Home News in Odia ସଡକ ସୁରକ୍ଷା ପାଇଁ ଓଡିଶା ପୁରସ୍କୃତ

ସଡକ ସୁରକ୍ଷା ପାଇଁ ଓଡିଶା ପୁରସ୍କୃତ

ନୂଆଦିଲ୍ଲୀ : ସଡ଼କ ସୁରକ୍ଷା ପାଇଁ ଓଡ଼ିଶା ଭାରତର ଶ୍ରେଷ୍ଠ ରାଜ୍ୟ ଭାବେ ମାନ୍ୟତା ପାଇଛି। ଏଠାରେ ଅନୁଷ୍ଠିତ ଫିକିର ସଡ଼କ ସୁରକ୍ଷା କନକ୍ଲେଭର ଷଷ୍ଠ ସଂସ୍କରଣରେ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ରାଜ୍ୟ ତରଫରୁ ଯୁଗ୍ମ ପରିବହନ କମିଶନର (ସଡ଼କ ସୁରକ୍ଷା) ପ୍ରଦୀପ କୁମାର ମହାନ୍ତି ଏହି ପୁରସ୍କାର ଗ୍ରହଣ କରିଥିଲେ।

ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ଓଡ଼ିଶାର ପ୍ରୟାସକୁ ଉଚ୍ଚ ପ୍ରଶଂସା କରାଯାଇଛି, ଯାହା ଅନ୍ୟ ରାଜ୍ୟ ପାଇଁ ଏକ ମାନଦଣ୍ଡ ସୃଷ୍ଟି କରିଛି। କେନ୍ଦ୍ରମନ୍ତ୍ରୀ ନୀତିନ ଗଡକରୀ ଏହି ପୁରସ୍କାର ପ୍ରଦାନ କରିବା ଅବସରରେ ପ୍ରବର୍ତ୍ତନ ଓ ରୋଡ୍ ଇଞ୍ଜିନିୟରିଂ ଉପରେ ଗୁରୁତ୍ୱାରୋପ କରିଥିଲେ। ସଡ଼କ ନିରାପତ୍ତା ବୃଦ୍ଧିରେ ଡ୍ରାଇଭର ପ୍ରଶିକ୍ଷଣ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବା ବେଳେ ଓଡ଼ିଶାର ‘ସୁବାହକ’ ଅଭିଯାନକୁ ଦେଶବ୍ୟାପୀ ସଡ଼କ ସୁରକ୍ଷା ବିଶେଷଜ୍ଞଙ୍କ ଠାରୁ ବ୍ୟାପକ ପ୍ରଶଂସା ମିଳିଛି ବୋଲି ସେ ସ୍ୱୀକାର କରିଛନ୍ତି। ଡ୍ରାଇଭରମାନଙ୍କ ପାଇଁ ରାଜ୍ୟ ପାଣ୍ଠିରେ ୪ଟି ସୁବାହକ ପ୍ରଶିକ୍ଷଣ କେନ୍ଦ୍ର ପ୍ରତିଷ୍ଠା କରାଯାଇଛି, ଯାହା କି ଶୂନ୍ୟ ଦୁର୍ଘଟଣା ସଫଳତା ପାଇଁ ଏକ ମଡେଲ ପାଲଟିଛି, ଯାହା ଅନ୍ୟ ରାଜ୍ୟକୁ ପ୍ରେରଣା ଦେଉଛି ।

