Home News in Odia ଦୁର୍ନୀତି ମାମଲାରେ ଫଏସଲା ହାର ନଗଣ୍ୟ

ଦୁର୍ନୀତି ମାମଲାରେ ଫଏସଲା ହାର ନଗଣ୍ୟ

ଭୁବନେଶ୍ୱର : ମୂଳରୁ ଚୂଳ ଯାଏ ବ୍ୟାପିଥିବା ଦୁର୍ନୀତି ବ୍ୟାଧି ବ୍ୟବସ୍ଥାକୁ ବରବାଦ କରୁଥିବାବେଳେ ଯେଉଁ ଅଳ୍ପ କେତୋଟି ଘଟଣାରେ ଦୁର୍ନୀତି ନିବାରଣ ମାମଲା ମାନ ରୁଜୁ କରାଯାଉଛି ତାହାର ଫଏସଲା ହାର ଅତ୍ୟନ୍ତ ନଗଣ୍ୟ ରହୁଥିବାବେଳେ ଯେଉଁ ଅଳ୍ପ କେତୋଟି ମାମଲା ଫଏସଲା ହେଉଛି ସେଥିରେ ଦଣ୍ଡବିଧାନ ହାର ୫୦ ପ୍ରତିଶତ ବୋଲି କର୍ତ୍ତୃପକ୍ଷ ଦାବି କରୁଛନ୍ତି ।

ସରକାରୀ ତଥ୍ୟ ମୁତାବକ ୨୦୨୨ ଶେଷ ବେଳକୁ ରାଜ୍ୟରେ ୩୬୩୩ଟି ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଉକ୍ତ ବର୍ଷରେ ମାତ୍ର ୧୦୭ଟି ରେ ଅଭିଯୁକ୍ତମାନେ ଖସି ଯାଇଥିବାବେଳେ ଦଣ୍ଡବିଧାନ ହାର ୯୦ଟିରେ ହୋଇଥିଲା । ଏହାଛଡା ଆଉ ୫୦ଟି ମାମଲା ବିଭିନ୍ନ କାରଣରୁ ଖାରଜ ହୋଇଯାଇଥିଲା । ଏଭଳି ସ୍ଥିତିରେ ଏନସିଆରବି ରିପୋର୍ଟର ତଥ୍ୟ ମୁତାବକ ୨୦୨୨ବର୍ଷରେ ଭିଜିଲାନ୍ସ ମାମଲାରେ ରାଜ୍ୟରେ ଦଣ୍ଡବିଧାନ ହାର ୩୬.୪ ପ୍ରତିଶତ ଥିବାବେଳେ ମାତ୍ର ୬.୪ ପ୍ରତିଶତ ମାମଲା ଫଏସଲା ହେବାସହ ଆଉ ୯୩.୬ ପ୍ରତିଶତ ମାମଲା ବିଚାର ନହୋଇ ପଡି ରହିଥିଲା ।

ବିଧାନସଭାରେ ଉପସ୍ଥାପିତ ସାଧାରଣ ପ୍ରଶାସନ ବିଭାଗର ଷ୍ଟାଣ୍ଡିଂ କମିଟି ରିପୋର୍ଟ ମୁତାବକ ୨୦୨୩ ମସିହାରେ ୨୬୭ଟି ଭିଜିଲାନ୍ସ ମାମଲା ୫୮ଜଣ ପ୍ରଥମଶ୍ରେଣୀ, ୪୫ଜଣ ଦ୍ୱିତୀୟ ଶ୍ରେଣୀ, ୨୧୩ ଜଣ ତୃତୀୟଶ୍ରେଣୀ, ୧୧ଜଣ ଚତୁର୍ଥଶ୍ରେଣୀ, ୬୩ଜଣ ଅନ୍ୟ ଚାକିରିଆ ଓ ୯୩ଜଣ ବେସରକାରୀ ବ୍ୟକ୍ତିଙ୍କ ବିରୁଦ୍ଧରେ ରୁଜୁ ହୋଇଥିଲା । ଏଥି ମଧ୍ୟରୁ ଆୟ ବର୍ହିଭୂତ ୧୨୩କୋଟି ୨୫ଲକ୍ଷ ଟଙ୍କାର ସମ୍ପତ୍ତି ଆହରଣ ଅଭିଯୋଗରେ ୮୫ଟି ମାମଲା ରୁଜୁ ହୋଇଥିବାବେଳେ ଲାଞ୍ଚଗ୍ରହଣ କରୁଥିବା ଅଭିଯୋଗରେ ୯୮ଟି ମାମଲା ରୁଜୁ ହୋଇଥିଲା ।

