୍ଠା କରାଯାଉଛି ।

ଓ-ଚିପ୍ କାର୍ଯ୍ୟକ୍ରମର ଏକ ଅଂଶ ଭାବରେ ପ୍ରତିଷ୍ଠା ହେବାକୁ ଥିବା ସେଣ୍ଟର ଅଫ୍ ଏକ୍ସଲେନ୍ସ ସେମିକଣ୍ଡକ୍ଟର ଡିଜାଇନ୍ କମ୍ପାନୀ ଏବଂ ଷ୍ଟାର୍ଟଅପ୍ ଗୁଡ଼ିକୁ ବୈଷୟିକ, ଆର୍ଥିକ, ଭିତ୍ତିଭୂମି ଏବଂ ମେଣ୍ଟରସିପ୍ ସହାୟତା ପ୍ରଦାନ କରିବ । ଏହାବ୍ୟତୀତ ସେମିକଣ୍ଡକ୍ଟର ଡିଜାଇନ ଇକୋସିଷ୍ଟମର ବିକାଶକୁ ତ୍ୱରାନ୍ୱିତ କରିବା ଏବଂ ଓଡ଼ିଶାରେ ଶିଳ୍ପ ପାଇଁ ପ୍ରସ୍ତୁତ କର୍ମଚାରୀ ସୃଷ୍ଟି କରିବା ପାଇଁ ଏକ ପ୍ରମୁଖ ପଦକ୍ଷେପ ।

ଆଇଟିଆଇରେ ମହିଳା ନାମଲେଖା ୨୦୧୬-୧୭ରେ ୬% ଥିବାବେଳେ ୨୦୨୩-୨୪ରେ ଏହା ୩୧.୧% ଏବଂ ପଲିଟେକ୍ନିକ୍ସରେ ୨୦୨୨-୨୩ରେ ୧୯.୪% ଥିବାବେଳେ ୨୦୨୩-୨୪ରେ ଏହା ୩୩.୩% କୁ ବୃଦ୍ଧି ପାଇଛି । ସରକାରୀ ତଥ୍ୟ ଅନୁଯାୟୀ, ଏହି ଯୋଜନାରେ ପାଠପଢ଼ା ଓ ପୋଷ୍ଟ ଡିପ୍ଲୋମା ପ୍ଲେସମେଣ୍ଟ ପାଇଁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି । (ତଥ୍ୟ)