Home Infrastructure ୭୫୦୦ ଗାଁ ମୋବାଇଲ୍‍ ସେବାରୁ ଦୂରରେ

୭୫୦୦ ଗାଁ ମୋବାଇଲ୍‍ ସେବାରୁ ଦୂରରେ

ଭୁବନେଶ୍ୱର : ଦେଶରେ ମୋବାଇଲ୍‍ ଫୋନ୍‍ ବ୍ୟବହାରକୁ ୨୬ବର୍ଷ ହୋଇଥିବାବେଳେ ଏବେ ବି ଓଡିଶାର ୭୫୦୦ ଗ୍ରାମ ମୋବାଇଲ୍‍ ସେବା ଠାରୁ ଦୂରରେ । ୧୯୯୫ ମସିହାରେ ଭାରତରେ ମୋବାଇଲ୍‍ ସେବା ଆରମ୍ଭ ହୋଇଥିବାବେଳେ ସର୍ବଶେଷ ସମୀକ୍ଷାରୁ ଜଣାପଡିଛି ଯେ ଓଡିଶାର ୫୧,୩୫୩ଟି ଗ୍ରାମ ମଧ୍ୟରୁ ୭୪୮୯ ଗାଁ ଲୋକେ ଏବେ ବି ମୋବାଇଲ ସେବାରୁ ବଞ୍ଚିତ ।

ନିକଟରେ ଓଡିଶା ସରକାର କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟକୁ ଅନୁରୋଧ କରି ଏହିସବୁ ଗାଁ ବିଶେଷକରି ନକ୍ସଲ ପ୍ରଭାବିତ ଗାଁଗୁଡିକୁ ମୋବାଇଲ୍‍ ସେବା ଉପଲବ୍ଧ ପାଇଁ କହିଛନ୍ତି । ଦୀର୍ଘ ବର୍ଷ ଧରି ଓଡିଶା ମୋବାଇଲ୍‍ ବ୍ୟବହାର କ୍ଷେତ୍ରରେ ପଛରେ ପହିଛି । ସର୍ବଭାରତୀୟ ସ୍ତରରେ ମୋବାଇଲ୍‍ ସାନ୍ଧ୍ରତା ୮୬ ପ୍ରତିଶତ ଥିବାବେଳେ ଓଡିଶାରେ ଏହା ୭୬ ପ୍ରତିଶତ ରହିଛି । ମୋବାଇଲ୍‍ ଏବେ ଲୋକଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟା ସହିତ ଯୋଡିହୋଇ ଯାଇଥିବାବେଳେ ରାଜ୍ୟର ଏତେ ସଂଖ୍ୟକ ଗାଁରେ ଲୋକେ ମୋବାଇଲ୍‍ରେ କଥା ନହୋଇପାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ମନ୍ତ୍ରାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ।

ମୋବାଇଲ ସେବା ସଂକ୍ରାନ୍ତରେ କେନ୍ଦ୍ର ଯୋଗାଯୋଗ ମନ୍ତ୍ରାଳୟ ରାଜ୍ୟ ସରକାରଙ୍କ ସହିତ କରିଥିବା ମିଳିତ ସର୍ଭେକ୍ଷଣରୁ ଏହା ପଦାକୁ ଆସିଛି । ତେବେ ଯେଉଁସବୁ ଗାଁରେ ମୋବାଇଲ୍‍ ସଂଯୋଗ ରହିଛି ସେଠାରେ ସେବା ଅତ୍ୟନ୍ତ ଦୁର୍ବଳ । ଦୁର୍ବଳ ଡାଟା ସଂଯୋଗ ଯୋଗୁଁ ଲୋକେ ଡିଜିଟାଲ ପେମେଣ୍ଟ ଭଳି ସେବାରୁ ବଞ୍ଚିତ ହେଉଛନ୍ତି । ଓଡିଶା ସରକାର ଏହାକୁ ଟେଲିଯୋଗାଯୋଗ ବିଭାଗ ନିକଟରେ ଉଠାଇବା ସହିତ ମୋବାଇଲ୍‍ ସେବା ଉପରେ ସ୍ୱତନ୍ତ୍ର ଧ୍ୟାନ ଦେବାକୁ କହିଛନ୍ତି । ଅନ୍ୟ ପକ୍ଷରେ ମୋବାଇଲ ସେବାରେ ଉନ୍ନତି ଆଣିବା ଲାଗି ଓଡିଶା ସରକାର ୟୁନିଭର୍ସାଲ ସର୍ଭିସ ଓବ୍ଲିଗେସନ ଫଣ୍ଡ୍‍ (ୟୁଏସ୍‍ଓଏଫ୍‍) ରୁ ପାଣ୍ଠି ଆବଶ୍ୟକ କରୁଥିବାବେଳେ କେନ୍ଦ୍ର ସରକାର ଏଭଳି ପ୍ରକଳ୍ପକୁ ମଞ୍ଜୁର କରୁନାହାନ୍ତି ।

