Home News in Odia ସରକାରଙ୍କ ଆଭିମୁଖ୍ୟ ଉପରେ ନଜର

ସରକାରଙ୍କ ଆଭିମୁଖ୍ୟ ଉପରେ ନଜର

ଭୁବନେଶ୍ୱର : ମିଶନାରୀ ଗ୍ରାହମ ଷ୍ଟେସନ ଓ ତାଙ୍କ ଦୁଇ ଶିଶୁ ସନ୍ତାନଙ୍କୁ ଜୀଅନ୍ତା ପୋଡି ମାରିଥିବା ଅପରାଧରେ କାରାରୁଦ୍ଧ ଥିବା ରବୀନ୍ଦ୍ର କୁମାର ପାଲ୍‍ ଓରଫ ଦାରା ସିଂ ର ମୁକ୍ତ ପ୍ରସଙ୍ଗରେ ଓଡିଶା ସରକାରଙ୍କ ଆଭିମୁଖ୍ୟ କ’ଣ ରହିବ ତାହା ଉପରେ ଏବେ ସମସ୍ତଙ୍କ ନଜର ।

ଏଠାରେ ଉଲ୍ଲେଖନୀୟ ଯେ ଏହି ଅଷ୍ଟ୍ରେଲୀୟ ନାଗରିକ ଓ ତାଙ୍କ ଦୁଇ ଶିଶୁପୁତ୍ରଙ୍କୁ ୧୯୯୯ ମସିହାରେ ଏକ ଗାଡି ମଧ୍ୟରେ ଦାରା ସିଂ ପୋଡି ହତ୍ୟା କରିଥିଲା । ଏହି ପ୍ରସଙ୍ଗ ସେତେବେଳେ କେବଳ ଓଡିଶାରେ ନୁହେଁ, ଦେଶ ବିଦେଶରେ ହଇଚଇ ସୃଷ୍ଟି କରିଥିଲା । ପରବର୍ତ୍ତୀ ସମୟରେ ମୁଖ୍ୟ ଅଭିଯୁକ୍ତ ଦାରାକୁ ପୁଲିସ୍‍ ଗିରଫ କରିଥିଲା ଏବଂ ୨୦୦୩ ମସିହାରେ ଅଦାଲତ ଦାରା ସିଂକୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିଲେ ।

ତେବେ ୨୦୦୫ରେ ଓଡିଶା ହାଇକୋର୍ଟ ଏହି ମୃତ୍ୟୁ ଦଣ୍ଡାଦେଶକୁ କୋହଳ କରି ଆଜୀବନ କାରାଦଣ୍ଡାଦେଶ ଦେଇଥିଲେ ଏବଂ ସୁପ୍ରିମ୍‍କୋର୍ଟ ୨୦୧୧ ମସିହାରେ ଏହାକୁ କାଏମ ରଖିଥିଲେ । ଦାରା ଏପର୍ଯ୍ୟନ୍ତ ୨୪ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାରାରୁଦ୍ଧ ରହିଛି । ତାକୁ କାରାମୁକ୍ତ କରିବାପାଇଁ ଅତୀତରେ ବିଭିନ୍ନ ମହଲରୁ ଉଦ୍ୟମ ହୋଇଥିଲେ ବି ସଫଳତା ମିଳିନଥିଲା ।
ଇତି ମଧ୍ୟରେ ଓଡିଶା ସରକାର ଲିବରାଲ ରେମିଶନ ପଲିସୀ ଆଣିଛନ୍ତି । ଏହି ପଲିସୀ ଆଧାରରେ ଦାରାକୁ ଆଗୁଆ ଖଲାସ କରିବା ପ୍ରସଙ୍ଗରେ ଆଗତ ଏକ ମାମଲାର ବିଚାର କରି ରାଜ୍ୟ ସରକାର ଏ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହା ବିରୁଦ୍ଧରେ ଦାରା ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ସେ ଯୁବାବସ୍ଥାରେ ଏଭଳି ଅପରାଧ ଘଟାଇଥିଲେ ଏବଂ ଇତିମଧ୍ୟରେ ସେ ବାର୍ଦ୍ଧକ୍ୟରେ ଉପନୀତ ହେବା ସହିତ ଅତୀତର ଅପରାଧ ପାଇଁ ଅନୁଶୋଚନ କରୁଛନ୍ତି ବୋଲି ଦର୍ଶାଇବା ସହ ଅନ୍ୟକେତେକ ମାମଲାର ନଜିର ଦେଇ ତାଙ୍କୁ କାରାମୁକ୍ତ କରିବାପାଇଁ ସୁପ୍ରିମ୍‍କୋର୍ଟରେ ପ୍ରଶ୍ନ ଉଠାଇଛନ୍ତି ।

