Home News in Odia ବିଏମ୍‍ସିରେ ସାମିଲ କର

ବିଏମ୍‍ସିରେ ସାମିଲ କର

ଭୁବନେଶ୍ୱର : ଏମସ୍‍ ଭୁବନେଶ୍ୱରକୁ ବିଏମ୍‍ସି ପରିସୀମା ମଧ୍ୟରେ ରଖିବାପାଇଁ ଭୁବନେଶ୍ୱର ଏମ୍‍ସ କର୍ତ୍ତୃପକ୍ଷ ଦାବି କରିଛନ୍ତି । ତେବେ ବିଏମ୍‍ସି କମିଶନର ଖୋରଧା ଜିଲ୍ଲାପାଳଙ୍କ ସହିତ ସମନ୍ୱୟ ରକ୍ଷାକରି ସ୍ଥିତି ଅନୁଧ୍ୟାନ କରିବା ସହିତ ଏହି ଅଞ୍ଚଳକୁ କିଭଳି ବିଏମ୍‍ସିରେ ସାମିଲ କରାଯାଇ ପାରିବ ସେଥିପାଇଁ ସରକାରଙ୍କୁ ସୁପାରିଶ୍‍ କରିବାକୁ କୁହାଯାଇଛି ।

ଭୁବନେଶ୍ୱର ଏମସ୍‍କୁ ପାନୀୟଜଳ ଯୋଗାଣ, ପରିମଳ, ଯୋଗାଯୋଗ ଆଦି ପ୍ରସଙ୍ଗରେ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ଏମ୍‍ସ ପକ୍ଷରୁ ବିଏମ୍‍ସିରେ ସାମିଲ ନେଇ ଦାବି କରାଯାଇଥିଲା । ଏମସ୍‍ କର୍ତ୍ତୃପକ୍ଷ ତୁରନ୍ତ ୦.୫ କେଏଲଡି ଜଳ ଯୋଗାଣ ପାଇଁ ଦାବି କରିଥିବାବେଳେ ବିଭାଗୀୟ ପ୍ରମୁଖ ସଚିବ ଉଷା ପାଢୀ ଏ ନେଇ ଆବଶ୍ୟତା ଜଣାଇବାକୁ ଏମ୍‍ସକୁ କହିଥିଲେ । ଏଥି ସହିତ ଆବଶ୍ୟକ ଜଳଯୋଗାଣ ପାଇଁ ୱାଟ୍‍କୋ କର୍ତ୍ତୃପକ୍ଷ ପଦକ୍ଷେପ ଗ୍ରହଣ ପାଇଁ ଶ୍ରୀମତୀ ପାଢୀ କହିଥିଲେ ।

ସେହିଭଳି ଏମସ୍‍ରୁ ଜାତୀୟ ରାଜପଥ ପର୍ଯ୍ୟନ୍ତ ଯାଇଥିବା ରାସ୍ତାଟିରେ ଭିଡ ରହୁଥିବାରୁ ଏହାକୁ ପ୍ରଶସ୍ତ କରିବାପାଇଁ ଏମସ୍‍ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ । ଯେହେତୁ ଏହି କାର୍ଯ୍ୟ ପୂର୍ତ୍ତ ବିଭାଗର ତେଣୁ ରାସ୍ତା କିଭଳି ପ୍ରଶସ୍ତ କରାଯିବ ସେଥିପାଇଁ ପଦକ୍ଷେପ ନେବାକୁ ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ପଦକ୍ଷେପ ନେବାକୁ କୁହାଯାଇଥିଲା । ବୈଠକରେ ଉପସ୍ଥିତ ବିଡିଏର ପ୍ଲାନିଂ ମେମ୍ବର କହିଥିଲେ ଯେ ଏମସ୍‍ ନିକଟରେ ରିଂରୋଡ ନିର୍ମାଣ ପ୍ରସ୍ତାବ ରହିଛି । ତେଣୁ ସଡକ ସମ୍ପ୍ରସାରଣ ସମୟରେ ଏହାକୁ ରିଂରୋଡ୍‍ ସହିତ ଯୋଡିଦେଲେ ସହରବାସୀ ଦୁଇ ପଟରୁ ଏମସ୍‍କୁ ସହଜରେ ଯାତାୟତ କରିପାରିବେ । ବିଡିଏ ପକ୍ଷରୁ ଅଗ୍ରାଧିକାର ଭିତ୍ତିରେ ଏଥିପାଇଁ ପଦକ୍ଷେପ ଗ୍ରହଣ କରିବାକୁ ବୈଠକରେ ନିଷ୍ପତ୍ତି କରାଯାଇଛି ।

