Home Excise ଓଡ଼ିଶାରେ ବଢ଼ୁଛି ଚୋରା ନିଶା କାରବାର

ଓଡ଼ିଶାରେ ବଢ଼ୁଛି ଚୋରା ନିଶା କାରବାର

ଭୁବନେଶ୍ୱର : ଚିକିଟି ମଦମୃତ୍ୟୁ ଦୁର୍ଘଟଣା ପରେ ଚୋରା ମଦ ବେପାରୀଙ୍କ ସାମ୍ରାଜ୍ୟ ଉପରେ ଚାଲିଥିବା ଚଢ଼ଉ ଯୋଗୁ ସପ୍ତାହକ ଭିତରେ ଯେତେ ଚୋରା ମଦ ଧରା ପଡିଲାଣି ତା’ର ପରିମାଣ ୨୦ କୋଟି ଟଙ୍କାରୁ ଅଧିକ ହେବ ବୋଲି କୁହାଯାଉଛି । ଏଥିସହ ଶତାଧିକ ବ୍ୟକ୍ତିଙ୍କୁ ମଧ୍ୟ ଗିରଫ କରାଯିବା ସଂଗେ ସଂଗେ ଅନେକ ଯାନବାହନ ବି ଜବତ ହେଲାଣି । ଯେଉଁ ଅଞ୍ଚଳର ଅବକାରୀ ଅଧିକାରୀମାନେ ଚୋରା ନିଶା ଧରିବାରେ କାର୍ପଣ୍ୟ କରିବେ ସେମାନଙ୍କ ବିରୋଧରେ ସରକାର ଦୃଢ଼ କାର୍ଯ୍ୟାନୁଷ୍ଠାନର ଯେଉଁ ଧମକ ଦେଇଛନ୍ତି ସେଥିଯୋଗୁ ପ୍ରାୟ ସମସ୍ତ ଅବକାରୀ ଥାନା ଅଞ୍ଚଳରେ ତତ୍ପରତା ଲକ୍ଷ୍ୟ କରାଯାଉଛି ।

ଗତବର୍ଷ ଓଡ଼ିଶାରେ ୭୦,୬୬୩ ଅବକାରୀ ମାମଲା ଧରାପଡିଥିବା ବେଳେ ୫୭ ହଜାରରୁ ଅଧିକ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା । ଏବେ ଯେଉଁ ହାରରେ ଚଢ଼ଉ ଅଭିଯାନ ଜାରି ରହିଛି ସରକାର ଯଦି ତାହା ଜାରି ରଖିନ୍ତି ତେବେ ଚଳିତବର୍ଷ ଲକ୍ଷାଧିକ ଅବକାରୀ ମାମଲା ରୁଜୁ ହେବା ସହିତ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ବି ଢେର ବୃଦ୍ଧି ପାଇବ ।

ସରକାରୀ ତଥ୍ୟ ମୁତାବକ ୨୦୨୩-୨୪ ବର୍ଷରେ ୨୧ଲକ୍ଷ ଲିଟରରୁ ଅଧିକ ଚୋରା ଦେଶୀ ମଦ ଧରାଯାଇଥିଲା । ଏହାଛଡ଼ା ଉକ୍ତ ବର୍ଷରେ ପ୍ରାୟ ୨୧ହଜାର ଲଣ୍ଡନ୍‍ ପ୍ରୁଫ୍‍ ଲିଟର ଭାରତ ତିଆରି ବିଦେଶୀ ମଦ ବି ଜବତ ହୋଇଥିଲା । ଉକ୍ତ ବର୍ଷରେ ପାଖାପାଖି ୨୩ ହଜାର ଲିଟର ବିଅର ଓ ୨ଲକ୍ଷ ଲିଟର ପାଖାପାଖି ପୋଚ ମଧ୍ୟ ଧରାଯାଇଥିଲା । ଚଳିତବର୍ଷ ଏହାର ପରିମାଣ ଢେର ଅଧିକ ବୃଦ୍ଧି ପାଇପାରେ । ଏଠାରେ ଉଲ୍ଳେଖନୀୟ ଯେ ଚୋରା ଦେଶୀ ମଦ ପ୍ରସ୍ତୁତି ପାଇଁ ବ୍ୟାପକ ପରିମାଣର ପୋଚ ବ୍ୟବହୃତ ହୋଇଥାଏ ।