ଏହି ମାମଲା ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଡି ୱାଇ ଚନ୍ଦ୍ରଚୂଡ, ଅନ୍ୟତମ ବିଚାରପତି ଜେ ବି ପାର୍ଦ୍ଦିୱାଲ ଓ ମନୋଜ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ପାଇଁ ଆସିଥିଲା ଏବଂ ଏ ପ୍ରସଙ୍ଗରେ ଓଡିଶା ସରକାର ତାଙ୍କର ଜବାବ ଦାଖଲ କରିବାକୁ ସୁପ୍ରିମ୍‍କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଅପରାଧକୁ ମଧ୍ୟ ସୁପ୍ରିମ୍‍କୋର୍ଟ ଗମ୍ଭୀରତାର ସହ ନେଇଛନ୍ତି ।

ପୂର୍ବରୁ ବିଲ୍‍କିସ୍‍ ବାନୁ ଘଟଣାରେ ଗୁଜୁରାଟ ସରକାର ତାଙ୍କ ଲିବରାଲ ରେମିଶନ ପଲିସୀ ଆଧାରରେ କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ୧୧ଜଣ ଅପରାଧୀଙ୍କୁ କାରାମୁକ୍ତ କରିଥିଲେ । ଏହା ବିରୁଦ୍ଧରେ ବିଲ୍‍କିସ୍‍ ବାନୁ ସୁପ୍ରିମ୍‍କୋର୍ଟଙ୍କ ଦ୍ୱାରସ୍ଥ ହେବାପରେ ମାମଲାକୁ ଗମ୍ଭୀରତାର ସହ ନେଇ ଅପରାଧିମାନଙ୍କୁ ତୁରନ୍ତ ଜେଲ୍‍ ଫେରିବାପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହି ଘଟଣା ସାରା ଦେଶରେ ବେଶ୍‍ ଚର୍ଚ୍ଚାର ବିଷୟ ହୋଇଥିଲା । ଏ ପରିପ୍ରେକ୍ଷୀରେ ଓଡିଶା ସରକାର ଏବେ ଦାରା ସିଂକୁ କାରାମୁକ୍ତ କରିବାପାଇଁ ନରମ ମନୋଭାବ ଗ୍ରହଣ କରିବେ ନା ଅପରାଧର ଗମ୍ଭୀରତା ଦୃଷ୍ଟିରୁ କଠୋର ହେବେ ତାହା ଉପରେ ସମସ୍ତଙ୍କ ନଜର ।

ଇତିମଧ୍ୟରେ ଏକ ଶିଶୁ ହତ୍ୟା ମାମଲାରେ ଆଜୀବନ କାରାଦଣ୍ଡ ଭୋଗୁଥିବା ଜଣେ ଅପରାଧି ଲିବରାଲ ରେମିଶନ ପଲିସୀ ଆଧାରରେ କାରାମୁକ୍ତ ହେବାପାଇଁ ଓଡିଶା ହାଇକୋର୍ଟରେ ଯେଉଁ ଆବେଦନ କରିଥିଲେ ତାହାକୁ ହାଇକୋର୍ଟ ଖାରଜ କରିଦେବା ସହ ଏଭଳି ଅପରାଧ କ୍ଷେତ୍ରରେ ଅପରାଧିଙ୍କ ପ୍ରତି କୋହଳ ମନୋଭାବ ଗ୍ରହଣ କରାଯାଇ ପାରିବନାହିଁ ବୋଲି ରୋକଠୋକ୍‍ ଭାବେ କହିଛନ୍ତି । ସୁପ୍ରିମ୍‍କୋର୍ଟରେ ପୁର୍ନବାର ଦାରା ସିଂଙ୍କ ମୁକ୍ତି ମାମଲା ପହଞ୍ଚିଥିବା ପରିପ୍ରେକ୍ଷୀରେ ଓଡିଶା ସରକାରଙ୍କ ସତ୍ୟପାଠ ଓ ଆଇନ୍‍ ଅଦାଲତରେ ଯୁକ୍ତି ଉପରେ ସବୁ ମହଲର ନଜର ରହିଛି । (ତଥ୍ୟ)