ଭୁବନେଶ୍ବର : ବନ୍ୟଜନ୍ତୁ ଶିକାର ରୋକିବା ପାଇଁ ଏବେ ଏଆଇ ପଦ୍ଧତିକୁ ବ୍ୟବହାର କରିବାକୁ ଯୋଜନା କରାଯାଇଥିବା ବେଳେ ରାଜ୍ୟ ବନ୍ୟପ୍ରାଣୀ ସଂଗଠନ ବନ୍ୟପ୍ରାଣୀ ଅଞ୍ଚଳରେ ସନ୍ଧାନୀ କୁକୁର ରଖିବାକୁ ନିଷ୍ପତ୍ତି ନେଇଛି।
ଓଡ଼ିଶାର ଶିମିଳିପାଳ, ସାତକୋଶିଆ, ଆଠଗଡ଼, ଦେବ୍ରିଗଡ଼ ଓ ହିନ୍ଦୋଳ ବନ୍ୟପ୍ରାଣୀ ଡିଭିଜନରେ ସନ୍ଧାନୀ କୁକୁର ମୁତୟନ କରିବାକୁ ନିଷ୍ପତ୍ତି ନେଇଛନ୍ତି ପ୍ରଧାନ ମୁଖ୍ୟ ବନ ସଂରକ୍ଷକ (ପିସିସିଏଫ୍) ବନ୍ୟପ୍ରାଣୀ ଓ ମୁଖ୍ୟ ବନ୍ୟପ୍ରାଣୀ ୱାର୍ଡେନ୍ ସୁଶାନ୍ତ ନନ୍ଦ।
ବନ୍ୟଜନ୍ତୁ ଶିକାର ରୋକିବା ମୁଖ୍ୟ ଉଦ୍ଦେଶ୍ୟ ଏବଂ ଏଥିପାଇଁ ରାଜ୍ୟ ବନ୍ୟପ୍ରାଣୀ ସଂଗଠନ ରଣନୀତି ପ୍ରସ୍ତୁତ କରିଥିବା ସୂତ୍ରରୁ ପ୍ରକାଶ।
ସନ୍ଧାନୀ କୁକୁରମାନଙ୍କୁ ନିୟୋଜିତ କରାଯିବା ପରେ ଗଭୀର ଜଙ୍ଗଲରେ ଲୁଚି ବନ୍ୟଜନ୍ତୁ ଙ୍କୁ ମାରିବାକୁ ଚେଷ୍ଟା କରୁଥିବା ଶିକାରୀମାନଙ୍କୁ ଚିହ୍ନଟ କରି ଧରିବା ପାଇଁ ପ୍ରଶିକ୍ଷଣ ଦିଆଯିବ।
ସନ୍ଧାନୀ କୁକୁର କିଣି ସେମାନଙ୍କୁ ତାଲିମ ଦେବା ପାଇଁ ରାଜ୍ୟ ବନ୍ୟପ୍ରାଣୀ ସଂଗଠନ ଆନ୍ତର୍ଜାତିକ ଟେଣ୍ଡର ଜାରି କରିବ।
ଶ୍ରୀ ନନ୍ଦ ଏବଂ ତାଙ୍କ ଟିମ୍ ଏହି ଅଭିନବ ପଦକ୍ଷେପ ପାଇଁ ରଣନୀତି ପ୍ରସ୍ତୁତ କରିବାରେ ନିୟୋଜିତ ଅଛନ୍ତି ଏବଂ କୁକୁର ଯୋଗାଇବା ଏବଂ ସେମାନଙ୍କୁ ପ୍ରଶିକ୍ଷଣ ଦେବାରେ ଜାତୀୟ ଏବଂ ଅନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ଅନୁଷ୍ଠାନଗୁଡ଼ିକୁ ସାମିଲ କରାଯିବ।
ବନ୍ୟଜନ୍ତୁ ଶିକାର ରୋକିବା ଏବଂ ଏହାର ସମୃଦ୍ଧ ଜୈବ ବିବିଧତାକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାରଙ୍କ ପ୍ରୟାସକୁ ଏହି ପଦକ୍ଷେପ ତ୍ୱରାନ୍ୱିତ କରିବ ବୋଲି ଜଣେ ବିଶିଷ୍ଟ ପ୍ରକୃତିବିତ୍ କହିଛନ୍ତି।