ଭୁବନେଶ୍ୱର : ଆଇନ୍ଶୃଙ୍ଖଳା ରକ୍ଷା ଓ ଅପରାଧ ନିୟନ୍ତ୍ରଣ ସହିତ ଆଇନ୍ ଅଦାଲତଗୁଡିକରେ ବର୍ଷ ବର୍ଷ ଧରି ପଡିରହିଥିବା ୧୪ଲକ୍ଷରୁ ଅଧିକ ଅପରାଧିକ ମାମଲାର ତ୍ୱରିତ ଫଏସଲା ଏବେ ରାଜ୍ୟ ସରକାରଙ୍କ ପାଇଁ ବଡ ଆହ୍ୱାନ । ଏ ପରିପ୍ରେକ୍ଷୀରେ ନୂଆ ପୁଲିସ୍ ମହାନିର୍ଦ୍ଦେଶକଙ୍କ ଭୂମିକା ବେଶ୍ ବଢିଯାଇଛି ।
ଓଡିଶାର ଅପରାଧିକ ମାମଲାର ଫଏସଲା ହାର ୧୦ ପ୍ରତିଶତରୁ କମ୍ ରହୁଥିବାବେଳେ ଯେତିକି ବି ମାମଲାରେ ଅଦାଲତଙ୍କ ରାୟ ଆସୁଛି ସେଥିରୁ ୯୦ ପ୍ରତିଶତରୁ ଅଧିକରେ ଅଭିଯୁକ୍ତମାନେ ନିର୍ଦ୍ଦୋଷରେ ଖଲାସ ହେବା ଫଳରେ ଅପରାଧ ନିୟନ୍ତ୍ରଣ କ୍ରମଶଃ ପୁଲିସ୍ କବ୍ଜାରୁ ବାହାରକୁ ଚାଲିଯାଉଛି । ଅପରାଧ ବଢିବା ସହିତ ହିଂସା ଓ ନିଶାର ପ୍ରସାର ମଧ୍ୟ ପ୍ରଶାସନ ଓ ପୁଲିସ୍ ପାଇଁ ପ୍ରମୁଖ ଆହ୍ୱାନ ହୋଇଛି ।
ସ୍ୱାଧୀନତା ଦିବସ ଅବସରରେ ଉଦବୋଧନ ଦେବାବେଳେ ପ୍ରଧାନମନ୍ତ୍ରୀ ସାରା ଦେଶରେ ମହିଳମାନଙ୍କ ପ୍ରତି ବଢି ଚାଲିଥିବା ଅପରାଧ ଘେନି ଉଦବେଗ ପ୍ରକାଶ କରିବା ସହିତ ଏ ଦିଗରେ ରାଜ୍ୟ ସରକାରମାନଙ୍କ ସହଯୋଗ ଲୋଡିଛନ୍ତି । ଏ କ୍ଷେତ୍ରରେ ପୁଲିସ୍ ଓ ବିଚାରାଳୟର ପ୍ରମୁଖ ଭୂମିକା ରହୁଥିବାରୁ ଓଡିଶା ସରକାରଙ୍କର ଗୃହ ବିଭାଗ ବ୍ୟବସ୍ଥାରେ ସମନ୍ୱୟ ରକ୍ଷାକରି କେତେ ଆଗେଇବେ ତାହା ଆଗାମୀ ଦିନରେ ଜଣାପଡିବ ।
କେନ୍ଦ୍ର ସରକାରଙ୍କ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ସର୍ବଶେଷ ଏନ୍ସିଆରବି ରିପୋର୍ଟରେ ଯେଉଁସବୁ ପରିସଂଖ୍ୟାନ ରହିଛି ସେଥିରୁ ବିଭିନ୍ନ କିସମର ଅପରାଧରେ ଓଡିଶାରେ ମାମଲା ଫଏସଲା ଓ ଦଣ୍ଡବିଧାନ ହାର ଜାତୀୟ ହାର ଠାରୁ ଢେର କମ୍ ରହୁଛି । ଓଡିଶାରେ ଏବେ ଆଇନ୍ ଅଦାଲତଗୁଡିକରେ ପାଖାପାଖି ୨୦ଲକ୍ଷ ମାମଲା ବିଚାର ପ୍ରତୀକ୍ଷାରେ ଥିବାବେଳେ ସେଥିରୁ ୧୪ଲକ୍ଷରୁ ଅଧିକ ଅପରାଧିକ ମାମଲା ବୋଲି ଦର୍ଶାଯାଉଛି ।
