Home Health ଡେଙ୍ଗୁ ପାଇଁ କାଦୁଅ ଫିଙ୍ଗା

ଡେଙ୍ଗୁ ପାଇଁ କାଦୁଅ ଫିଙ୍ଗା

ଭୁବନେଶ୍ୱର : ଡେଙ୍କୁରେ ଆକ୍ରାନ୍ତ ହୋଇ କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପତ୍ନୀ ଝିଙ୍ଗିଆ ଓରାମ ଭୁବନେଶ୍ୱରର ଏକ ଘରୋଇ ଘରୋଇ ଡାକ୍ତରଖାନାରେ ଆଖିବୁଜିବା ପରେ ଡେଙ୍ଗୁକୁ ନେଇ ପୁଣିଥରେ କାଦୁଅ ଫିଙ୍ଗା ଆରମ୍ଭ ହୋଇଛି । ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ ରାଜଧାନୀରେ ଡେଙ୍ଗୁ ପାଇଁ ବିଏମ୍‍ସିକୁ ସିଧାସଳଖ ଦାୟୀ କରୁଥିବାବେଳେ ମେୟର ସୁଲୋଚନା ଦାସ ଗତବର୍ଷ ଠାରୁ ଡେଙ୍ଗୁ ସ୍ଥିତି ନିୟନ୍ତ୍ରଣରେ ଥିବା କହିଛନ୍ତି ।

କେନ୍ଦ୍ରମନ୍ତ୍ରୀ ଜୁଏଲଙ୍କ ପତ୍ନୀ ଆଜି ଭୁବନେଶ୍ୱରରେ ଡେଙ୍ଗୁ ଆକ୍ରାନ୍ତ ହୋଇଥିଲେ ବୋଲି ଶ୍ରୀ ଓରାମ ସ୍ପଷ୍ଟ କରିଥିଲେ । ନୀଳାଦ୍ରୀବିହାର ଅଞ୍ଚଳରେ ହିଁ ଶ୍ରୀମତୀ ଓରାମ ହିଁ ଡେଙ୍ଗୁରେ ପୀଡିତ ହୋଇଥିଲେ । ଶ୍ରୀ ଓରାମ ଏହା କହିବାପରେ ଏବେ ରାଜଧାନୀରେ ଡେଙ୍ଗୁ ସଂକ୍ରମଣକୁ ପରସ୍ପର ଉପରେ ଦୋଷ ଲଦିବା ଆରମ୍ଭ ହୋଇଛି ।

ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ଡାକ୍ତର ନୀଳକଣ୍ଠ ମିଶ୍ର କହିଛନ୍ତି ଯେ ରାଜ୍ୟରେ ଏବେ ପ୍ରାୟ ୨୦୦୦ ଡେଙ୍ଗୁ ଆକ୍ରାନ୍ତ ଥିବାବେଳେ ଭୁବନେଶ୍ୱରରେ ଏମାନଙ୍କ ସଂଖ୍ୟା ପ୍ରାୟ ୫ଶହ ରହିଛି । ଭୁବନେଶ୍ୱର ବ୍ୟତିତ ରାଉରକେଲାରେ ମଧ୍ୟ ଡେଙ୍ଗୁ ପ୍ରାର୍ଦୁଭାବ ଦେଖିବାକୁ ମିଳିଛି । ତେବେ ଡେଙ୍ଗୁ ମୁକାବିଲା ପାଇଁ ସରକାର ସମସ୍ତ ପ୍ରକାର ପଦକ୍ଷେପ ନେଉଛନ୍ତି ।

କ୍ୟାପିଟାଲ ହସ୍ପିଟାଲ ଉପ ଅଧୀକ୍ଷକ ଡାକ୍ତର ଧନଞ୍ଜୟ ଦାସ କହିଛନ୍ତି ଯେ ଡାକ୍ତରଖାନରେ ଡେଙ୍ଗୁ ମୁକାବିଲା ପାଇଁ ଦୁଇଟି ୱାର୍ଡ ଖୋଲିଥିବାବେଳେ ଗୋଟିକରେ ମାତ୍ର ୧୪ ଜଣ ରୋଗୀ ଅଛନ୍ତି । ସମସ୍ତଙ୍କ ସ୍ୱାସ୍ଥ୍ୟ ଭଲ ଅଛି । କାଳେ ଆବଶ୍ୟକ ହେବ ସେଥିପାଇଁ ଆଉ ଦୁଇଟି ୱାର୍ଡ ସଂରକ୍ଷିତ ରଖାଯାଇଛି । ଡେଙ୍ଗୁ ରୋଗୀଙ୍କୁ ସମସ୍ତ ପ୍ରକାର ସେବା ଯୋଗାଇ ଦିଆଯାଉଛି ।

ତେବେ ବିଧାୟକ ବାବୁ ସିଂହ କହିଛନ୍ତି ଯେ ବିଏମସିର ଅପାରଗତା ଯୋଗୁଁ ରାଜଧାନୀରେ ଡେଙ୍ଗୁ ବ୍ୟାପୁଛି । ଏ ସଂକ୍ରାନ୍ତରେ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଅବଗତ କରାଯାଇଛି । ବିଫଳ ପରିଚାଳନା ପାଇଁ ସରକାରୀ ସ୍ତରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ମେୟର ସୁଲୋଚନା ଦାସ କହିଛନ୍ତି ଯେ ଡେଙ୍ଗୁ ନିୟନ୍ତ୍ରଣ ପାଇଁ ବିଏମ୍‍ସି ସମସ୍ତ ପ୍ରକାର ପଦକ୍ଷେପ ନେଉଛି । ଗତବର୍ଷ ଠାରୁ ଡେଙ୍ଗୁ ନିୟନ୍ତ୍ରଣରେ ରହିଛି । ସହରରେ ଏବେ ମଶା ନିୟନ୍ତ୍ରଣ ପାଇଁ ବ୍ୟାପକ ଧୂଆଁ ଛଡାଯିବା ସହିତ ଲୋକଙ୍କୁ ସଚେତନ କରାଯାଉଛି ।