Home Agriculture ମାଣ୍ଡିଆ ଚାଷ ପାଇଁ ଉପକୂଳରେ ଆଗ୍ରହ ନାହିଁ

ମାଣ୍ଡିଆ ଚାଷ ପାଇଁ ଉପକୂଳରେ ଆଗ୍ରହ ନାହିଁ

ଭୁବନେଶ୍ୱର : ମାଣ୍ଡିଆ ଚାଷ ପାଇଁ ସରକାର ପାଣି ଭଳି ପଇସା ଖର୍ଚ୍ଚ କରୁଛନ୍ତି । ମାଣ୍ଡିଆର ସରକାରୀ ଧାର୍ଯ୍ୟ ଦର ଧାନ ଠାରୁ ଢେର ଅଧିକ । ହେଲେ ଉପକୂଳ ଜିଲ୍ଲାରେ ମାଣ୍ଡିଆଚାଷ ପ୍ରତି ସେଭଳି ଆଗ୍ରହ ନାହିଁ ।

ସରକାର ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବାପରେ ରାଜ୍ୟରେ ୨୦୬ ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଛି । ପାଞ୍ଚଟି ଜିଲ୍ଲାକୁ ବାଦ୍‍ ଦେଲେ ଅନ୍ୟ କୌଣସି ଠାରେ ମାଣ୍ଡିଆର ଉତ୍ପାଦନ ଏକ ଲକ୍ଷ କୁଇଣ୍ଟାଲକୁ ଅତିକ୍ରମ କରିପାରି ନାହିଁ । ତେବେ ଆଶ୍ଚର୍ଯ୍ୟର କଥା ଉପକୂଳର ଦୁଇ ଜିଲ୍ଲା ଜଗତ୍‍ସିଂହପୁର ଓ କେନ୍ଦ୍ରାପଡାରେ ମାଣ୍ଡିଆ ଉତ୍ପାଦନ ଶୂନ ରହିଛି । ଅନ୍ୟତମ ଉପକୂଳବର୍ତ୍ତୀ ଜିଲ୍ଲା ବାଲେଶ୍ୱରରେ ମାଣ୍ଡିଆ ଉତ୍ପାଦନ ମାତ୍ର ହଜାରେ କୁଇଣ୍ଟାଲ ଥିବାବେଳେ ଯାଜପୁରରେ ମଧ୍ୟ ସମାନ ସ୍ଥିତି ।

ତେବେ ମାଣ୍ଡିଆ ଉତ୍ପାଦନରେ ସବୁଠାରୁ ଆଗରେ ରହିଛି କୋରାପୁଟ । ଏହି ଜିଲ୍ଲାରେ ପ୍ରାୟ ୭୩ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହେଉଥିବାବେଳେ ୮ଲକ୍ଷ କୁଇଣ୍ଟାଲରୁ ଅଧିକ ମାଣ୍ଡିଆ ଫଳିଛି । ଏହା ପଛକୁ ରହିଛି ଗଞ୍ଜାମ । ଏଠାରେ ୨୫ହଜାର ହେକ୍ଟର ଜମିରେ ମାଣ୍ଡିଆ ଚାଷ ହୋଇଥିବାବେଳେ ୨.୭୩ ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଛି । ରାୟଗଡାରେ ୨.୧୧ଲକ୍ଷ କୁଇଣ୍ଟାଲ, ସୁନ୍ଦରଗଡରେ ୧.୦୬ଲକ୍ଷ କୁଇଣ୍ଟାଲ, ମାଲକାନଗିରିରେ ୧.୨୫ଲକ୍ଷ କୁଇଣ୍ଟାଲ ମାଣ୍ଡିଆ ଉତ୍ପାଦନ ହୋଇଥିବା ସରକାରୀ ଭାବେ କୁହାଯାଉଛି ।

ଲୋକଙ୍କୁ ମାଣ୍ଡିଆ ପ୍ରତି ଆକର୍ଷିତ କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି । ମହିଳା ଗୋଷ୍ଠିଗୁଡିକୁ ଭଳିକି ଭଳି ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ତିଆରି କରୁଥିବାବେଳେ ମାଣ୍ଡିଆରୁ ବିସ୍କୁଟ, ରସଗୋଲା ଏପରିକି ଦହିବରା ଆଦି ପ୍ରସ୍ତୁତ ବି ହେଉଛି ।

ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବାପାଇଁ ସରକାର ଏହାର କୁଇଣ୍ଟାଲ ପ୍ରତି ଦର ୪୨୯୦ ଟଙ୍କା ଧାର୍ଯ୍ୟ କରିଛନ୍ତି । ଯାହା କି ଧାନର ସର୍ବନିମ୍ନ ସହାୟକ ମୂଲ୍ୟଠାରୁ ପ୍ରାୟ ୧୨୦୦ ଟଙ୍କା ଅଧିକ ରହିଛି । ଏଥି ସହିତ ଚାଷୀମାନେ କିଭଳି ଉନ୍ନତ ପ୍ରଣାଳୀରେ ମାଣ୍ଡିଆ ଚାଷ କରିପାରିବେ ସେଥିପାଇଁ ସେମାନଙ୍କୁ ତାଲିମ ସହିତ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ଯୋଗାଇ ଦିଆଯାଉଛି ।

ସାଧାରଣ ଲୋକେ ଧିରେ ଧିରେ ମାଣ୍ଡିଆ ପ୍ରତି ଅଧିକ ଆଗ୍ରହ ପ୍ରକାଶ କରିବା ଏବଂ ସରକାରଙ୍କ ସମସ୍ତ ପ୍ରକାର ପ୍ରୋତ୍ସାହନ ସତ୍ୱେ ଉପକୂଳ ଅଞ୍ଚଳରେ ଏହି ଚାଷ ପ୍ରତି ସେତେଟା ଆଗ୍ରହ ପ୍ରକାଶ ପାଉନାହିଁ । ଏଠାରେ ସାଧାରଣତଃ ଚାଷୀମାନେ ଧାନ ଚାଷ ଉପରେ ଅଧିକ ଗୁରୁତ୍ୱ ଦେଉଥିବାବେଳେ ସେମାନଙ୍କୁ କିଭଳି ମାଣ୍ଡିଆ ଚାଷ ପ୍ରତି ଆକର୍ଷିତ କରାଯାଇ ପାରିବ ତାହା ଏବେ କୃଷି ବିଭାଗ ପାଇଁ ଆହ୍ୱାନ ପାଲଟିଛି । (ତଥ୍ୟ)