କେନ୍ଦ୍ରମନ୍ତ୍ରୀ ତାଙ୍କ ଅଭିଭାଷଣରେ ସାରା ଦେଶରେ ସଡ଼କ ଦୁର୍ଘଟଣା ହ୍ରାସ କରିବା ପାଇଁ କେନ୍ଦ୍ର ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ। ଏହି ପଦକ୍ଷେପଗୁଡ଼ିକରେ ସ୍ୱଚ୍ଛତା ଏବଂ ଦକ୍ଷତା ସୁନିଶ୍ଚିତ କରିବା ପାଇଁ ସମସ୍ତ ରାଜ୍ୟକୁ ଆଧୁନିକ ଜ୍ଞାନକୌଶଳ ଆପଣାଇବାକୁ ସେ ଅନୁରୋଧ କରିଛନ୍ତି। ବିଶେଷ କରି ଯୁବବର୍ଗଙ୍କ ମଧ୍ୟରେ ଦୁର୍ଘଟଣା ରୋକିବା ପାଇଁ ଉପଯୁକ୍ତ ରୋଡ୍ ଇଞ୍ଜିନିୟରିଂ ବଜାୟ ରଖିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ।
ପ୍ୟାନେଲ ଆଲୋଚନାରେ ଓଡ଼ିଶାକୁ ପ୍ରତିନିଧିତ୍ୱ କରି ପ୍ରଦୀପ କୁମାର ମହାନ୍ତି ଇଣ୍ଟେଲିଜେଣ୍ଟ ଏନଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଇଏମଏସ) ଓ ‘ସୁବାହକ’ କାର୍ଯ୍ୟକ୍ରମ ର କାର୍ଯ୍ୟକାରିତା ସମେତ ଗତ ଏକ ବର୍ଷ ମଧ୍ୟରେ ରାଜ୍ୟର ଅଭିନବ ରଣନୀତି ସମ୍ପର୍କରେ ବିସ୍ତୃତ ବିବରଣୀ ଦେଇଥିଲେ। ରାଜ୍ୟର ସଡ଼କ ସୁରକ୍ଷା କାର୍ଯ୍ୟକ୍ରମରେ ଡ୍ରାଇଭର ପ୍ରଶିକ୍ଷଣ ଓ ବ୍ୟକ୍ତିତ୍ୱ ବିକାଶର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ସେ ଗୁରୁତ୍ୱାରୋପ କରିଥିଲେ, ଯାହା କି ସରକାରଙ୍କ ସମର୍ଥିତ କାର୍ଯ୍ୟକ୍ରମ ମାଧ୍ୟମରେ ନିଯୁକ୍ତି ସୁଯୋଗ ମଧ୍ୟ ସୃଷ୍ଟି କରିଛି ।

ଏହାବ୍ୟତୀତ ସଡ଼କ ଦୁର୍ଘଟଣାରେ ଜୀବନ ବଞ୍ଚାଇବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ‘ରକ୍ଷକ’, ‘କନିଷ୍ଠ ରକ୍ଷକ’ ଏବଂ ଟ୍ରମା କେୟାର ସେଣ୍ଟର ପ୍ରତିଷ୍ଠା ଭଳି ପଦକ୍ଷେପ ସମ୍ପର୍କରେ ଶ୍ରୀ ମହାନ୍ତି ସୂଚନା ଦେଇଥିଲେ।
ରାଜ୍ୟ ପରିବହନ କମିଶନର ଅମିତାଭ ଠାକୁର କହିଛନ୍ତି, ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ ସହ ବାଣିଜ୍ୟ ଓ ପରିବହନ ବିଭାଗ ସଡ଼କ ଦୁର୍ଘଟଣା ହ୍ରାସ ଦିଗରେ ନିଷ୍ଠାର ସହ କାର୍ଯ୍ୟ କରୁଛି। ଏହି ପୁରସ୍କାର ଆମକୁ ଆମର ପ୍ରୟାସ ଜାରି ରଖିବାକୁ ପ୍ରେରଣା ଦେଇଥାଏ । ସମ୍ମିଳନୀରେ ମାନ୍ୟବର କେନ୍ଦ୍ରମନ୍ତ୍ରୀଙ୍କ ମୂଲ୍ୟବାନ ପରାମର୍ଶ ଆଧାରରେ ଆମେ ଆମର ସଡ଼କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ବଢ଼ାଇବାକୁ ଚେଷ୍ଟା କରିବୁ।