Home General ଅସରାଏ ବର୍ଷାରେ ଲୁମ୍ବିନୀବିହାର ଉବୁଟୁବୁ

ଅସରାଏ ବର୍ଷାରେ ଲୁମ୍ବିନୀବିହାର ଉବୁଟୁବୁ

ଭୁବନେଶ୍ୱର : ପୂର୍ତ୍ତ ଓ ନଗର ଉନ୍ନୟନ ବିଭାଗର ତ୍ରୁଟିପୂର୍ଣ୍ଣ କାର୍ଯ୍ୟ ଯୋଗୁଁ ଏବେ ଅସରାଏ ବର୍ଷାରେ ରାଜଧାନୀର ଲୁମ୍ବିନୀବିହାର, ନିଳାଦ୍ରୀବିହାର ଓ ଆଦର୍ଶ କଲୋନୀ ମଙ୍ଗଳା ବସ୍ତି ଉବୁଟୁବୁ ହେଉଛି । ବିଶେଷକରି ବସ୍ତିବାସିନ୍ଦାଙ୍କ ଘରେ ପାଣି ପଶି ଅଟା, ଚାଉଳ ସମେତ ଆସବାବପତ୍ର ନଷ୍ଟ ହେଉଥିବାବେଳେ ନିଳାଦ୍ରୀବିହାର ଅଞ୍ଚଳର ପାଚେରୀ ପରେ ପାଚେରୀ ଭୁଷୁଡୁଛି ।

ନିଳାଦ୍ରୀବିହାରର ବୁଦ୍ଧଜୟନ୍ତୀ ପାର୍କ ଉପରେ ଥିବା ଇଷ।।ନେଶ୍ୱର ମୁଣ୍ଡିଆର ପ୍ରାକୃତିକ ଶୋଭାରାଜି ଲୋକଙ୍କ ବେଶ୍‍ ଆକର୍ଷିତ କରୁଛି । କିନ୍ତୁ ଆବାସ ଯୋଜନାରେ ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବାପାଇଁ ଏହି ପାହାଡକୁ ନିର୍ମମ ଭାବେ ଫଟାଯାଇ ସେଠାରେ ବହୁତଳ ବିଶିଷ୍ଟ ଆପାର୍ଟମେଣ୍ଟମାନ ନିର୍ମାଣ କରାଯାଇଛି । ଏହି ଆପାର୍ଟମେଣ୍ଟଗୁଡିକୁ ଲୁମ୍ବିନୀବିହାର ଓ ନିଳାଦ୍ରୀବିହାର ଜି.ଏ ପ୍ଲଟ ଅଞ୍ଚଳ ପଟୁ ପାହାଡ ଉପରେ ରାସ୍ତା ନିର୍ମାଣ ହୋଇଛି । ଫଳରେ ଅସରାଏ ବର୍ଷା ହେଲେ ଏହି ରାସ୍ତାଦୁଇଟିରେ ପାହାଡ ଉପରୁ ତୀବ୍ର ଗତିରେ ବର୍ଷାଜଳର ସୁଅ ତଳକୁ ଛୁଟୁଛି । ଏହି ପାଣିର ସୁଅ ଏତେ ତୀବ୍ର ହେଉଛି ଯେ ରାସ୍ତାଘାଟ ବି ତାଡିହୋଇ ଯାଉଛି ।

ହାତିଆଶୁଣି-ଉତ୍କଳ ହସ୍ପିଟାଲ ରାସ୍ତାରୁ ବୁଦ୍ଧପାର୍କ ପାଖଦେଇ ଯେଉଁ ରାସ୍ତା ଯାଇଛି ତାହା ଉପରେ ଆଂଠୁଏ ଉଚ୍ଚାର ବର୍ଷାପାଣିର ସୁଅ ଛୁଟୁଥିବାରୁ ବର୍ଷାବେଳେ ଏହି ରାସ୍ତାରେ ଗାଡି ଚଳାଚଳ ବନ୍ଦହୋଇ ଯାଉଛି । ଏହି ଆପାର୍ଟମେଣ୍ଟରେ ବସ୍ତିବାସିନ୍ଦା ରହିବାପରେ ପାଣି ସୁଅ ଯୋଗୁଁ ଯେ କେତେବେଳେ କିଭଳି ଅଘଟଣ ଘଟିବ ସେଥିଘେନି ଲୋକେ ଆତଙ୍କିତ ।

