Home Excise ଅବକାରୀ ଚଢଉ ପାଇଁ କର୍ମଚାରୀ ସଙ୍କଟ

ଅବକାରୀ ଚଢଉ ପାଇଁ କର୍ମଚାରୀ ସଙ୍କଟ

ଭୁବନେଶ୍ୱର : ଚୋରା ମଦ କାରବାରକୁ ନିପାତ କରିବା ଏବଂ ଚୋରା ମଦ ଭାଟି ଉପରେ ବୁଲ୍‍ଡୋଜର ଚଳାଇବା ପାଇଁ ଗୋଟିଏ ପଟେ ରାଜ୍ୟ ସରକାର ଅଭିଯାନ ଆରମ୍ଭ କରିଥିବା ବେଳେ ଅନ୍ୟପକ୍ଷରେ ଅବକାରୀ ବିଭାଗର କ୍ଷେତ୍ର ଦପ୍ତରଗୁଡ଼ିକରେ ଆବଶ୍ୟକ ସଂଖ୍ୟକ ଅଧିକାରୀ ଓ କର୍ମଚାରୀ ନଥିବାରୁ ଏ କ୍ଷେତ୍ରରେ ସମସ୍ୟା ଉପୁଜୁଛି ।

ରାଜ୍ୟରେ ନିଶା କାରବାର ଉଦ୍‍ବେଗଜନକ ଭାବେ ବଢ଼ି ଚାଲିବା ସହ ଅପରାଧ, ସଡ଼କ ଦୁର୍ଘଟଣା, ରୋଗ ବ୍ୟାଧି ଆଦି ମଧ୍ୟ ବଢ଼ି ଚାଲିଛି । ଏସବୁର ନିୟନ୍ତ୍ରଣ ପାଇଁ ସାରା ରାଜ୍ୟରେ ମାତ୍ର ୪ଟି ଅବକାରୀ ଗୁଇନ୍ଦା ଓ ଚଢ଼ଉ ସଂସ୍ଥା ରହିଛି । ଏଥିରୁ ୩ଟି କଟକ, ସମ୍ବଲପୁର ଓ ବ୍ରହ୍ମପୁର ଜୋନ୍‍ରେ ଥିବାବେଳେ ଆଉ ଗୋଟିଏ ଶାଖା ଅବକାରୀ କମିଶନରଙ୍କ ନିୟନ୍ତ୍ରଣରେ ରହିଛି । ସାରା ଓଡ଼ିଶା ପାଇଁ ମାତ୍ର ୨୦୨ଟି ଅବକାରୀ ଥାନା ଥିବାବେଳେ ୩୩ଟି ଅବକାରୀ ଭ୍ରାମ୍ୟମାଣ ଦଳ, ୭୧ଟି ରେଞ୍ଜ ଅଫିସ୍‍ ଓ ୩ଟି ସାଟେଲାଇଟ୍‍ ୟୁନିଟ୍‍ ରହିଛି ।

ସମଗ୍ର ରାଜ୍ୟ ପାଇଁ ଅବକାରୀ ବିଭାଗ ଅଧୀନରେ ଜଣେ ଅବକାରୀ କମିଶନର ରହିଥାନ୍ତି ଏବଂ ତାଙ୍କ ଅଧୀନରେ ଥିବା ୪ଟି ଅତିରିକ୍ତ କମିଶନର ପଦବୀ ଖାଲି ପଡିଛି । ସେହିଭଳି ୬ଟି ଯୁଗ୍ମ କମିଶନର ପଦବୀରୁ ଗୋଟିଏ, ୮ଟି ଉପ କମିଶନର ପଦବୀରୁ ୭ଟି, ୪୭ଟି ଅବକାରୀ ସପରିଟେଣ୍ଡେଣ୍ଟ ପଦବୀରୁ ୧୬ଟି ଖାଲି ପଡିଛି । ଏହାଛଡ଼ା ୭୧ଟି ମଞ୍ଜୁରୀପ୍ରାପ୍ତ ଡେପୁଟି ସୁପରିଟେଣ୍ଡେଣ୍ଟ ପଦବୀରୁ ୧୩ଟି, ୧୭୩ଟି ଅବକାରୀ ଇନ୍ସପେକ୍ଟର ପଦବୀରୁ ୪୫ଟି, ୨୯୧ଟି ଏସ୍‍ଆଇ ପଦବୀରୁ ୪୬ଟି ଏବଂ ୪୨୬ଟି ଏଏସ୍‍ଆଇ ପଦବୀରୁ ୧୧୯ଟି ଦୀର୍ଘଦିନ ଧରି ଖାଲି ପଡ଼ିଛି ।