ଏହାଛଡା ଉକ୍ତ ବର୍ଷରେ ସରକାରୀ ଅର୍ଥ ତୋଷରପାତ ଅଭିଯୋଗରେ ଆଉ ୮୪ଟି ମାମଲା ରୁଜୁ ହୋଇଥିଲା । ୨୦୨୩ ବର୍ଷରେ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥା ୨୫୬ଟି ମାମଲାର ତଦନ୍ତ ଆରମ୍ଭ କରିଥିଲା । ମୋଟାମୋଟି ଭାବେ ଏହି ବର୍ଷରେ ୪୦୮ ଟି ମାମଲାର ତଦନ୍ତ ଶେଷ କରାଯାଇ ୩୬୧ଟିରେ ଅଭିଯୋଗଫର୍ଦ୍ଦ ଦାଖଲ ହୋଇଥିଲା । ଗତବର୍ଷ ଦୁର୍ନୀତି ନିବାରଣ ବିଭାଗ ୧୬୬ଜଣଙ୍କୁ ବିଭିନ୍ନ ଅଭିଯୋଗରେ ବାନ୍ଧିଥିଲା ଯେଉଁମାନଙ୍କ ଭିତରେ ଥିଲେ ୨୭ଜଣ ପ୍ରଥମଶ୍ରେଣୀ ଓ ୩୧ଜଣ ଦ୍ୱିତୀୟଶ୍ରେଣୀ ପାହ୍ୟାର ଅଫିସର ।

ରିପୋର୍ଟର ତଥ୍ୟ ମୁତାବକ ୨୦୨୩ ବର୍ଷରେ ୨୮୧ଟି ଭିଜିଲାନ୍ସ ମାମଲା ଅଦାଲତରେ ଫଏସଲା ହୋଇଥିଲା । ଏଥିରୁ ୩୧ଟିରେ ଅଭିଯୁକ୍ତଙ୍କ ମୃତ୍ୟୁ ଓ ଆଇନ୍‍ ଅଦାଲତଙ୍କ ନିର୍ଦ୍ଦେଶ ଯୋଗୁଁ ମାମଲା ବନ୍ଦ କରାଯାଇଥିଲା । ଅବଶିଷ୍ଟ ୨୫୦ଟି ମାମଲାର ବିଚାର କରାଯାଇ ସେଥିରୁ ୧୨୪ଟିରେ ଦଣ୍ଡବିଧାନ ହୋଇଥିଲା ଯେଉଁଥିରେ ୨୧ଜଣ ପ୍ରଥମଶ୍ରେଣୀ ଓ ୧୪ଜଣ ଦ୍ୱିତୀୟଶ୍ରେଣୀ ପାହ୍ୟାର ଅଫିସରଙ୍କ ସମେତ ୧୬୩ଜଣ ଦଣ୍ଡିତ ହୋଇଥିଲେ । ଏହି ହିସାବ ଅନୁଯାୟୀ ଭିଜିଲାନ୍ସ ମାମଲାରେ ଦଣ୍ଡବିଧାନ ହାର ୫୦ପ୍ରତିଶତ ବୋଲି ଦର୍ଶାଯାଉଥିଲେ ମଧ୍ୟ ୨୦୨୩ ଶେଷସୁଦ୍ଧା ୩୬୦୦ରୁ ଅଧିକ ଦୁର୍ନୀତି ନିବାରଣ ମାମଲା ବିଚାର ପ୍ରତୀକ୍ଷାରେ ରହିଛି ।

ନିର୍ବାଚନ ପରେ ନୂଆ ବିଜେପି ସରକାର ଅମଳରେ ଦୁର୍ନୀତି ନିବାରଣ ସଂସ୍ଥା ପୁଣି ସକ୍ରିୟ ହୋଇ ଚଢାଉ ଅଭିଯାନ ଜାରି ରଖିଛି । ଏଥିରେ ଯେଉଁମାନଙ୍କୁ ଧରାଯାଉଛି ସେମାନଙ୍କ ଭିତରୁ ଅଧିକାଂଶ ବିପୁଳ ପରିମାଣର ଆୟ ବର୍ହିଭୂତ ସମ୍ପତ୍ତି ଠୁଳ କରିଥିବା କୁହାଯାଉଛି । ଅବକାରୀ ବିଭାଗର ବରିଷ୍ଠ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଯନ୍ତ୍ରୀ, ଓଏଏସ୍‍, ପରିବହନ ସେବା ଆଦି ବିଭାଗର ବାବୁମାନଙ୍କ ଠାରୁ ଜବତ ପୁଳା ପୁଳା ଟଙ୍କା ଓ ମାଳ ମାଳ ପ୍ଲଟ ସମେତ ଅନ୍ୟାନ୍ୟ ସ୍ଥାବର ଅସ୍ଥାବର ସମ୍ପତ୍ତି ସାଧାରଣ ଲୋକଙ୍କୁ ଜଳକା କରିଦେଉଛି । (ତଥ୍ୟ)