ବସ୍ତିବାସିନ୍ଦାଙ୍କ ପାଇଁ ନିର୍ମିତ ଏହି ଆପାର୍ଟମେଣ୍ଟର ପାଣି ୨ଟି ରାସ୍ତା ଡେଇଁ ଲୁମ୍ବିନୀବିହାର ଆବାସିକ ଅଞ୍ଚଳ ଭିତରେ ତୀବ୍ର ଗତିରେ ପ୍ରବାହିତ ହେବା ସହ ତଳମୁଣ୍ଡରେ ଥିବା ମଙ୍ଗଳାବସ୍ତିରେ ଘରଦ୍ୱାର ବୁଡାଇ ଦେଉଛି । କେବଳ ସେତିକି ନୁହେଁ, ଲୁମ୍ବିନୀବିହାରରୁ ବୁଦ୍ଧପାର୍କର ନିଳାଦ୍ରୀବିହାର ଗେଟ୍‍କୁ ସଂଯୋଗ କରୁଥିବା ରାସ୍ତା ଉପରେ ବି ପାଣି ସୁଅ ଚାଲୁଛି । ଏମିତିକି ନିକଟରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ବି ଏହି ପାଣି ପଶୁଛି ।

ଇତି ମଧ୍ୟରେ ନିଳାଦ୍ରୀବିହାର ଅଞ୍ଚଳରେ କେତେକ ଲୋକଙ୍କ ପାଚେରୀ ଭୁଷୁଡି ପଡିଲାଣି । ରାସ୍ତା ଉପର ପାଣି କେୟା ହସ୍ପିଟାଲ ପର୍ଯ୍ୟନ୍ତ ଲହଡି ଭାଙ୍ଗୁଛି । ଅଥଚ ଠିକଣା ଭାବେ ଏହି ଅଞ୍ଚଳରେ ଡ୍ରେନ୍‍ କାମ କରୁନାହିଁ । କେତେକ ପ୍ଲଟ ସାମ୍ନାରେ ଡ୍ରେନ ନିର୍ମାଣ ନକରି କର୍ତ୍ତୃପକ୍ଷ ରାସ୍ତା ଉଚ୍ଚା କରିଦେବାରୁ ସମସ୍ୟା ବଢୁଛି । ଏଥିଯୋଗୁଁ ମଶାଙ୍କ ପ୍ରାବଲ୍ୟ ବି ବଢିବାରେ ଲାଗିଛି । ଏଠାରେ ଉଲ୍ଲେଖନୀୟ ଯେ ଉକ୍ତ ଅଞ୍ଚଳରେ ରହୁଥିବା କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ନିକଟରେ ଡେଙ୍ଗୁରେ ପ୍ରାଣ ହରାଇଛନ୍ତି ।

ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ନଗର ଉନ୍ନୟନ ବିଭାଗ ମୁଣ୍ଡଆ ଉପରେ ଜାଗା ଚିହ୍ନଟି କରିଥିବାବେଳେ ବିଡିଏ ଓ ବିଏମ୍‍ସି ଏହା ଉପରେ ମୋହର ବସାଇଥିଲେ । ପୂର୍ତ୍ତ ବିଭାଗ ବର୍ଷାପାଣିର ସୁଅକୁ ଠିକଣା ଭାବେ ଆକଳନ ନକରି ରାସ୍ତା ଉଚ୍ଚା କରିଚାଲିବା ଫଳରେ ଲୋକେ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେବାସହ ବିପୁଳ ଅର୍ଥ ବ୍ୟୟରେ ତିଆରି ହୋଇଥିବା ରାସ୍ତା ମଧ୍ୟ ଅଳ୍ପଦିନରେ ନଷ୍ଟହୋଇ ଯାଉଛି ।

ଇତି ମଧ୍ୟରେ ଲୁମ୍ବିନୀବିହାର, ନିଳାଦ୍ରୀବିହାର ଓ ମା’ ମଙ୍ଗଳା ବସ୍ତିର ବହୁ ବାସିନ୍ଦା ଏହି ସମସ୍ୟା ସମ୍ପର୍କରେ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଆବାସ ଯୋଜନାର ଘରଗୁଡିକ ସମ୍ପୂର୍ଣ୍ଣଭାବେ ବ୍ୟବହୃତ ହେବା ପୂର୍ବରୁ ଏହାର ବର୍ଷାପାଣି କୁ ଠିକଣା ଭାବେ ନିୟନ୍ତ୍ରଣ କରାନଗଲେ ତାହାର ତଳ ଅଞ୍ଚଳରେ ଥିବା ଜନବସତିଗୁଡିକରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହେବ ବୋଲି ଅଭିଯୋଗ ହେଉଛି । (ତଥ୍ୟ)