Home General ଚାନ୍ଦା ଆଦାୟକାରୀ ସକ୍ରିୟ

ଚାନ୍ଦା ଆଦାୟକାରୀ ସକ୍ରିୟ

ଭୁବନେଶ୍ୱର : ଗଣେଷ ପୂଜାରୁ ପାର୍ବଣଋତୁର ଶ୍ରୀଗଣେଶ ହେଉଥିବାବେଳେ ଏବେ ଚାନ୍ଦା ଆଦାୟକାରୀମାନେ ସକ୍ରିୟ ହୋଇ ଉଠିଲେଣି । ରଙ୍ଗ ବେରଙ୍ଗର ରସିଦ ବହି ଛପାଇବା ସହିତ ମୋଟାଅଙ୍କର ଚାନ୍ଦା ଆଦାୟପାଇଁ ଲାଗି ପଡିଛନ୍ତି । ତେବେ ଡିଜେ ଉପରେ କଟକଣା ଲଗାଇଥିବା କମିଶନରେଟ ପୁଲିସ୍‍ ତୁରନ୍ତ ଚାନ୍ଦା ଆଦାୟ ପାଇଁ କଟକଣା ଜାରି କରିବାକୁ ମତପ୍ରକାଶ ପାଉଛି ।

ଆସନ୍ତା ମାସ ୭ତାରିଖରେ ପଡୁଛି ଗଣେଶ ପୂଜା । ଅଗ୍ରପୂଜ୍ୟ ଗଣେଶଙ୍କ ଆବାହନ ଠାରୁ ରାଜ୍ୟରେ ଆରମ୍ଭ ହୋଇଯିବ ପାର୍ବଣଋତୁ । ଦୁର୍ଗାପୂଜା, ଲକ୍ଷ୍ମୀପୂଜା ଭଳି ବଡ ବଡ ପୂଜା ସହିତ ଏହା ପ୍ରାୟତଃ କାଳୀପୂଜାରେ ସରିବ । ତେବେ ଗଣେଶ ପୂଜା ଠାରୁ ଚାନ୍ଦା ଆଦାୟର ଶ୍ରୀଗଣେଶ ହୋଇଥାଏ । ଗଳିକନ୍ଦିର ଠାରୁ ଆରମ୍ଭକରି ପ୍ରମୁଖ ସ୍ଥାନଗୁଡିକରେ ହେଉଥିବା ଗଣେଶପୂଜା ପାଇଁ ଏବେଠାରୁ ଚାନ୍ଦା ଆଦାୟ ପ୍ରକ୍ରିୟା ଆରମ୍ଭ ହେଲାଣି ।

ବିଭିନ୍ନ ସ୍ଥାନରେ ଯୁବକମାନେ ଦଳ ଦଳ ହୋଇ ହାତରେ ରସିଦ ଧରି ଚାନ୍ଦା ଆଦାୟ ପାଇଁ ବାହାରିଲେଣି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଯଦିଓ ଚାନ୍ଦା ପାଇଁ ଜୁଲମ କରୁନାହାନ୍ତି ତଥାପି ମୋଟା ଅଙ୍କର ରସିଦ କାଟି ଲୋକଙ୍କ ହାତରେ ଧରାଇ ଦେଉଛନ୍ତି । ଯୁବକମାନେ ପ୍ରାୟତଃ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ ଲୋକେ ବି ଏମାନଙ୍କ ସହିତ ଯୁକ୍ତିତର୍କ କରିବା ବଦଳରେ ଚାନ୍ଦା ଦେଇଦେବାକୁ ଶ୍ରେୟଷ୍କର ମଣୁଛନ୍ତି ।

ଚାନ୍ଦା ଆଦାୟରେ ଅଙ୍କୁଶ ଲଗାଇବାପାଇଁ ପ୍ରତିବର୍ଷ ପୁଲିସ୍‍ ପକ୍ଷରୁ ଘୋଷଣା କରାଯିବା ସହିତ ଅଭିଯୋଗ ଲାଗି ହ୍ୱାଟସ୍‍ଅପ୍‍ ନମ୍ବର ଜାରି ହୋଇଥାଏ । ଚାନ୍ଦା ଆଦାୟକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନହେବ ବୋଲି କୁହାଯାଏ । ହେଲେ ବାସ୍ତବରେ ପୁଲିସ୍‍ର ଏଭଳି ନାଲିଆଖିକୁ କେହି ମାନି ନଥାନ୍ତି । କାରଣ ଅଭିଯୋଗ କରିବାକୁ ହିଁ ଲୋକେ ଡରିଥାନ୍ତି । ଅଭିଯୋଗ କଲେ ସ୍ଥାନୀୟ ଯୁବକଙ୍କୁ ପୁଲିସ୍‍ ବାନ୍ଧିବ । ଦଫା ଗୁରୁତର ହୋଇନଥିବାରୁ ସେମାନେ ସହଜରେ ମୁକୁଳିବେ । ହେଲେ ତାହାପରେ କାଳେ କିଛି ସମସ୍ୟା ଦେଖାଦେବ ସେଥିପାଇଁ ଅଧିକାଂଶ ଲୋକେ ଇଚ୍ଛା ଥିଲେ ବି ପୁଲିସ୍‍ ଝାମେଲାରେ ପଡିବାକୁ ଚାହାନ୍ତି ନାହିଁ ।

ଅନ୍ୟ ପକ୍ଷରେ ଚଳିତବର୍ଷ ପାଣିପାଗକୁ ଦୃଷ୍ଟିରେ ରଖି ଗଣେଶପୂଜାକୁ ଯାକଜମକ କରିବାପାଇଁ ଅନେକ ସ୍ଥାନରେ ଯୁବକମାନେ ଲାଗି ପଡିଲେଣି । ସୁଉଚ୍ଚ ତୋରଣ ସହିତ ରଙ୍ଗ ବେରଙ୍ଗର ଆଲୋକସଜ୍ଜା ପାଇଁ ପ୍ରସ୍ତୁତି ଓ ପ୍ରତିଯୋଗିତା ଆରମ୍ଭ ହୋଇଗଲାଣି । ଭଜନ ସଂଧ୍ୟା ଓ ମେଲୋଡି ପାଇଁ ବଇନା ବି ଦିଆହେଲାଣି । ତେବେ ଏହି ସବୁ ଆଡମ୍ବରପୂର୍ଣ୍ଣ ପୂଜା ପାଇଁ ପଇସା କେଉଁଠୁ ଆସୁଛି ସେ ବିଷୟରେ କେହିହେଲେ ଖୋଳତାଡ କରୁନାହାନ୍ତି । କାରଣ ସମସ୍ତେ ଭଲଭାବେ ଜାଣିଛନ୍ତି ଅଧିକାଂଶ ଅର୍ଥ ଚାନ୍ଦାରୁ ହିଁ ଆସିଥାଏ । ତେଣୁ ରାଜଧାନୀ ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଚାନ୍ଦା ଜୁଲମ ବଢିବା ପୂର୍ବରୁ ଏହା ବିରୁଦ୍ଧରେ ପୁଲିସ୍‍ ପଦକ୍ଷେପ ନେବାକୁ ଦାବି ହେଉଛି । (ତଥ୍ୟ)