ଭୁବନେଶ୍ୱର : ଦକ୍ଷତା ବିକାଶ ନିୟୋଜନ କାର୍ଯ୍ୟ।।ଳୟରେ ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ଥିବା ଯୁବକ ଯୁବତୀଙ୍କ ସଂଖ୍ୟା ୧୧ଲକ୍ଷ ଟପି ଗଲାଣି । ଏମାନଙ୍କ ମଧ୍ୟରେ ୩ଲକ୍ଷ ୮୬ ହଜାରରୁ ଅଧିକ ଝିଅ ରହିଛନ୍ତି । ତେବେ ପଞ୍ଜିକୃତ ଯୁବକ ଯୁବତୀଙ୍କ ମଧ୍ୟରୁ ଗତ ୧୦ବର୍ଷରେ ୮୪୦୧ ଜଣ ରାଜ୍ୟ ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ମାଧ୍ୟମରେ ନିଯୁକ୍ତି ପାଇଛନ୍ତି ।
ରାଜ୍ୟ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ ଆଜି ଏଭଳି ତଥ୍ୟ ରଖିଛନ୍ତି ବିଜେଡି ବିଧାୟକ ଧୃବ ସାହୁଙ୍କ ଏକ ପ୍ରଶ୍ନର ଉତ୍ତରରେ । ମନ୍ତ୍ରୀ ଉଲ୍ଲେଖକରିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୧,୦୪,୨୨୯ ଜଣ ନାମ ପଞ୍ଜିକରଣ କରି ଚାକିରି ଅପେକ୍ଷାରେ ରହିଛନ୍ତି । ଏମାନଙ୍କ ମଧ୍ୟରେ ପୁଅଙ୍କ ସଂଖ୍ୟା ୭,୧୭,୫୩୦ଥିବାବେଳେ ଝିଅଙ୍କ ସଂଖ୍ୟା ୩,୮୬,୬୯୯ ରହିଛି । ଗତ ୧୦ବର୍ଷ ମଧ୍ୟରେ ଏମାନଙ୍କ ମଧ୍ୟରୁ ୮୪୦୧ ଜଣ ନିଯୁକ୍ତି ପାଇଛନ୍ତି ।
ବେକାର ଯୁବକ ଯୁବତୀମାନଙ୍କୁ ଅଧିକ ସଂଖ୍ୟାରେ ନିଯୁକ୍ତି ଦେବାପାଇଁ ୨୦୦୮-୦୯ ରୁ ୨୦୨୩-୨୪ ବର୍ଷ ମଧ୍ୟରେ ୪୧୨ଟି ନିଯୁକ୍ତି ମେଳା ଆୟୋଜନ କରାଯାଇଛି । ଏôତୋର ୨,୦୫,୯୮୦ ଜଣ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ଏହାଛଡା ପ୍ରତିଷ୍ଠିତ ବେସରକାରୀ ସଂସ୍ଥାମାନଙ୍କ ସହଭାଗିତାରେ ଏକ ନିଯୁକ୍ତିଭିତ୍ତିକ ତାଲିମ କାର୍ଯ୍ୟକ୍ରମ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପ୍ରଚଳନ କରାଯାଇଛି । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ୨୦୨୨-୨୩ରେ ୩୯୬୪ ଜଣ ଏବଂ ୨୦୨୩-୨୪ ରେ ୩୯୨୨ ଜଣ ଯୁବକଯୁବତୀଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି ।
ଏହାବାଦ୍ ବେକାର ଯୁବକ ଯୁବତୀମାନଙ୍କୁ ନିଯୁକ୍ତିକ୍ଷମ ଓ ସ୍ୱାବଲମ୍ବନ ପାଇଁ ରାଜ୍ୟ ସରକାର ବିଭିନ୍ନ ନିଯୁକ୍ତି ଓ ଆତ୍ମନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଚଳାଇଛନ୍ତି । ଏହା ଜରିଆରେ ୨୦୨୩-୨୪ ବର୍ଷରେ ୨୧ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯାଇ ପାରିଛି ।
ତେବେ ମନ୍ତ୍ରୀ ଦେଇଥିବା ସୂଚନାରୁ ଜଣାପଡିଛି ଯେ ଆଇଟିଆଇ ଡିପ୍ଲୋମା ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଯୁକ୍ତି ହାର ଅଧିକ ରହିଛି । ୨୦୨୧-୨୨ ବର୍ଷରେ ୩୮୫୨ ଜଣ ଆଇଟିଆଇ ଉତ୍ତୀର୍ଣ୍ଣ ନାମ ପଞ୍ଜିକରଣ କରିଥିବାବେଳେ ସେମାନଙ୍କ ମଧ୍ୟରୁ ୫୪ ପ୍ରତିଶତଙ୍କୁ ନିଯୁକ୍ତି ସୁଯୋଗ ମିଳିଛି । ଡିପ୍ଲୋମା କ୍ଷେତ୍ରରେ ଏହି ହାର ୪୫ ପ୍ରତିଶତ ରହିଛି । ସେହିଭଳି ୨୦୨୨-୨୩ ବର୍ଷରେ ଆଇଟିଆଇ ଓ ଡିପ୍ଲୋମା ପଞ୍ଜିକୃତଙ୍କ ମଧ୍ୟରେ ନିଯୁକ୍ତି ହାର ଯଥାକ୍ରମେ ୪୩ ଓ ୪୫ ପ୍ରତିଶତ ରହିଛି । ୨୦୨୩-୨୪ ବର୍ଷରେ ଯଦିଓ ଏହି ଦୁଇ ବର୍ଗରେ ନିଯୁକ୍ତି ହାର ହ୍ରାସ ପାଇଛି ତଥାପି ଏହା ୪୦ ପ୍ରତିଶତ ଉପରେ ରହିଥିବା ମନ୍ତ୍ରୀଙ୍କ ଉତ୍ତରରୁ ଜଣାଯାଇଛି ।
ତେବେ ବେକାରମାନଙ୍କୁ ନିଯୁକ୍ତି ଦେବାଲାଗି ଓ ନିଯୁକ୍ତି ପାଇବାଯାଏ ସେମାନଙ୍କୁ କୌଣସି ସ୍ୱତନ୍ତ୍ର ସାହାଯ୍ୟ ପ୍ରଦାନ କରିବାର ପ୍ରସ୍ତାବ ରାଜ୍ୟ ସରକାରଙ୍କ ନୀତିଗତ ନିଷ୍ପତ୍ତି ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି । (ତଥ୍ୟ)