ଭୁବନେଶ୍ୱର : ଓଡିଶାରେ ମୋଟ୍ ୩୧,୫୩୭ଟି ଘରୋଇ କୁକୁଡା ଫାର୍ମ ରହିଛି ଏବଂ ଏଥିରୁ ୩୦,୨୮୭ଟି ଫାର୍ମରେ ମାଂସ କୁକୁଡା ଓ ୧୨୫୦ ଟି ଫାର୍ମରେ ଅଣ୍ଡାଦିଆ କୁକୁଡା ଚାଷ ହେଉଛି । ବିଜେପି ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ।
ମନ୍ତ୍ରୀ ଦର୍ଶାଇଛନ୍ତି ଯେ ୩୦,୨୮୭ଟି ମାଂସ କୁକୁଡା ଘରୋଇ ଫାର୍ମ ମଧ୍ୟରୁ ପୁରୀ ଜିଲ୍ଲାରେ ସର୍ବାଧିକ ୨୩୪୬ଟି ରହିଥିବାବେଳେ କଟକ ଜିଲ୍ଲାରେ ୨୧୫୬, ବାଲେଶ୍ୱରରେ ୧୯୫୬, ଗଞ୍ଜାମରେ ୧୮୬୪, ଯାଜପୁରର ୧୫୦୯, ମୟୁରଭଞ୍ଜରେ ୧୪୬୦, ଜଗତ୍ସିଂହପୁରରେ ୧୪୧୭, ଅନୁଗୁଳରେ ୧୪୦୮, ଢେଙ୍କାନାଳରେ ୧୩୩୭ ନୟାଗଡରେ ୧୨୧୯ ଓ କେନ୍ଦୁରରେ ୧୧୯୨ଟି ଫାର୍ମ ରହିଛି । ଝାରସୁଗୁଡା ଜିଲ୍ଲାରେ ୪୧୫ଟି ମାଂସ କୁକୁଡା ଫାର୍ମ ଓ ୧୭ଟି ଅଣ୍ଡାଦିଆ କୁକୁଡା ଫାର୍ମ ରହିଛି ।
ତେବେ ମୋଟ୍ ୧୨୫୦ଟି ଅଣ୍ଡାଦିଆ କୁକୁଡା ଫାର୍ମ ମଧ୍ୟରୁ ସବୁଠାରୁ ଅଧିକ ୧୨୩ଟି ଫାର୍ମ ଗଞ୍ଜାମ ଜିଲ୍ଲାରେ ରହିଥିବାବେଳେ ଯାଜପୁରରେ ଏହି ସଂଖ୍ୟା ୮୪, ମୟୁରଭଞ୍ଜରେ ୮୩, କଟକରେ ୭୦, ଜଗତ୍ସିଂହପୁରରେ ୫୮ ଓ ଢେଙ୍କାନାଳରେ ୫୧ ଓ ପୁରୀରେ ୫୦ଟି ରହିଛି । ରାଜ୍ୟରେ କୁକୁଡା ଚାଷୀ କ୍ଷେତ୍ରରେ ରାଜ୍ୟ ଭିତରୁ ଓ ରାଜ୍ୟ ବାହାରୁ ପ୍ରାୟ ୨୫ଟି ସଂସ୍ଥା ଅର୍ଥ ବିନିଯୋଗ କରିଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି ।