Home Administration ଭିନ୍ନକ୍ଷମ ନିଯୁକ୍ତି ସଂକ୍ରାନ୍ତରେ ପୁଣି ସ୍ପଷ୍ଟୀକରଣ

ଭିନ୍ନକ୍ଷମ ନିଯୁକ୍ତି ସଂକ୍ରାନ୍ତରେ ପୁଣି ସ୍ପଷ୍ଟୀକରଣ

ଭୁବନେଶ୍ୱର : ସରକାରୀ ଚାକିରି ପାଇଁ ପ୍ରାର୍ଥୀ ଚୟନ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିଥିବା ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ସର୍ବପ୍ରଥମେ ଅଣସଂରକ୍ଷିତ ଆସନରେ ନିଯୁକ୍ତି ଦେବାପାଇଁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ପୁଣି ଥରେ ସ୍ପଷ୍ଟୀକରଣ ଜାରି କରିଛି । ଏଥିରେ କୁହାଯାଇଛି ଯେ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ୪ ପ୍ରତିଶତ ଆସନ ସଂରକ୍ଷଣ ଲାଗି ଆଇନ୍‍ରେ ଯେଉଁ ବ୍ୟବସ୍ଥା ରହିଛି ତାହାର ଠିକଣା ଅନୁପାଳନ କରାଯିବାବେଳେ ପ୍ରତିଯୋଗିତା ପରୀକ୍ଷାରେ ଅଣସଂରକ୍ଷିତବର୍ଗର ପ୍ରାର୍ଥୀମାନଙ୍କ ସମତୁଲ୍ୟ ନମ୍ବର ରଖିଥିବା ଆଶାୟୀମାନେ ପ୍ରଥମେ ଅଣସଂରକ୍ଷିତ ଏବଂ ତାହା ପରକୁ ଥିବା ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କୁ ସଂରକ୍ଷିତ ଆସନ ଲାଗି ମେଧା ତାଲିକାରେ ସ୍ଥାନ ଦିଆଯିବା ଆବଶ୍ୟକ ।

୨୦୧୬ ମସିହାରେ ଭିନ୍ନକ୍ଷମ ପ୍ରାର୍ଥୀମାନଙ୍କ ପାଇଁ ଯେଉଁ ଆଇନ୍‍ ପ୍ରଣୟନ କରାଯାଇଛି ସେଥିରେ ସ୍ପଷ୍ଟଭାବେ ଦର୍ଶାଯାଇଛି ଯେ ଯେଉଁ ଭିନ୍ନକ୍ଷମ ପ୍ରାର୍ଥୀମାନେ ନିଜ ଦକ୍ଷତା ଓ ଯୋଗ୍ୟତା ଆଧାରରେ ଭଲ ପ୍ରଦର୍ଶନ କରୁଛନ୍ତି ସେମାନଙ୍କୁ ସଂରକ୍ଷିତବର୍ଗରେ ନିଆଯିବ ନାହିଁ । ଏମାନେ ନିଜର ମେଧା ବଳରେ ଅଣସଂରକ୍ଷିତ ଆସନରେ ନିଯୁକ୍ତି ପାଇପାରିବେ । ଏମାନଙ୍କ ତଳକୁ ଯେଉଁ ପ୍ରାର୍ଥୀମାନେ ରହିବେ ସେମାନଙ୍କୁ ଭିନ୍ନକ୍ଷମଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷିତ ଆସନରେ ନିଯୁକ୍ତି ଦିଆଯିବ ।

ଏ ସଂକ୍ରାନ୍ତୀୟ କେନ୍ଦ୍ରୀୟ ଆଇନ୍‍ ଓ ରାଜ୍ୟ ସରକାରଙ୍କ ସଂକଳ୍ପପତ୍ର ତଥା ଏକାଧିକ ସ୍ପଷ୍ଟିକରଣ ସତ୍ୱେ କେତେକ କ୍ଷେତ୍ରରେ ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀଙ୍କୁ ଉପେକ୍ଷା କରାଯାଉଛି । ଏଭଳି ଘଟଣାରେ ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟଙ୍କ ରାୟକୁ ମଧ୍ୟ ଠଇକଣା ଭାବେ ଅନୁପାଳନ କରାନଯିବା ଫଳରେ ବହୁ ଯୋଗ୍ୟ ଭିନ୍ନକ୍ଷମ ପ୍ରାର୍ଥୀ ସରକାରୀ ଚାକିରି ସୁଯୋଗରୁ ବଞ୍ଚିତ ହେଉଛନ୍ତି ।

ଓଡିଶା ସିଭିଲ ସର୍ଭିସ – ୨୦୧୭ ବ୍ୟାଚ୍‍ର ଜଣେ ଆବେଦନକାରୀ ପରୀକ୍ଷାରେ ବେଶ୍‍ ପ୍ରଦର୍ଶନ କରିଥିଲେ ମଧ୍ୟ ଆଇନ୍‍ର ତ୍ରୁଟିପୂର୍ଣର୍ ତର୍ଜମା କରି ତାଙ୍କୁ ନିଯୁକ୍ତି ସୁଯୋଗରୁ ବଞ୍ଚିତ କରିଥିଲେ । ଏହି ଭିନ୍ନକ୍ଷମ ପ୍ରାର୍ଥୀଜଣଙ୍କ ଲିଖିତ ଓ ମୌଖିକ ପରୀକ୍ଷାରେ ୧୩୬୫ ନମ୍ବର ରଖିଥିବାବେଳେ ଅଣସଂରକ୍ଷିତବର୍ଗର ଶେଷ ପ୍ରାର୍ଥୀ ୧୩୦୨ ଓ ଭିନ୍ନକ୍ଷମବର୍ଗର ନିଯୁକ୍ତି ପାଇଥିବା ପ୍ରାର୍ଥୀ ୧୦୬୫ ରଖିଥିଲେ । ଏ ସଂକ୍ରାନ୍ତରେ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ, ସାଧାରଣ ପ୍ରଶାସନ ବିଭାଗ ଏମିତିକି ମୁଖ୍ୟ ଶାସନ ସଚିବ ବି ସମ୍ପୃକ୍ତ ପ୍ରାର୍ଥୀଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ଲିଖିତ ଆକାରରେ ଜଣାଇଥିଲେ ମଧ୍ୟ ତାଙ୍କୁ ନିଯୁକ୍ତି ମିଳିନଥିଲା ।

ସମ୍ପୃକ୍ତ ପ୍ରାର୍ଥୀ ନ୍ୟାୟ ପାଇବାରୁ ବଞ୍ଚିତ ହେବାପରେ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ଉଭୟ ପକ୍ଷର ଯୁକ୍ତି ଶୁଣିବାପରେ ଓଡିଶା ହାଇକୋର୍ଟ ଏକ ଯୁଗାନ୍ତକାରୀ ରାୟରେ ସମ୍ପୃକ୍ତ ପ୍ରାର୍ଥୀ ଅଣୁଶ୍ରଭ ଗନ୍ତାୟତଙ୍କ ନାମ ଯୋଗ୍ୟତା ତାଲିକାରେ ନିର୍ଦ୍ଧାରିତ ସ୍ଥାନରେ ଅଣସଂରକ୍ଷିତ ପ୍ରାର୍ଥୀଭାବେ ସ୍ଥାନିତ କରିବା ସହ ତାଙ୍କୁ ୨ମାସ ମଧ୍ୟରେ ନିଯୁକ୍ତି ଦେବାକୁ ସ୍ପଷ୍ଟ ନିର୍ଦ୍ଦେଶ ଦେବା ସହ ଉକ୍ତ ପ୍ରାର୍ଥୀଙ୍କ ଚାକିରି କାଳ ତାଙ୍କଠାରୁ ତଳେ ଥିବା ପ୍ରାର୍ଥୀ ପାଇଥିବା ଦିନରୁ ଗଣିବା ଓ ତଦନୁଯାୟୀ ବେତନ ନିର୍ଦ୍ଧାରଣ କରିବାକୁ ମଧ୍ୟ ଆଦେଶ ଦେଇଥିଲେ । ଏହାଛଡା ଅନ୍ୟାୟ ଆଦେଶର ଶିକାର ହୋଇଥିବା ଏହି ପ୍ରାର୍ଥୀଙ୍କୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ବି ହାଇକୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଥିଲେ ।

ଇତି ମଧ୍ୟରେ ଲୋକସେବା ଆୟୋଗ ମେଧା ତାଲିକାରେ ଅଣସଂରକ୍ଷିତ ତାଲିକାରେ ଏହି ବଞ୍ଚିତ ପ୍ରାର୍ଥୀଙ୍କ ନାମ ୧୮ତମ ସ୍ଥାନରେ ସ୍ଥାନିତ କରିବାପରେ ରାଜ୍ୟ ସରକାର ତାଙ୍କୁ ଗତ ଜୁଲାଇ ମାସରେ ନିଯୁକ୍ତି ଦେଇଛନ୍ତି । ଏହାପରେ ସୃଷ୍ଟି ହୋଇଥିବା ଘାଣ୍ଟ ଚକଟ ଯୋଗୁଁ ବିଭାଗକୁ ପୁଣି ଥରେ ସ୍ପଷ୍ଟିକରଣ ଦେବାକୁ ପଡିଛି । (ତଥ୍ୟ)