ଏନସିଆରବିର ତଥ୍ୟ ମୁତାବକ ୨୦୨୨ ଆରମ୍ଭ ବେଳକୁ ଓଡିଶାରେ ଆଇପିସି ଓ ଏସଏଏଲ୍ ଅପରାଧ ମାମଲା ସଂଖ୍ୟା ପ୍ରାୟ ୯ଲକ୍ଷ ୯୦ ହଜାର ଥିଲା । ଏହାଛଡା ମହିଳାମାନଙ୍କ ପ୍ରତି ଘଟିଥିବା ଅପରାଧିକ ମାମଲା ସଂଖ୍ୟା ବି ପ୍ରାୟ ୧ଲକ୍ଷ ୫୮ହଜାର ରହିଥିଲା । ଏମିତିକି ଶିଶୁମାନଙ୍କ ପ୍ରତି ଘଟୁଥିବା ପ୍ରାୟ ୧୯ହଜାର, ଅନୁସୂଚିତ ଜାତିର ଲୋକଙ୍କ ପ୍ରତି ଘଟୁଥିବା ପ୍ରାୟ ୧୬ହଜାର ମାମଲା ସହିତ ଅନୁସୂଚିତ ଜନଜାତିଙ୍କ ପ୍ରତି ଘଟୁଥିବା ପ୍ରାୟ ୬ହଜାର ଅପରାଧିକ ମାମଲା ବିଚାର ପ୍ରତୀକ୍ଷାରେ ଥିଲା । ଏହାଛଡା ୨୫ହଜାରରୁ ଅଧିକ ଆର୍ଥିକ ଅପରାଧ ମାମଲା, ସାଢେ ତିନି ହଜାରରୁ ଅଧିକ ଭିଜିଲାନ୍ସ ମାମଲା ଛଡା ଆଉ ଅନେକ କିସମର ଅପରାଧିକ ମାମଲା ମଧ୍ୟ ବିଚାର ପ୍ରତୀକ୍ଷାରେ ରହିଥିଲା । ଏବେ ଏହି ସଂଖ୍ୟା ଢେର ଅଧିକ ବଢିଗଲାଣି ।
ତେବେ ଆଇପିସି ମାମଲାରେ ଦଣ୍ଡବିଧାନ ହାର ଓଡିଶାରେ ୧୧.୯ ପ୍ରତିଶତ ଥିବାବେଳେ ମହିଳାମାନଙ୍କ ପ୍ରତି ଘଟୁଥିବା ଅପରାଧିକ ମାମଲାରେ ଦଣ୍ଡବିଧାନ ହାର ୯.୨, ଶିଶୁମାନଙ୍କ ପ୍ରତି ଅପରାଧିକ ମାମଲାରେ ୧୨.୬, ଆର୍ଥିକ ଅପରାଧ ମାମଲା କ୍ଷେତ୍ରରେ ମାତ୍ର ୫.୮ ପ୍ରତିଶରେ ଦଣ୍ଡ ବିଧାନ ହୋଇଛି । ବର୍ଷ ବର୍ଷ ଧରି ମାମଲା ଗଡିବା ଫଳରେ ଅଭିଯୁକ୍ତମାନେ ଜାମିନରେ ଆସି ନୂଆ ଅପରାଧମାନ ଘଟାଉଛନ୍ତି ଏବଂ ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା କ୍ଷେତ୍ରରେ ମଧ୍ୟ ସଫଳ ହେଉଛନ୍ତି । ଏହାଛଡା ମାମଲା ତଦନ୍ତ ଓ ଅଭିଯୋଗଫର୍ଦ୍ଦରେ ତ୍ରୁଟିବିଚ୍ୟୁତି ଏବଂ ବହୁ ମାମଲାରେ ତଦନ୍ତକାରୀ ଅଧିକାରୀଙ୍କ ସମେତ ସାକ୍ଷୀମାନେ ଠିକଣା ସମୟରେ ହାଜର ନହେବା ଫଳରେ ମାମଲା ପରିଚାଳନା କ୍ଷେତ୍ରରେ ଅସୁବିଧା ଉପୁଜି ଅଭିଯୁକ୍ତମାନଙ୍କୁ ଫାଇଦା ଦେଉଛି । ଅବସରପ୍ରାପ୍ତ ବିଚାରପତି ଓ ବରିଷ୍ଠ ଓକିଲମାନେ ସ୍ୱୀକାର କରୁଛନ୍ତି ଯେ ମାମଲା ପରିଚାଳନା ପାଇଁ ସରକାରୀ ଓକିଲ ନିଯୁକ୍ତିବେଳେ ଦକ୍ଷତା ଓ ସଚ୍ଚୋଟତାକୁ ଉପେକ୍ଷା କରି ଦଳୀୟ ଆନୁଗତ୍ୟ ଭିତ୍ତିରେ ନିଯୁକ୍ତି ଦିଆଯିବା ମଧ୍ୟ ବଡ ବାଧକ ହେଉଛି । (ତଥ୍ୟ)