Home General କେନ୍ଦ୍ରୀୟ ଭତ୍ତା କମୁଛି

କେନ୍ଦ୍ରୀୟ ଭତ୍ତା କମୁଛି

ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଠାରୁ ବାର୍ଦ୍ଧକ୍ୟ ଭତ୍ତା ପାଉଥିବା ବ୍ୟକ୍ତିଙ୍କ ସଂଖ୍ୟା ଓଡିଶାରେ ହ୍ରାସ ପାଇଛି । ୨୦୨୩-୨୪ ବର୍ଷରେ କେନ୍ଦ୍ର ସରାକର ୧୪,୧୧,୦୪୩ ଜଣଙ୍କ ପାଇଁ ଭତ୍ତା ପ୍ରଦାନ କରିଛନ୍ତି ଯାହାକି ପୂର୍ବବର୍ଷ ତୁଳନାରେ ୭ହଜାର କମ୍‍ ରହିଛି । ସେହିଭଳି ରାଜ୍ୟ ପାଇଁ କେନ୍ଦ୍ର ଯୋଗାଉଥିବା ବିଧବାଭତ୍ତାଧାରୀଙ୍କ ସଂଖ୍ୟା ବି ହ୍ରାସ ପାଇଛି ।

ସାମାଜିକ ସୁରକ୍ଷା ଯୋଜନାରେ କେନ୍ଦ୍ର ସରକାର ପ୍ରଦାନ କରୁଥିବା ବାର୍ଦ୍ଧକ୍ୟ ଭତ୍ତା ଓ ବିଧବା ଭତ୍ତା ସଂକ୍ରାନ୍ତୀୟ ତଥ୍ୟରୁ ଜଣାପଡିଛି ଯେ ୨୦୨୦-୨୧ ବର୍ଷରେ କେନ୍ଦ୍ର ସରକାର ବାର୍ଦ୍ଧକ୍ୟଭତ୍ତା ବାବଦରେ ଓଡିଶାକୁ ୩୫୧ କୋଟି ୮୫ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ୨୦୨୧-୨୨ ବର୍ଷରେ ଏହା ୪୧୭ କୋଟି ଟଙ୍କାକୁ ଅତିକ୍ରମ କରିଥିଲା । ତେବେ ୨୦୨୨-୨୩ ବର୍ଷରେ କେନ୍ଦ୍ରରୁ ମିଳୁଥିବା ଭତ୍ତା ରାଶି ପରିମାଣ ୪୧୨ କୋଟି ୩୧ ଲକ୍ଷ ଟଙ୍କାକୁ ହ୍ରାସ ପାଇଥିବାବେଳେ ୨୦୨୩-୨୪ ବର୍ଷରେ ଏହା ୪୦୬ କୋଟି ୫୫ଲକ୍ଷ ଟଙ୍କା ରହିଛି ।

ସେହିଭଳି ଓଡିଶାକୁ ମିଳୁଥିବା ବିଧବାଭତ୍ତା ଅର୍ଥ ପରିମାଣ ମଧ୍ୟ ହ୍ରାସ ପାଇଛି । ୨୦୨୦-୨୧ ବର୍ଷରେ ଏ ବାବଦରେ ୨୦୬ କୋଟି ୧୨ଲକ୍ଷ ଟଙ୍କା ମିଳିଥିବାବେଳେ ୨୦୨୩-୨୪ ବର୍ଷରେ ତାହା ୧୯୩ କୋଟି ୨୯ଲକ୍ଷ ଟଙ୍କାକୁ ହ୍ରାସ ପାଇଛି ।

ତେବେ କେନ୍ଦ୍ର ସରକାର ବାର୍ଦ୍ଧକ୍ୟଭତ୍ତା ବାବଦରେ ସମଗ୍ର ଦେଶ ପାଇଁ ୨୦୨୩-୨୪ ବର୍ଷରେ ୬୭୭୮ କୋଟି ୪୮ଲକ୍ଷ ଟଙ୍କା ପ୍ରଦାନ କରିଥିବାବେଳେ ବିଧବା ଭତ୍ତା ବାବଦରେ ଏହି ବର୍ଷ ୨୦୦୯ କୋଟି ୮୦ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । କେନ୍ଦ୍ରୀୟ ସୂଚନା ଅନୁଯାୟୀ ୨୦୨୩-୨୪ ବର୍ଷରେ ଲକ୍ଷାଦୀପରେ ମାତ୍ର ୧୨୮ଜଣଙ୍କ ପାଇଁ କେନ୍ଦ୍ର ସରାକର ବାର୍ଦ୍ଧକ୍ୟଭତ୍ତା ଅର୍ଥ ପ୍ରଦାନ କରିଥିବାବେଳେ ଆଣ୍ଡାମାନ ଓ ନିକୋବରରେ ଏହି ସଂଖ୍ୟା ୫୮୫ ରହିଛି ।

ସେହିଭଳି ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମାତ୍ର ୩ଜଣ ବିଧବା ଭତ୍ତାଧାରୀଙ୍କ ପାଇଁ କେନ୍ଦ୍ର ସରକାର ଅର୍ଥ ପ୍ରଦାନ କରିଛନ୍ତି । ସମଗ୍ର ଦେଶରେ ୨୦୨୩-୨୪ ବର୍ଷରେ ୨,୧୮,୮୬,୨୧୯ ଜଣଙ୍କ ପାଇଁ ବାର୍ଦ୍ଧକ୍ୟଭତ୍ତା ଓ ୬୭,୨୩,୨୮୮ ଜଣଙ୍କ ପାଇଁ ବିଧବା ଭତ୍ତା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି ।

ଓଡିଶାରେ ଏବେ କେନ୍ଦ୍ରୀୟ ଭତ୍ତା ସହିତ ରାଜ୍ୟ ସରକାର ନିଜସ୍ୱ ପାଣ୍ଠି ମିଶାଇ ସର୍ବନିମ୍ନ ୧୦୦୦ ଟଙ୍କାର ଭତ୍ତା ପ୍ରଦାନ କରୁଥିବାବେଳେ ନୂତନ ଭାବେ ୮୦ବର୍ଷରୁ ଅଧିକ ବୟସ୍କଙ୍କୁ ମାସିକ ୩୫୦୦ ଟଙ୍କାର ଭତ୍ତା ପ୍ରଦାନ କରିବାକୁ ଯାଉଛନ୍ତି । କେନ୍ଦ୍ର ସରକାରଙ୍କ ଭତ୍ତା ବାଦ୍‍ ରାଜ୍ୟ ସରକାର ନିଜସ୍ୱ ପାଣ୍ଠିରୁ ଗୋପବନ୍ଧୁ ବାର୍ଦ୍ଧକ୍ୟ ଭତ୍ତା ଯୋଜନା କାର୍ଯ୍ୟକାରୀ କରୁଛନ୍ତି ଏବଂ ଏ ବାବଦୀୟ ଅର୍ଥ ଅର୍ଥ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷରୁ ପ୍ରଦାନ କରାଯାଉଛି । ବର୍ତ୍ତମାନ ରାଜ୍ୟରେ ପ୍ରାୟ ୪୮ଲକ୍ଷ ଲୋକ ଭତ୍ତା ପାଉଥିବାବେଳେ ଆହୁରି ଅନେକ ବୟସ୍କ, ଅସହାୟ, ବିଧବା ଭତ୍ତା ପାଇବାପାଇଁ ଆବେଦନ କରି ଅପେକ୍ଷାରେ ରହିଛନ୍ତି । (ତଥ୍ୟ)