ବର୍ଷାଜଳ ନିଷ୍କାସନ ପାଇଁ ଜାତୀୟ ରାଜପଥ ଠାରୁ ଏମସ୍‍ ପର୍ଯ୍ୟନ୍ତ ଡ୍ରେନ ନିର୍ମାଣ ପାଇଁ ଦାବି ହୋଇଥିଲା । ତେବେ ଏଠାରେ ଡ୍ରେନ କେତେ ଆବଶ୍ୟକ ସେ ସଂକ୍ରାନ୍ତରେ ଠିକଣା ସର୍ଭେ କରିବାପାଇଁ ବିଏମସିର ସିଟି ଇଞ୍ଜନିୟରଙ୍କୁ କୁହାଯାଇଛି । ସର୍ଭେ ସରିଲା ପରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ସେହିଭଳି ଏମସ୍‍ ଓ ଏହାର ଆଖପାଖରେ ଉଜ୍ୱଳ ଆଲୋକ ବ୍ୟବସ୍ଥା ବିଶେଷକରି ଜାତୀୟ ରାଜପଥରୁ ଏମସ୍‍ ପର୍ଯ୍ୟନ୍ତ ଯାଇଥିବା ରାସ୍ତାରେ ଷ୍ଟ୍ରିଟ୍‍ ଲାଇଟ୍‍ ବ୍ୟବସ୍ଥା କରିବାକୁ ଦାବି ହୋଇଥିଲା । ଏ ଦିଗରେ ପଦକ୍ଷେପ ନେବାପାଇଁ ବିଏମ୍‍ସିକୁ କୁହାଯାଇଛି ।

ଏମସ୍‍ ଫାଟକ ଆଗରେ ଏବଂ ପାଚେରୀକୁ ଲାଗି ବେଆଇନ୍‍ ଭେଣ୍ଡିଂ ଜୋନ୍‍ ଦୋକାନ ନିର୍ମାଣ ବଢି ଚାଲିଥିବାରୁ ତାହାକୁ ହଟାଇବାପାଇଁ ଏମସ କର୍ତ୍ତୃପକ୍ଷ ମତ ରଖିଥିଲେ । ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ବିଡିଏକୁ କୁହାଯାଇଛି । ବେଆଇନ୍‍ ଦୋକାନଗୁଡିକୁ ଉଚ୍ଛେଦ ସହିତ ବିଡିଏ ଏବଂ ଖୋରଧା ଜିଲ୍ଲା ପ୍ରଶାସନ ମିଳିତ ଭାବେ ଏହାର ଆଖପାଖରେ ନୂଆ ଭେଣ୍ଡିଂଜୋନ୍‍ ନିର୍ମାଣ କରିବାକୁ କୁହାଯାଇଛି । ଯାହା ଫଳରେ ଉଚ୍ଛେଦ ହେବାକୁ ଥିବା ଦୋକାନୀମାନେ ସେଠାରେ ଥଇଥାନ ହୋଇପାରିବେ । ଏଥି ସହିତ ବର୍ଜ୍ୟ ପରିଚାଳନା, ପାଶ୍ୱର୍ ସଡକ ନିର୍ମାଣ ଆଦି ପାଇଁ ଏମସ୍‍ ପକ୍ଷରୁ ଦାବି ଉପସ୍ଥାପନ କରାଯାଇଥିଲା । ରୋଗୀ ଏବଂ ଏମସ୍‍ କର୍ତ୍ତୃପକ୍ଷଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସବୁ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ବୋଲି ନଗର ଉନ୍ନୟନ ବିଭାଗ ପକ୍ଷରୁ କୁହାଯାଇଛି । ବୈଠକରେ ବିଭାଗୀୟ ମନ୍ତ୍ରୀ ଓ ପ୍ରମୁଖ ଶାସନ ସଚିବଙ୍କ ସହିତ ବିଏମ୍‍ସି କମିଶନର, ଖୋର୍ଦ୍ଧା ଜିଲ୍ଲାପାଳ ଓ ଭୁବନେଶ୍ୱର ଏମସ୍‍ର ନିର୍ଦ୍ଦେଶକଙ୍କ ସମେତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । (ତଥ୍ୟ)