ଏହାଛଡ଼ା ଗତବର୍ଷ ଓଡ଼ିଶାରେ ୧୭୨୭ଟି ଏନ୍‍ଡିପିଏସ୍‍ ମାମଲା ରୁଜୁ କରାଯିବା ସହ ୨୦୨୪ଜଣଙ୍କୁ ଗିରଫ କରାଯାଇଥିଲା । ଏହିବର୍ଷରେ ଅନୁଗୁଳ, ଗଜପତି, ଗଞ୍ଜାମ, କନ୍ଧମାଳ, କୋରାପୁଟ, ମାଲକାନଗିରି ଓ ରାୟଗଡ଼ା ଭଳି ଜିଲ୍ଲାରେ ପାଖାପାଖି ୫୦ ଲକ୍ଷ ଗଞ୍ଜେଇ ଗଛ ନଷ୍ଟ କରାଯାଇଥିଲା । ଏହା ସାଢ଼େ ୩ ହଜାର ଏକରରୁ ଅଧିକ ପରିମିତ ଅଞ୍ଚଳରେ ଚାଷ କରାଯାଇଥିଲା । ଯେତେ ପରିମାଣର ଗଞ୍ଜେଇ ଗଛ ନଷ୍ଟ ହେଲା ତାହା ଅପେକ୍ଷା ଢେର ଅଧିକ ପରିମାଣର ଗଞ୍ଜେଇ ଗଛରୁ ଚୋରା ବେପାରୀମାନେ ଗଞ୍ଜେଇ ଉତ୍ପାଦନ କରି ରାଜ୍ୟ ଭିତରେ ଓ ବାହାରେ ବିକି ଚାଲିଛନ୍ତି । ବଣ ଜଙ୍ଗଲ ଭିତରେ ସରକାରୀ ଜମିରେ ଗଛ କାଟି ବ୍ୟାପକ ଗଞ୍ଜେଇ ଚାଷ ଚାଲୁଥିବା ଘେନି ଅଭିଯୋଗମାନ ଆସୁଛି ।

ଚୋରା ନିଶା କାରବାର ଧରିବା ପାଇଁ ରାଜ୍ୟ ସରକାର ଏକ ଦେୟମୁକ୍ତ ସହାୟକ ଫୋନ୍‍ ଲାଇନ୍‍ ବ୍ୟବସ୍ଥା କରିଛନ୍ତି । ଏହା ଅବକାରୀ ଆୟୁକ୍ତଙ୍କ କାର୍ଯ୍ୟାଳୟରେ ସ୍ଥାପନ କରାଯାଇଛି । ଚୋରା ମଦ ଓ ଅନ୍ୟାନ୍ୟ ନିଶା ସଂପର୍କରେ ଯେ କୌଣସି ବ୍ୟକ୍ତି ଓ ଅନୁଷ୍ଠାନ ୧୮୦୦-୩୪୫୬-୭୧୩ ନମ୍ବରରେ ଫୋନ୍‍ କରି ଗୁପ୍ତ ତଥ୍ୟ ଦେଇପାରିବେ । ତେବେ ରାଜ୍ୟରେ ଅବକାରୀ ମାମଲାର ଫଇସଲା ଓ ଦଣ୍ଡବିଧାନ ହାର ଢେର୍‍ କମ୍‍ ରହୁଥିବାରୁ ଆଇନ୍‍ ବ୍ୟବସ୍ଥାକୁ ଅପରାଧୀମାନେ ଖାତିର କରୁନଥିବା ଭଳି ମନେ ହେଉଛି ।

ରାଜ୍ୟରେ ଅବକାରୀ କର୍ମଚାରୀଙ୍କ ସଂଖ୍ୟା ଢେର୍‍ କମ୍‍ ଥିବା ଦୃଷ୍ଟିରୁ ସେମାନଙ୍କ ଦ୍ୱାରା ଚୋରା ନିଶା କାରବାରକୁ ସଂପୂର୍ଣ୍ଣ ନିପାତ କରିବା ସମ୍ଭବପର ନୁହେଁ । ଏ କ୍ଷେତ୍ରରେ ଗାଁ ଗହଳରେ ଥିବା ଗ୍ରାମରକ୍ଷୀଙ୍କ ଠାରୁ ଆରମ୍ଭ କରି ରାଜସ୍ୱ, କୃଷି ଓ ଅନ୍ୟାନ୍ୟ ବିଭାଗର କର୍ମଚାରୀ ଏବଂ ପଞ୍ଚାୟତ ଓ ପୌର ସଂସ୍ଥାର ନିର୍ବାଚିତ ପ୍ରତିନିଧି ଓ ଅଧିକାରୀ, ସ୍ୱେଚ୍ଛାସେବୀ ସଂଗଠନ ବିଶେଷ କରି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ଆଶା କର୍ମୀ, ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଆରମ୍ଭ କରି ଶିକ୍ଷା, ସ୍ୱାସ୍ଥ୍ୟ ଓ ଅନ୍ୟାନ୍ୟ ଅନୁଷ୍ଠାନ ଏବଂ ଗୁଇନ୍ଦା ବ୍ୟବସ୍ଥାର ସମନ୍ୱିତ ଉଦ୍ୟମରେ ନିଶା କାରବାରକୁ ନିୟନ୍ତ୍ରିତ କରାଯାଇପାରିବ ବୋଲି ମଦମୁକ୍ତି ପାଇଁ ଅଭିଯାନ ଚଳାଇଥିବା ସଂଗଠନମାନେ କହୁଛନ୍ତି । ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ସଂପୂର୍ଣ୍ଣ ନିଶାମୁକ୍ତି ପାଇଁ ସଂକଳ୍ପବଦ୍ଧ ଉଦ୍ୟମ କଲେ ନିଶା ରାକ୍ଷସ କବଳରୁ ଆମ ସମାଜ ବ୍ୟବସ୍ଥା ଓ ସରକାରୀ କାର୍ଯ୍ୟକ୍ରମକୁ ବଞ୍ଚାଇ ହେବ ବୋଲି ମଦମୁକ୍ତି ଅଭିଯାନ ପକ୍ଷରୁ ସ୍ପଷ୍ଟ ଭାବେ କୁହାଯାଇଛି । (ତଥ୍ୟ)