Home News in Odia ଦିନକୁ ୮ ବଳାତ୍କାର ଅଭିଯୋଗ

ଦିନକୁ ୮ ବଳାତ୍କାର ଅଭିଯୋଗ

ଭୁବନେଶ୍ୱର : ଓଡିଶାରେ ପୁଲିସ୍‍ ନିକଟରେ ଦୈନିକ ହାରାହାରି ୮ଟି ବଳାତ୍କାର ମାମଲାର ଅଭିଯୋଗ ଆସୁଥିବାବେଳେ ବିଭିନ୍ନ ଥାନା ଫାଣ୍ଡିରେ ହାରାହାରି ୫୪୮ଟି ଧର୍ତ୍ତବ୍ୟ ଅପରାଧ ରୁଜୁ ହେଉଛି । ବର୍ଷକୁ ବର୍ଷ ରାଜ୍ୟରେ ଅପରାଧ ବଢି ଚାଲିଥିବାବେଳେ ଆଇନ୍‍ ଅଦାଲତରେ ବି ଅପରାଧିକ ମାମଲାର ଚାପ ବୃଦ୍ଧି ପାଇବାରେ ଲାଗିଛି ।

ସରକାରୀ ତଥ୍ୟ ମୁତାବକ ଓଡିଶାରେ ବର୍ଷକୁ ୧,୯୯,୯୫୪ ଟି ଧର୍ତ୍ତବ୍ୟ ଅପରାଧ ୨୦୨୩ ବର୍ଷରେ ପୁଲିସ୍‍ ନିକଟରେ ଦରଜ ହୋଇଥିଲା । ଏଥି ମଧ୍ୟରୁ ୨୮୨୬ଟି ବଳାତ୍କାର ମାମଲା ଥିବାବେଳେ ୧୧,୯୯୯ ଟି ଥିଲା ମୋଟରଯାନ ଦୁର୍ଘଟଣା ମାମଲା । ବିଧାନସଭାରେ ଉପସ୍ଥାପିତ ଘରୋଇ ବିଭାଗ ଷ୍ଟାଣ୍ଡିଂ କମିଟି ରିପୋର୍ଟରୁ ଏହି ତଥ୍ୟ ଜଣାପଡିଛି ।

ଉକ୍ତ ବର୍ଷରେ ୧୩୬୨ଟି ହତ୍ୟା, ୩୭୦ଟି ଡକାୟତି, ୨୯୬୧ଟି ଲୁଟତରାଜ, ୧୬,୮୫୧ଟି ଚୋରି, ୧୧୫୫ଟି ଫୌଜଦାରୀ ମାମଲା ମଧ୍ୟ ଥାନା ଫାଣ୍ଡିରେ ରୁଜୁ ହୋଇଛି । ଏହି ରିପୋର୍ଟରେ ଦର୍ଶାଯାଇଛି ଯେ ୨୦୨୩ ବର୍ଷରେ ମୋଟାମୋଟି ଭାବେ ସାରା ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଘଟିନଥିବାବେଳେ କେତେକ ଛାତ୍ର ସଂଗଠନ କିନ୍ତୁ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ଏବଂ ତାହାକୁ ପ୍ରଶାସନ ଓ ପୁଲିସ୍‍ ଠିକଣା ଭାବେ ନିୟନ୍ତ୍ରଣ କରିବାରେ ସଫଳ ହୋଇଥିଲେ । ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟଗୁଡିକରେ ଛାତ୍ର ସଂସଦ ନିର୍ବାଚନ, କଲେଜ, ସ୍କୁଲରେ ପିଲାମାନେ ଦେଉଥିବା ଦରମା ହ୍ରାସ ଆଦି ପ୍ରସଙ୍ଗରେ ଛାତ୍ର ଆନ୍ଦୋଳନ ହେଇଥିଲା ।

ଏହି ରିପୋର୍ଟରୁ ଜଣାପଡିଛି ଯେ ୨୦୨୩ ବର୍ଷରେ ୧୮୧୧ କୁଇଣ୍ଟାଲ ୬୮ କିଲୋ ୧୦୧ ଗ୍ରାମ ୬୬୫ ମିଲିଗ୍ରାମ ଗଞ୍ଜେଇ, ୩୮୧୦ ଗ୍ରାମ ଗଞ୍ଜେଇଗୁଣ୍ଡ, ୬୦ ପ୍ୟାକେଟ ଗଞ୍ଜେଇ ସିଗାରେଟ ପୁଲିସ୍‍ ଜବତ କରିଥିଲା । ଏହାଛଡା ୧୭ କିଲୋ ୧୦୫ ଗ୍ରାମ ୭୫୨ ମିଲିଗ୍ରାମ ଓଜନର ବ୍ରାଉନସୁଗାର ମଧ୍ୟ ଜବତ କରାଯାଇଥିଲା । ଏନଡିପିଏସ୍‍ ଆଧାରରେ ଉକ୍ତ ବର୍ଷରେ ୧୮୬୮ଟି ମାମଲା ରୁଜୁ କରାଯିବା ସହିତ ୨୪୧୦ ଜଣଙ୍କୁ ଗିରଫ କରାଯାଇଥିଲା ।

ଏଥିରେ ପୁଣି ଉଲ୍ଲେଖ କରାଯାଇଛି ଯେ ୨୦୨୩ବର୍ଷରେ ଓଡିଶାରେ ବାମପନ୍ଥୀ ଉଗ୍ରବାଦୀମାନଙ୍କ କାର୍ଯ୍ୟକଳାପ ନିୟନ୍ତ୍ରଣାଧିନ ଥିଲା । ଏହି ବର୍ଷରେ ତିନି ଜଣ ଦୁର୍ଦ୍ଦାନ୍ତ ମାଓବାଦୀଙ୍କୁ ପୁଲିସ୍‍ ନିଷ୍କ୍ରିୟ କରିଦେଇଥିବାବେଳେ ୧୩ଜଣଙ୍କୁ ଗିରଫ କରାଯାଇଥିଲା ଓ ୫ଜଣ ଆତ୍ମସମର୍ପଣ କରିଥିଲେ । ମାଓ କ୍ୟାମ୍ପ ଉପରେ ଚଢାଉରେ ୨୧ଟି ବନ୍ଧୁକ ସହିତ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ମଧ୍ୟ ଜବତ ହୋଇଥିଲା । ମୋଟାମୋଟି ଭାବେ ଉକ୍ତ ବର୍ଷରେ ରାଜ୍ୟରେ ସାମ୍ପ୍ରଦାୟିକ କାର୍ଯ୍ୟକଳାପ ନିୟନ୍ତ୍ରଣାଧିନ ରହିଥିଲା ଏବଂ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ବି ଘଟିନଥିଲା ।

ଏହି ବର୍ଷରେ ଓଡିଶାରେ ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧ ମଧ୍ୟରୁ ୧୩୧ଟିକୁ ରେଡ୍‍ ଫ୍ଲାଗ୍‍ କେଶ୍‍ ଭାବେ ଗ୍ରହଣ କରାଯାଇଥିଲା ଏବଂ ଏ କ୍ଷେତ୍ରରେ ଦଣ୍ଡବିଧାନ ହାର ୩୯.୮୪ ପ୍ରତିଶତ ଥିଲା । (ତଥ୍ୟ)