ଏଣେ ରାଜ୍ୟର ୬୭୯୮ ଗ୍ରାମ ପଞ୍ଚାୟତ ମଧ୍ୟରୁ ମାତ୍ର ୩୭୭୦ ପଞ୍ଚାୟତକୁ ବ୍ରଡବ୍ୟାଣ୍ଡ୍‍ ସଂଯୋଗ ଦିଆଯାଇ ପାରିଛି । ସଂଯୋଗ ଦିଆଯାଇଥିଲେ ବି ଇଣ୍ଟରନେଟ୍‍ ଅତ୍ୟନ୍ତ ଧିମା ହେଉଥିବାରୁ ଲୋକେ ସୁଫଳ ପାଇପାରୁ ନାହାନ୍ତି । ଭାରତ ନେଟ୍‍-୧ ଯୋଜନାରେ ୧୮ ଜିଲ୍ଲାର ୩୮୭୦ ପଞ୍ଚାୟତକୁ ୧୦୦ ଏମ୍‍ବିପିଏସ୍‍ ସ୍ପିଡ୍‍ରେ ଇଣ୍ଟରନେଟ୍‍ ସଂଯୋଗ ପାଇଁ ଯୋଜନା ଥିଲା । ହେଲେ ବେଗଗାମୀ ଇଣ୍ଟରନେଟ୍‍ ସେବା ନଥିବାରୁ ଏହିସବୁ ପଞ୍ଚାୟତରେ ଉଦ୍ଦେଶ୍ୟ ସାଧିତ ହୋଇପାରୁନାହିଁ ।

ଭାରତ ନେଟ୍‍-୨ ୧୨ଟି ଜିଲ୍ଲାରେ ଚାଲୁଥିବାବେଳେ ଚଳିତବର୍ଷ ମଇ ସୁଦ୍ଧା ଏହା ସାରିବାକୁ ଲକ୍ଷ୍ୟ ରହିଛି ଯାହା ଏକ ପ୍ରକାର ଅସମ୍ଭବ ବୋଲି ଅଧିକାରୀମାନେ ବିଚାରୁଛନ୍ତି । ୱାଇଫାଇ ଜ୍ଞାନକୌଶଳ ଏବେ ଗାଁ ଗହଳରେ ସବୁଠାରୁ ଅଧିକ ବ୍ୟବହାର ହେଉଥିବାବେଳେ ଓଡିଶା ଏଭଳି ସେବା ଆବଶ୍ୟକ କରୁଛି । ତଦନୁଯାୟୀ ରାଜ୍ୟ ସରକାର ୱାଇଫାଇ ସେବା ଉପଲବ୍ଧ ପାଇଁ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯାହାଦ୍ୱାରା ବ୍ରଡବ୍ୟାଣ୍ଡ ସଂଯୋଗ ଅଧିକ ଶକ୍ତିଶାଳୀ ହେବ ଏବଂ ଲୋକେ ସୁବିଧା ପାଇପାରିବେ ।