ମୋଟାମୋଟି ଭାବେ ୧୬୪୬ଟି ଅବକାରୀ କନେଷ୍ଟବଳ ପଦବୀରୁ ୫୭୫ଟି ଓ ୨୯ଟି ଡ୍ରାଇଭର ପଦବୀରୁ ୧୯ଟି ମଧ୍ୟ ଖାଲି ପଡିଛି । ଏହାଛଡ଼ା ଦପ୍ତର ପରିଚାଳନା ପାଇଁ ଥିବା ୩୬ଟି ସେକ୍ସନ୍‍ ଅଫିସର ପଦବୀରୁ ୧୫ଟି, ୩୬ଟି ବରିଷ୍ଠ ସହାୟକ ପଦବୀରୁ ୨୧ଟି, ୪୫ଟି କନିଷ୍ଠ ସହାୟକ ପଦବୀରୁ ୩୨ଟି ମଧ୍ୟ ଖାଲି ରହିଛି । ଏହାଛଡ଼ା କ୍ଷେତ୍ର ଦପ୍ତର ପାଇଁ ଥିବା ୯ଟି ପିଅନ ପଦବୀରୁ ୬ଟି, ୧୭ଟି ଚୌକିଦାର ପଦବୀରୁ ୭ଟି ଏବଂ ଚାରୋଟିଯାକ ଜଗୁଆଳି ପଦବୀ ମଧ୍ୟ ଖାଲି ପଡ଼ିଛି । ମୋଟାମୋଟି ଭାବେ ରାଜ୍ୟରେ ବଢ଼ି ଚାଲୁଥିବା ନିଶା କାରବାର ପରିପ୍ରେକ୍ଷୀରେ ଅବକାରୀ ଥାନା ସଂଖ୍ୟା ସହ ଗୁଇନ୍ଦା ୟୁନିଟ୍‍ ସଂଖ୍ୟା ବି ଦୁଇଗୁଣା ହେବା ଆବଶ୍ୟକ ବୋଲି ଅବସରପ୍ରାପ୍ତ ବରିଷ୍ଠ ଅବକାରୀ ଅଧିକାରୀମାନେ ମତ ଦେଉଛନ୍ତି । କେବଳ ସେତିକି ନୁହେଁ, ଚଢ଼ଉ ପାଇଁ କନେଷ୍ଟବଳ ଠାରୁ ଆରମ୍ଭ କରି ଅତିରିକ୍ତ କମିଶନର ପର୍ଯ୍ୟନ୍ତ ଅବକାରୀ ବିଭାଗରେ ଯେତେ ମଞ୍ଜୁରୀପ୍ରାପ୍ତ ପଦବୀ ରହିଛି ସେଗୁଡ଼ିକ ମଧ୍ୟ ଦୁଇଗୁଣା ବଢ଼ିବା ଆବଶ୍ୟକ ।

ପୁଲିସ କନେଷ୍ଟବଳଙ୍କ ଠାରୁ ଅନ୍ୟ କ୍ଷେତ୍ର ଅଧିକାରୀଙ୍କ ପର୍ଯ୍ୟନ୍ତ ବିଭିନ୍ନ ପାହ୍ୟାରେ ଅସ୍ତ୍ରଶସ୍ତ୍ର ତାଲିମ ଦିଆଯିବାର ବ୍ୟବସ୍ଥା ଅଛି । ସଂଖ୍ୟାଧିକ କ୍ଷେତ୍ରରେ ଦୁର୍ଦ୍ଦାନ୍ତ ଅପରାଧୀମାନେ ଚୋରା ନିଶା ବେପାର ସହ ଜଡ଼ିତ ଥିବାବେଳେ ଖଣ୍ଡେ ଖଣ୍ଡେ ଛୋଟ ଲାଠି ଧରି ମାରଣାସ୍ତ୍ରରେ ସଜିତ ଚୋରା ବେପାରୀମାନଙ୍କୁ କିପରି ଅବକାରୀ ବିଭାଗର କ୍ଷେତ୍ର କର୍ମଚାରୀମାନେ ମୁକାବିଲା କରିବେ ତାହା ମଧ୍ୟ ପ୍ରଶ୍ନବାଚୀ ।

ପୁଲିସ, ଭିଜିଲାନ୍ସ ଆଦି ସଂସ୍ଥାର କର୍ମଚାରୀମାନଙ୍କ ପାଇଁ ସ୍ୱତନ୍ତ୍ର ତାଲିମ ପ୍ରତିଷ୍ଠାନ ଥିବାବେଳେ ଏ ଯାବତ୍‍ ଅବକାରୀ ତାଲିମ ସଂସ୍ଥା ଗଢ଼ାଯାଇ ନାହିଁ । ଫଳରେ ଅବକାରୀ ବିଭାଗର କର୍ମଚାରୀମାନଙ୍କୁ ଅନ୍ୟ ସଂସ୍ଥାରେ ତାଲିମ ନେବାକୁ ପଡୁଛି । ଅବକାରୀ ତାଲିମ ଏକାଡେମୀ ପାଇଁ ରାଜ୍ୟ ସରକାର ୧୦ଏକର ଜାଗା ସହିତ ପାଣ୍ଠିର ବ୍ୟବସ୍ଥା କରିବାକୁ ବିଧାନସଭା ଷ୍ଟାଣ୍ଡିଂ କମିଟି ସୁପାରିସ କରିଥିବା ଜଣାପଡିଛି ।

ଅବକାରୀ ଭବନ ନିର୍ମାଣ ଲାଗି ଅବଶ୍ୟ ରାଜ୍ୟ ସରକାର ୨ ଏକର ଜମି ଦେବା ସହିତ ଏହା ନିର୍ମାଣ ଲାଗି ଓଡ଼ିଶା ପୁଲିସ ଗୃହ ନିର୍ମାଣ ନିଗମ ହାତରେ ୧୦ କୋଟି ଟଙ୍କା ଦେଇଛନ୍ତି । ସରକାରୀ ସୂତ୍ରରୁ ପ୍ରକାଶ ଯେ ଇତିମଧ୍ୟରେ ରାଜ୍ୟ ସରକାର ଖାଲି ପଡିଥିବା ଅବକାରୀ ବିଭାଗର କେତେକ ପଦବୀ ପୂରଣ ପାଇଁ ପଦକ୍ଷେପ ନେଉଛନ୍ତି । ରାଜ୍ୟ ସରକାରଙ୍କ ପାଇଁ ଅବକାରୀ ଏକ ଅର୍ଥକରୀ ବିଭାଗ ହୋଇଥିବା ଦୃଷ୍ଟିରୁ ଖାଲି ପଦବୀ ପୂରଣ ଉପରେ ଗୁରୁତ୍ୱ ଦିଆଯାଉଥିବା ପ୍ରକାଶ । (ତଥ୍ୟ)