Home Health ଇଏସ୍‍ଆଇ ଡାକ୍ତରଖାନାରେ ଡାକ୍ତର ମରୁଡି

ଇଏସ୍‍ଆଇ ଡାକ୍ତରଖାନାରେ ଡାକ୍ତର ମରୁଡି

ଭୁବନେଶ୍ୱର : ରାଜ୍ୟର ଇଏସ୍‍ଆଇ ଡାକ୍ତରଖାନାଗୁଡିକରେ ଏବେ ଡାକ୍ତର ମରୁଡି ଅବସ୍ଥା । ରାଜ୍ୟରେ ଥିବା ୪ଟି ଇଏସ୍‍ଆଇ ଡାକ୍ତରଖାନା ପାଇଁ ଯେତିକି ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ଅଧାରୁ ଅଧିକ ପଦବୀ ଖାଲି ପଡିଛି ।

ବିଧାନସଭାରେ ବିଜେଡି ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ । ମନ୍ତ୍ରୀ ଦର୍ଶାଇଛନ୍ତି ରାଜ୍ୟରେ ୪ଟି ଇଏସ୍‍ଆଇ ଡାକ୍ତରଖାନା ଭୁବନେଶ୍ୱର, ଚୌଦ୍ୱାର, ଜେକେପୁର ଓ କାଂଶବାହାଲ ଠାରେ କାର୍ଯ୍ୟ କରୁଛି । ଏହି ଚାରିଟି ଡାକ୍ତରଖାନା ପାଇଁ ୫୩୮ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ରହିଥିବାବେଳେ କାର୍ଯ୍ୟ କରୁଛନ୍ତି ମାତ୍ର ୧୬୦ ଜଣ ଡାକ୍ତର ।

ଭୁବନେଶ୍ୱରରେ ଥିବା ଇଏସ୍‍ଆଇ ଡାକ୍ତରଖାନାରେ ରହିଛି ୨୧୨ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ । ଏଠାରେ ଖାଲି ପଡିଛି ୧୪୬ଟି ଡାକ୍ତର ପଦବୀ । ଗ୍ରୁପ୍‍ ଏ ପାହ୍ୟାର ୬୯ଟି ଡାକ୍ତର ପଦବୀ ମଧ୍ୟରୁ ୪୬ଟି ଖାଲି ପଡିଥିବାବେଳେ ଗ୍ରୁପ୍‍ ବି ରେ ୨୬ଟି ପଦବୀ ମଧ୍ୟରୁ ୨୪ଟି ଖାଲି ପଡିଛି । ସେହିଭଳି ଗ୍ରୁପ୍‍ ସିରେ ଥିବା ୯୪ଟି ଡାକ୍ତର ପଦବୀ ମଧ୍ୟରୁ ୬୩ଟି ଖାଲି ପଡିଥିବାବେଳେ ଗ୍ରୁପ୍‍ ଡିରେ ଥିବା ୨୩ଟି ଡାକ୍ତର ପଦବୀ ମଧ୍ୟରୁ ୧୩ଟି ଖାଲି ରହିଛି ।

କଟକ ଜିଲ୍ଲାର ଚୌଦ୍ୱାର ଠାରେ ଥିବା ଇଏସ୍‍ଆଇ ଡାକ୍ତରଖାନରେ ମୋଟ୍‍ ୧୬୪ଟି ମଞ୍ଜୁରୀପ୍ରାପ୍ତ ପଦବୀ ମଧ୍ୟରୁ ୧୧୧ ଟି ଖାଲି ପଡିଛି । ଏଠାରେ ମାତ୍ର ୫୩ଜଣ ଡାକ୍ତରଙ୍କୁ ନେଇ କାମ ଚଳାଯାଉଛି । ଏଠାରେ ଗ୍ରୁପ୍‍ ଡି ପାହ୍ୟାରେ ୬୯ଟି ଡାକ୍ତର ପଦବୀ ଥିବାବେଳେ ସେଥିରୁ ୫୯ଟି ଖାଲି ପଡିଛି ।
ସେହଭଳି ରାୟଗଡା ଜିଲ୍ଲାର ଜେକେପୁର ଠାରେ ଥିବା ଇଏସ୍‍ଆଇ ଡାକ୍ତରଖାନରେ ୬୭ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ଏଠାରେ କାମ କରୁଛନ୍ତି ମାତ୍ର ୧୯ ଜଣ ଡାକ୍ତର । ୪୮ଟି ଡାକ୍ତର ପଦବୀ ଖାଲି ପଡିଛି । ଗ୍ରୁପ୍‍ ଡି ବର୍ଗରେ ୨୪ଟି ଡାକ୍ତର ପଦବୀ ଥିବାବେଳେ ସେଥିରୁ ୨୦ଟି ଖାଲି ପଡିଛି । ସେହଭଳି ଗ୍ରୁପ୍‍ ଏ ପାହ୍ୟାରେ ୧୭ଟି ଡାକ୍ତର ପଦବୀ ଥିବାବେଳେ ସେଥିରୁ ୧୦ଟି ଖାଲି ।

ସୁନ୍ଦରଗଡ ଜିଲ୍ଲାର କାଂଶବାହାଲ ଠାରେ ଥିବା ଇଏସ୍‍ଆଇ ଡାକ୍ତରଖାନାରେ ମୋଟ୍‍ ୯୫ଟି ମଞ୍ଜୁରୀପ୍ରାପ୍ତ ଡାକ୍ତର ପଦବୀ ଥିବାବେଳେ ଏଥିରୁ ୭୩ଟି ଡାକ୍ତର ପଦବୀ ଖାଲି ପଡିଛି । ଅଛନ୍ତି ମାତ୍ର ୨୨ ଜଣ । ଠଶରେ ଗ୍ରୁପ୍‍ ଏ ପାହ୍ୟାରେ ୧୭ଟି ଡାକ୍ତର ପଦବୀ ଥିବାବେଳେ ୧୧ଟି ପଦବୀ ଖାଲି ପଡିଛି । ସେହଭଭଳି ଗ୍ରୁପ୍‍ ଡି ପାହ୍ୟାରେ ୩୯ଟି ଡାକ୍ତର ପଦବୀ ଥିବାବେଳେ ଅଛନ୍ତି ମାତ୍ର ୩ଜଣ । ଖାଲିଥିବା ପଦବୀ ପୂରଣ ପାଇଁ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନିଆଯାଉଥିବା ମନ୍ତ୍ରୀ ତାଙ୍କ ଉତ୍ତରରେ ଉଲ୍ଲେଖ କରିଛନ୍ତି । (ତଥ୍ୟ)